ଯାଜପୁର/ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ତଳଗଡ଼ ରାଜସ୍ୱ ସର୍କଲ ଅଧୀନ ମଧୁପୁରଗଡ଼ ମୌଜା ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବହୁଚର୍ଚ୍ଚିତ ଫାର୍ମହାଉସକୁ ଲାଗି ରହିଥିବା ସରକାରୀ ଜାଗାକୁ ଜବରଦଖଲ ମୁକ୍ତ କରାଯାଇଥିଲା। ଉକ୍ତ ଜମିରେ ପାଚେରି ବୁଲାଯାଇ ଭିତରେ କୋଠାଘର ନିର୍ମାଣ କରାଯାଇଥିବା ବେଳେ ସେଗୁଡ଼ିକୁ ଜେସିବି ସାହାର୍ଯ୍ୟରେ ମାଟିରେ ମିଶାଯାଇଥିଲା। ଏ ପ୍ରସଙ୍ଗରେ ଆଜି ସାମ୍ବାଦିକ ସମ୍ମିଳନୀ ଡକାଇ ତହସିଲଦାରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ଏହି ଜମିକୁ ନେଇ ଉଠିଥିବା ବିବାଦ ଓ ପ୍ରଶାସନର ଅସହଯୋଗକୁ ନେଇ ସେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବା ଏବଂ ପ୍ରଶାସନକୁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଆସିଥିବା ଆଦେଶକୁ ଅବମାନନା କରି ରାଜନୈତିକ ଉଦ୍ଦେଶ୍ୟ କିମ୍ବା ଚାପର ବଶବର୍ତ୍ତୀ ହୋଇ ତହସିଲଦାର ଗତକାଲି ତରବରିଆ ଭାବେ ପଦକ୍ଷେପ ନେଇଛନ୍ତି। ଯାହାକି ସରକାରୀ ନିୟମକୁ ସମ୍ପୂର୍ଣ୍ଣ ଭାବେ ସେ ବେଖାତିର କରିଥିବା ଶ୍ରୀ ବଳବନ୍ତରାୟ ଅଭିଯୋଗ କରିଛନ୍ତି।

Advertisment

ପ୍ରଣବଙ୍କ ଅଭିଯୋଗ କରଛନ୍ତି ଯେ, କିଛିଦିନ ପୂର୍ବରୁ ଧର୍ମଶାଳା ତହସିଲଦାର ତାଙ୍କୁ ଫୋନ୍‌ଯୋଗେ ଏକ ନୋଟିସ ପଠାଇଥିଲେ ଯେ ସେ ୧.୧୦ ଏକର ସରକାରୀ ଜମି ମାଡ଼ିବସିଛନ୍ତି। ଏହାର ସେ ଉତ୍ତର ରଖି ଜଣାଇଥିଲେ ଯଦି ଏହି ଭୁଲ ହୋଇଛି, ତା’ହେଲେ ମାପ ବେଳେ ସାଇଡ୍‌ ପ୍ଲଟ ହିସାବରେ ତାଙ୍କୁ କାହିଁକି ନୋଟିସ କରାଗଲା ନାହିଁ। ଯଦି ନଜଣାଇ ମାପ ସରିଛି ଏବଂ ରିପୋର୍ଟ ଦିଆସରିଛି, ସେହି ରିପୋର୍ଟ ତାଙ୍କୁ ଦିଆଗଲେ ସେ ସଂଶୋଧନ କରିବେ। କିନ୍ତୁ ତହସିଲଦାର ତାଙ୍କୁ ସହଯୋଗ ନକରି ତୁରନ୍ତ ଫର୍ମ-‘ଖ’ ଇସ୍ୟୁ କରିଦେଲେ। ସେଥିରେ ୩୦ଦିନ ମଧ୍ୟରେ ଉକ୍ତ ଜବରଦଖଲ ଜାଗା ଉଚ୍ଛେଦ କରିବାକୁ ସୂଚନା ଦେଲେ। ଫଳରେ ସେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେଲେ। ଯାହାକି ଡବ୍ଲୁପିସି ନମ୍ବର ୧୩୯୯/୧୬.୦୧.୨୦୨୬ରେ ଅଭିଯୋଗକାରୀଙ୍କୁ ସହଯୋଗ କରିବାକୁ ଧର୍ମଶାଳା ତହସିଲଦାରଙ୍କୁ ଉଚ୍ଚନ୍ୟାୟାଳୟ ପକ୍ଷରୁ ଆଦେଶ ଦିଆଗଲା। ତା ସତ୍ତ୍ବେ ବି ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ତହସିଲଦାର ଖାତିର କଲେନାହିଁ। ବାଧ୍ୟ ହୋଇ ପ୍ରଣବ ନିଜଆଡ଼ୁ ରାଜ୍ୟ ସରକାରଙ୍କ ଏଲ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ଉକ୍ତ ଜମିର ମାପ ପାଇଁ ଅନ୍‌ଲାଇନ ଆବେଦନ କରି ସେ ବାବଦ ଅର୍ଥରାଶି ପୈଠ କରିଥିଲେ।

ଏହାପରେ ତହସିଲଦାର ୧୭.୦୨.୨୦୨୬କୁ ମାପ ପାଇଁ ସ୍ଥିର କଲେ। ୩ ଦିନ ଧରି ଫାର୍ମହାଉସ ସହ ଜବରଦଖଲ ହୋଇଥିବା ଜମିର ମାପ କରାଯାଇଥିଲା। ଏହି ମାପବେଳେ ତହସିଲଦାର ଜାଣିବାକୁ ପାଇଲେ ଯେ ଯେତିକି ସରକାରୀ ଜାଗା ଫାର୍ମହାଉସକୁ ଲାଗି ଘେରାଯାଇଛି, ତା’ ଠାରୁ ଅଧିକ ଅର୍ଥାତ୍‌ ୧.୨୭ ଏକର ରେକର୍ଡ ଜମି ଫାର୍ମହାଉସ ପା‌ଚେରି ବାହାରେ ରହିଛି। ଏହାପରେ କିଛି ସ୍ଥାନୀୟ ଅସାମାଜିକ ଯୁବକ ସେଠାରେ ପହଞ୍ଚି ମାପରେ ବାଧା ସୃଷ୍ଟି କଲେ। ଏ ବାବଦରେ ପ୍ରଣବ ତହସିଲଦାରଙ୍କୁ ଅଭିଯୋଗ କରିବାରୁ ଯିଏ ବି ବାଧାସୃଷ୍ଟି କରୁ ମାପ ଠିକ୍‌ ଭାବେ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଲେ। ତେବେ ୧୯ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାରେ ମାପଚୁପ ଠିକ୍‌ ହୋଇପାରିଲା ନାହିଁ ଏବଂ ତା’ର ରିପୋର୍ଟ ମଧ୍ୟ ତାଙ୍କୁ ଦିଆଗଲା ନାହିଁ।

ଆହୁରି ପଢ଼ନ୍ତୁ: Subhadra: ମହିଳା ଓ ଶିଶୁ ବିକାଶ ବିଭାଗର ସମୀକ୍ଷା ବୈଠକ: ‘ସୁଭଦ୍ରା’ ଯୋଜନାକୁ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ପ୍ରଶଂସା

ଏହାପରେ ସେ ୨୩ ତାରିଖ ଦିନ ତହସିଲଦାରଙ୍କୁ ଆଉ ଏକ ଆବେଦନ କରି ସେଥିରେ ଜଣାଇଲେ ଯେ, ତାଙ୍କର ରେକର୍ଡ ଜମିର ମାପ ସମ୍ପୂର୍ଣ୍ଣ କରିବାକୁ ଦିଆଯାଉ, ମାପ ସରିବା ପରେ ସେ ସମ୍ବନ୍ଧୀୟ କାଗଜପତ୍ର ତାଙ୍କୁ ହସ୍ତାନ୍ତର କରାଯାଉ ଏବଂ ମାପର ରିପୋର୍ଟ ଦେବା ପରେ ତାଙ୍କୁ ୩୦ ଦିନ ସମୟ ଦିଆଯାଉ, ଯେଉଁ ସମୟ ଭିତରେ ସେ ଜବରଦଖଲ କରିଥିବା ସରକାରୀ ଜାଗାକୁ ନିଜଆଡ଼ୁ ଭାଙ୍ଗିଦେବେ। କିନ୍ତୁ ତାହା ନ ଶୁଣି, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଓ ତାଙ୍କୁ ଅବଗତ ନକରାଇ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଗୋଷ୍ଠୀର ଚାପରେ ବଶବର୍ତ୍ତୀ ହୋଇ ୨୪ ତାରିଖ ଦିନ ତହସିଲର ଓ ସ୍ଥାନୀୟ ପୁଲିସ ପ୍ରଶାସନର ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଲା। ଜଣେ ସରକାରୀ ଅଧିକାରୀ ଭାବେ ସେ ସରକାରୀ ନିୟମ ତଥା କୋର୍ଟଙ୍କ ଆଦେଶକୁ ଅବମାନନା କରିଛନ୍ତି ବୋଲି ଶ୍ରୀ ବଳବନ୍ତରାୟ ଅଭିଯୋଗ କରିଛନ୍ତି। ତେବେ ଏ ସମ୍ପର୍କରେ ଧର୍ମଶାଳା ତହସିଲଦାର ସମୀର ରଂଜନ ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ନଉଠାଇବାରୁ ପ୍ରତିକ୍ରିୟା ମିଳିପାରିନାହିଁ।