ସରକାରୀ ଜମି ହଡ଼ପ ମାମଲା: ୪ ଅଧିକାରୀଙ୍କ ସମେତ ୮ ଜଣଙ୍କ ନାଁ ରେ ଚାର୍ଜସିଟ୍

ସମ୍ବଲପୁର : ବହୁଚର୍ଚ୍ଚିତ ସମ୍ବଲପୁର ଜମି ଦୁର୍ନୀତି ମାମଲାରେ ଜଣେ ପୂର୍ବତନ ଉପଜିଲ୍ଲାପାଳ, ଜଣେ ଭିଜିଲାନ୍ସ ଇନ୍‌ସପେକ୍ଟର ସହିତ ୪ ଜଣ ଅଧିକାରୀଙ୍କ ସମେତ ୮ ଜଣଙ୍କ ବିରୋଧରେ ସମ୍ବଲପୁର ଭିଜିଲାନ୍ସ ବିଭାଗ ଚାର୍ଜସିଟ୍ ଦାଖଲ କରିଛି। ଜମି ଦୁର୍ନୀତିରେ ଲିପ୍ତ ଥିବା ଏହି ସରକାରୀ ଅଧିକାରୀଙ୍କ ବିରୋଧରେ ଲମ୍ବା ଲଢ଼େଇ(୨୦୧୪ ମସିହାରୁ) ଜାରି ରଖିଥିବା ବୋର୍ଡ ଅଫ୍ ରେଭେନ୍ୟୁର ଅବସରପ୍ରାପ୍ତ ଅତିରକ୍ତ ସଚିବ ଅଶୋକ ପୁରୋହିତ ବିଳମ୍ବରେ ହେଲେ ମଧ୍ୟ ନ୍ୟାୟ ମିଳିଥିବା କହିଛନ୍ତି।

ଏକଦା ଭଲ କାମ କରୁଥିବା ନେଇ ସମ୍ବଲପୁର ଭିଜିଲାନ୍ସ ଇନ୍ସପେକ୍ଟର ପ୍ରବୀର କେଶରୀ ତ୍ରିପାଠୀ ରାଜ୍ୟପାଳଙ୍କଠାରୁ ପୁରସ୍କାର ପାଇଥିଲେ। ହେଲେ, ଗତ ୨୦୧୧ ମସିହାରେ ଇନ୍‌ସପେକ୍ଟର ଶ୍ରୀ ତ୍ରିପାଠୀଙ୍କ ପତ୍ନୀ କଳ୍ପନା ତ୍ରିପାଠୀ, ହାଇସ୍କୁଲରେ ଶିକ୍ଷକତା କରୁଥିବା ତାଙ୍କ ଭାଇ ପ୍ରତାପକେଶରୀ ତ୍ରିପାଠୀ, ତାଙ୍କ ସଂପର୍କୀୟ ବରଗଡ଼ ଗୋବିନ୍ଦପାଲିର ଅବସରପ୍ରାପ୍ତ କର୍ମଚାରୀ ବାସୁଦେବ ମିଶ୍ର ଏବଂ ସୋନପୁର ‌ଗୋକର୍ଣ୍ଣେଶ୍ବରପଡ଼ାର ଆଲୋକ ମିଶ୍ର ବେଆଇନ ଭାବେ ସରକାରୀ ଜମି ଅକ୍ତିଆର କରିଥିବା ଅଭିଯୋଗ ହୋଇଥିଲା। ସମ୍ବଲପୁର ସଦର-୧ ଆର୍‌ଆଇ ସର୍କଲର ରାନୀବନ୍ଧ ମୌଜାରେ ୧୦ ଡେସିମିଲ୍‌ ଲେଖାଏଁ ସରକାରୀ ଜମି ଘରଡ଼ିହ ପାଇଁ ବେଆଇନ ଭାବେ ଲିଜ୍ ସୂତ୍ରରେ ନେଇଥି‌ଲେ। ଏହି ଜମି ହାତେଇବା‌ରେ ସେମାନଙ୍କୁ ତତ୍କାଳୀନ ସମ୍ବଲପୁର ସଦର ତହସିଲଦାର ଅଜୟ ତିୱାରୀ ଓ ଜ୍ଞାନରଂଜନ ଭଂଜଦେଓ ଏବଂ ତତ୍କାଳୀନ ସଦର ଉପଜିଲ୍ଲାପାଳ ରାଇନୁ ସିଂ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ନେଇ ତତ୍କାଳୀନ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଅତିରିକ୍ତ ଅର୍ଥ ପରାମର୍ଶଦାତା ତଥା ଅନୁସଚିବ ଅଶୋକ ପୁରୋହିତ ଗତ ୨୦୧୪ ମସିହାରେ ସମ୍ବଲପୁର ଭିଜିଲାନ୍ସ ଅଧୀକ୍ଷକ ଏବଂ ସମ୍ବଲପୁର ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଥିଲେ।

ଭିଜିଲାନ୍ସ ବିଭାଗ ସମ୍ବଲପୁରର ଦୁଇ ପୂର୍ବତନ ତହସିଲଦାର ଅଜୟ ତିୱାରୀ ଓ ଜ୍ଞାନରଂଜନ ଭଂଜଦେଓ, ପୂର୍ବତନ ଉପଜିଲ୍ଲାପାଳ ରାଇନୁ ସିଂ, ପୂର୍ବତନ ଭିଜିଲାନ୍ସ ଇନ୍‌ସପେକ୍ଟର(ଏବେ ଲଇକେରା ଥାନା ଅଧିକାରୀ) ପ୍ରବୀର କେଶରୀ ତ୍ରିପାଠୀ, ଶ୍ରୀ ତ୍ରିପାଠୀଙ୍କ ପତ୍ନୀ କଳ୍ପନା ତ୍ରିପାଠୀଙ୍କ ସହିତ ପ୍ରତାପ କେଶରୀ ତ୍ରିପାଠୀ, ବାସୁଦେବ ମିଶ୍ର ଓ ଆଲୋକ ମିଶ୍ରଙ୍କ ନାମରେ ଗତ ଅକ୍ଟୋବର ୨୦୨୨ରେ ଚାର୍ଜସିଟ୍‌ ଦାଖଲ କରିଥିଲା। ରାଜ୍ୟ ମୁଖ୍ୟ ସୂଚନା କମିସନରଙ୍କ ନିର୍ଦ୍ଦେଶକ୍ରମେ ଗତ ୩୦ ଜାନୁଆରି ୨୦୨୩ରେ ପିଆଇଓ ଦାୟିତ୍ବରେ ଥିବା ସମ୍ବଲପୁର ଭିଜିଲାନ୍ସ ଡିଏସ୍‌ପି ଅଭିଯୋଗକାରୀ ଶ୍ରୀ ପୁରୋହିତଙ୍କୁ ଏହି ତଥ୍ୟ ଦାଖଲ କରିଛନ୍ତି। କେବଳ ସେତିକି ନୁହେଁ, ସମ୍ବଲପୁର ଭିଜିଲାନ୍ସର ପିଆଇଓ ଥିବା ଡିଏସ୍‌ପି ଜଣକ ତାଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ସୂଚନା କମିସନରଙ୍କଠାରେ ହୋଇଥିବା ଅଭିଯୋଗ ‌ମାମଲାର ବି ଏଣିକି ଶେଷ(କ୍ଲୋଜ୍) କରିବାକୁ ବି ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର