ସରକାରୀ ଅର୍ଥ ତୋଷାରପାତ ମାମଲା: ତତ୍କାଳୀନ ୨କନିଷ୍ଠ ଯନ୍ତ୍ରୀଙ୍କୁ ୨ବର୍ଷ ଜେଲ

ଜୟପୁର: ସରକାରୀ ଅର୍ଥ ତୋଷାରପାତ ମାମଲାରେ ଶୁଣାଣୀ କରି  ଦୁଇ ଅଭିଯୁକ୍ତଙ୍କୁ  ଦୋଷୀ ସାବ୍ୟସ୍ତ କରିଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା। ତତ୍କାଳୀନ ୨ଜଣ କନିଷ୍ଠଯନ୍ତ୍ରୀଙ୍କୁ ଦୁଇ ବର୍ଷ ସଶ୍ରମ କାରା ଦଣ୍ଡ ସହ ୧୦ହଜାର ଟଙ୍କା ଲେଖାଏଁ ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ  ହେଲେ ଆଉ ୩ମାସ ଲେଖାଏଁ ସଶ୍ରମ କାରାଦଣ୍ଡ ନିମନ୍ତେ ରାୟରେ ଉଲ୍ଲେଖ କରିଛନ୍ତି।

ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ଅନ୍ତର୍ଗତ ନନ୍ଦପୁର ବ୍ଲକର ପାଡୁଆ ପଂଚାୟତରେ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ବେଉରା ଓ ଦୁଷ୍ମନ୍ତ କୁମାର ନାୟକ ୨୦୦୨ମସିହା ଜୁଲାଇ ୩୧ତାରିଖରୁ ୨୦୦୬ମସିହା ଜାନୁଆରୀ ୪ତାରିଖ ପର୍ଯ୍ୟନ୍ତ ୨ଟି ରାସ୍ତା କାମ ଠିକାଦାର ସଦାନନ୍ଦ ହନ୍ତାଳ ଓ ମଧୁ ଖିଲ ନାଁରେ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କେସ୍ ବୁକରେ ଦର୍ଶାଇ ଟଙ୍କା ଉଠାଇଥିଲେ। ପୂର୍ବରୁ ଥିବା ରାସ୍ତା ଓ ନାଳ କାମକୁ ପୁଣିଥରେ କାମ କରିଥିବା ଜାଲିଆତି କରି  ସରକାରୀ ଅର୍ଥ ତୋଷାରପାତ ହୋଇଥିବା ଅଭିଯୋଗ ଭିଜିଲାନସ୍ ନିକଟରେ ୨୦୦୯ମସିହା ‌ଅକ୍ଟୋବର ୧୩ତାରିଖ ଦିନ  ହୋଇଥିଲା।

ଭିଜିଲାନସ୍ ତଦନ୍ତ କରି ୪ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲେ। ତଦନ୍ତ ବ‌େଳେ ଭିଜିଲାନସ୍ ନିକଟରେ ଉକ୍ତ ଟଙ୍କାର ଉପଯୁକ୍ତ କାଗଜପତ୍ର ଉଭୟ ଅଭିଯୁକ୍ତ ଦାଖଲ କରିପାରିନଥିଲେ। ସଦାନନ୍ଦ ଓମଧୁଙ୍କର ଏହି ମାମଲାରେ ସଂପୃ୍କ୍ତି ନଥିବା ମାମଲାର ଶୁଣାଣୀ ବେଳେ ଜଣା ପଡ଼ିବା ପରେ ଉଭୟଙ୍କୁ ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।  ଅନ୍ୟ ଦୁଇ ଅଭିଯୁକ୍ତ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ବେଉରା ଓ ଦୁଷ୍ମନ୍ତ କୁମାର ନାୟକଙ୍କୁ କନିଷ୍ଠଯନ୍ତ୍ରୀଙ୍କୁ ଦୁଇ ବର୍ଷ ସଶ୍ରମ କାରା ଦଣ୍ଡ ସହ ୧୦ହଜାର ଟଙ୍କା ଲେଖାଏଁ ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ  ହେଲେ ଆଉ ୩ମାସ ଲେଖାଏଁ ସଶ୍ରମ କାରାଦଣ୍ଡ ରହିବାକୁ ରାୟ ପ୍ରକାଶ କରିଛନ୍ତି। ସଂପ୍ରତି କନିଷ୍ଠ ଯନ୍ତ୍ରୀ ମନୋଜ ବେଉରା ଦଶମନ୍ତପୁର ବ୍ଲକରେ କାର୍ଯ୍ୟରତ ଥିବା ବେଳେ ଦୁଶ୍ମନ୍ତ କୁମାର ନାୟକ ଅବସର ନେ‌ଇଥିବା ସୂଚନା ମିଳିଛି। ସରକାରଙ୍କ ପକ୍ଷରୁ ଭାରପ୍ରାପ୍ତ ସ୍ବତନ୍ତ୍ର ପିପି ତଥା ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଶଶିଧର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର