ସରକାରୀ ଅର୍ଥ ଆତ୍ମସାତ ମାମଲା: ପୂର୍ବତନ ରେଞ୍ଜ ଅଫିସର ଓ ଫରେଷ୍ଟର ନିର୍ଦ୍ଦୋଷ ପ୍ରମାଣିତ

ବାଲେଶ୍ବର: ଦୀର୍ଘ ୨୭ ବର୍ଷ ଧରି ଅଦାଲତି ମାମଲା ଚାଲିବା ପରେ ସରକାରୀ ଅର୍ଥ ଆତ୍ମସାତ୍‌ ମାମଲାରୁ ଦୋଷମୁକ୍ତ ହୋଇଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ଡର ପୂର୍ବତନ ରେଞ୍ଜ ଅଫିସର ଅଶ୍ବିନୀ କୁମାର ମହାନ୍ତି ଓ ଫରେଷ୍ଟର ଯଶଚନ୍ଦ୍ର ନାୟକ। ବାଲେଶ୍ବର ଭିଜିଲାନ୍ସ ଅଦାଲତର ସ୍ବତନ୍ତ୍ର ଜଜ୍ ଶିଖାରାଣୀ ରଥ ଆଜି ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରି ସାକ୍ଷ୍ୟପ୍ରମାଣ ଅଭାବରୁ ଉଭୟଙ୍କ ବିରୋଧରେ ମାମଲା ଖାରଜ କରି ଦେଇଛନ୍ତି।

୧୯୯୫-୯୬ ମସିହାରେ କେନ୍ଦୁଝର ଜିଲ୍ଲାର ତତ୍କାଳୀନ ଡିଏଫ୍‌ଓ ଆନନ୍ଦପୁର ବନଖଣ୍ଡ ଅନ୍ତର୍ଗତ ଗୋଏଲମୁଣ୍ଡାରୁ ହାତୀଚପଲ ଗ୍ରାମ ପର୍ଯ୍ୟନ୍ତ ୮ କିମି ଜଙ୍ଗଲ ରାସ୍ତା ନିର୍ମାଣ ପାଇଁ ୨ ଲକ୍ଷ ୪୦ ହଜାର ଟଙ୍କା ମଞ୍ଜୁର କରିଥିଲେ। ତତ୍କାଳୀନ ରେଞ୍ଜ ଅଫିସର ଶ୍ରୀ ମହାନ୍ତି ରାସ୍ତା ନିର୍ମାଣ ଦାୟିତ୍ବରେ ଥିବାବେଳେ କାମ ଠିକ୍‌ ଭାବେ ନ କରି ସେଥିରୁ ୬୩ ହଜାର ୫୭୫ ଟଙ୍କା ଆତ୍ମସାତ୍‌ କରିଥିବାର ବାଲେଶ୍ବରର ତତ୍କାଳୀନ ଭିଜିଲାନ୍ସ ଏସ୍‌ପିଙ୍କ ନିକଟରେ ଅଭିଯୋଗ  ହୋଇଥିଲା। ଏ ନେଇ ଅଦାଲତ୍‌ରେ ୧୩(୨)/୧୩(୧) ଧାରା(ଘ), ଦଫା ୪୦୯, ୪୬୮, ୪୭୧, ୪୭୭(କ) ଓ ୧୨୩ (ଖ)ରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା। ବିଚାର ସମୟରେ ସରକାରଙ୍କ ତରଫରୁ ୧୮ ଜଣଙ୍କ ସାକ୍ଷୀ ଓ ୮ଟି ଦଲିଲ ଦସ୍ତାବିଜ୍‌କୁ ବିଚାର ପରିସରଭୁକ୍ତ କରାଯାଇଥିବାବେଳେ ଅଭିଯୁକ୍ତଙ୍କ ତରଫରୁ ୩ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ସମସ୍ତ ସାକ୍ଷ୍ୟ ଓ ଦଲିଲ୍‌ ଦସ୍ତାବିଜ୍‌ର ବିବରଣୀକୁ ସମୀକ୍ଷା କରି ଅଦାଲତ ପୂର୍ବତନ ରେଞ୍ଜ ଅଫିସର ଶ୍ରୀ ମହାନ୍ତି ଓ ଫରେଷ୍ଟର ଯଶଚନ୍ଦ୍ର ନାୟକଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ମହାନ୍ତିଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅରବିନ୍ଦ ବାରିକ, ଚନ୍ଦନ କୁମାର ସିଂହ ଓ ଜୟନ୍ତୀ ବାରିକ ମାମଲା ପରିଚାଳନା କରିଥିବା ବେଳେ ଶ୍ରୀ ନାୟକଙ୍କ ପାଇଁ ଆଇନଜୀବୀ ଶଶିଶେଖର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର