ସରକାର ନିଜେ ଗଚ୍ଛିତ ଲୁହାପଥର ବିକ୍ରି କରନ୍ତୁ: ବିଜେପି

ପୁରୁଣା ଲିଜ୍‌ଧାରୀଙ୍କୁ ଲୁହାପଥର ଉଠାଇବା ପାଇଁ ଅବଧି ବୃଦ୍ଧି ପ୍ରସଙ୍ଗ
ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

କେନ୍ଦୁଝର/ଭୁବନେଶ୍ବର : କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଲୁହାପଥର ଖଣିରେ ପୁରୁଣା ଲିଜ୍‌ଧାରୀଙ୍କ ୧୬ ନିୟୁତ ଟନ୍‌ରୁ ଅଧିକ ଲୁହାପଥର ଗଚ୍ଛିତ ଅଛି। ଗଚ୍ଛିତ ଲୁହାପଥର ଉଠାଇବାକୁ ପୁରୁଣା ଲିଜ୍‌ଧାରୀଙ୍କୁ ଅଧିକ ମାସେ ସମୟ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ତାତିଛନ୍ତି ବିରୋଧୀ। ଏଭଳି ନିଷ୍ପତ୍ତି ଦ୍ବାରା ସରକାର ୧୦ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ରାଜସ୍ବ ହରାଇବେ ବୋଲି ଅଭିଯୋଗ କରିଛନ୍ତି।

ଏନେଇ ‘ସମ୍ବାଦ’ର ୭ ତାରିଖ ସଂସ୍କରଣରେ ପ୍ରକାଶ ପାଇବା ପରେ ଆଜି ରାଜ୍ୟ ବିଜେପି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳୀୟ ନେତାମାନେ ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ସରକାର ନିଜେ ଗଚ୍ଛିତ ଲୁହାପଥରକୁ ବିକ୍ରି କରି ରାଜସ୍ବ ବୃଦ୍ଧି କରିବାକୁ ଦାବି କରିଛନ୍ତି। ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧ‌ାନଙ୍କୁ ଚିଠି ଲେଖି ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି, ଏମ୍‌ଏମ୍‌ଡିଆର୍‌ ଆକ୍ଟ ଜିଜି-୧୨ ଏବଂ ଏଚ୍ଏ‌ଚ୍‌-୧୨ ଆଧାରରେ ପୁରୁଣା ଲିଜ୍‌ଧାରୀମାନେ ଗଚ୍ଛିତ ଲୁହାପଥର ଉଠାଇ ପାରି ନ ଥିବାବେଳେ ଏବେ ରାଜ୍ୟ ସରକାର ସେମାନଙ୍କୁ ଅଣ୍ଡରଟେକିଂ ଜରିଆରେ ଗଚ୍ଛିତ ଲୁହାପଥର ଉଠାଇବା ପାଇଁ ମାସେ ମହଲତ ଦେବା ସେମାନଙ୍କ ପ୍ରତି ଅହେତୁକ ଅନୁକମ୍ପାକୁ ଦର୍ଶାଉଛି। ଏହି ଅନୁକମ୍ପା ପାଇଁ ସରକାର ୧୦ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରାଜସ୍ବ ହରାଇବେ। ବର୍ତ୍ତମାନ କରୋନା ସମୟରେ ରାଜ୍ୟ ସରକାରଙ୍କୁ ଅଧିକ ଅର୍ଥର ଆବଶ୍ୟକତା ରହିଛି। ଗଚ୍ଛିତ ଲୁହାପଥର ବିକ୍ରି କରାଯାଇପାରିଲେ ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ ହୋଇପାରନ୍ତା। ଲୁହାପଥର ଅଭାବ ମଧ୍ୟ ଦୂର ହୋଇଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ମୁକେଶ ମହାଲିଙ୍ଗ, ମୁଖପାତ୍ର ଠାକୁର ରଣଜିତ ଦାସ ଉପସ୍ଥିତ ଥିଲେ।

ଏ ସମ୍ପର୍କରେ ଖଣି ବିଭାଗର ଯୁଗ୍ମ ସଚିବ ଉମେଶ ଜେନାଙ୍କୁ ପଚାରିବାରୁ, ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସରକାର ବିଚାର କରି ପୁରୁଣା ଲିଜ୍‌ଧାରୀଙ୍କୁ ମା‌ସେ ମହଲତ ଦେବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ପୁରୁଣା ଲିଜ୍‌ଧାରୀଙ୍କୁ ଅଣ୍ଡରଟେକିଂ ଦେବାକୁ କୁହାଯାଇଥିଲା। ଏଯାଏ କେହି ଅଣ୍ଡରଟେକିଂ ଦେଇନାହାନ୍ତି ବୋଲି ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର