ସମବାୟ ବିଭାଗର ୭ ବର୍ଷର ରିପୋର୍ଟ: ଦୁର୍ନୀତିରେ ଲିପ୍ତ ୩୬୪ ସମବାୟ କର୍ମଚାରୀ

ସନ୍ଦେହରେ ଶୀର୍ଷ ଅଧିକାରୀ

ଭୁବନେଶ୍ବର, ୨୧/୩(ଇମିସ): ସମବାୟ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ଗତ ୭ ବର୍ଷରେ ରାଜ୍ୟର ୩୬୪ ସମବାୟ କର୍ମଚାରୀ ଦୁର୍ନୀତି, ଠକେଇ ଏବଂ ଅନିୟମିତତାରେ ସଂପୃକ୍ତ ଅଛନ୍ତି। ୨୦୧୬ ରୁ ୨୦୨୨ ମସିହା ମଧ୍ୟରେ ଏଭଳି କୌଣସି ବର୍ଷ ନାହିଁ, ଯେଉଁ ବର୍ଷ ସମବାୟ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି କିମ୍ବା ଅନିୟମିତତା ସଂପୃକ୍ତି ଘଟଣା ପଦାକୁ ଆସି ନାହିଁ। କିନ୍ତୁ ବିଭିନ୍ନ ଚାଷୀ ସଙ୍ଗଠନ ଏବଂ ବିଶେଷଜ୍ଞଙ୍କ ତଥ୍ୟ ଅନୁସାରେ ସଂଖ୍ୟା ଏତିକିରେ ସୀମିତ ନାହିଁ। ରିପୋର୍ଟଠାରୁ କାହିଁରେ କେତେ ଅଧିକ ସଂଖ୍ୟକ କର୍ମଚାରୀ ଦୁର୍ନୀତି ଏବଂ ଅନିୟମିତତାରେ ସଂପୃକ୍ତ ଅଛନ୍ତି। ଅନ୍ୟଦିଗରେ ତଳୁଆ କର୍ମଚାରୀଙ୍କ ଏହି ଦୁର୍ନୀତିରେ ଶୀର୍ଷ ଅଧିକାରୀଙ୍କ ଭୂମିକା ନେଇ ଆଲୋଚନା ଆରମ୍ଭ ହୋଇଛି।

ସମବାୟ ବିଭାଗ ସୂଚନାନୁସାରେ ଗତବର୍ଷ ରାଜ୍ୟର ସମୁଦାୟ ୨୭୧୦ରୁ ୨୫୪୮ ସମିତିରେ ଧାନ ସଂଗ୍ରହ କରାଯାଇଥିଲା। ଚାଷ ଏବଂ ଚାଷୀଙ୍କ ସ୍ବାର୍ଥ ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ସମସ୍ତ ଯୋଜନା ସମିତି ଜରିଆରେ କରାଯାଏ। ଯଦିଓ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାନ ସଂଗ୍ରହ କରାଯାଏ, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସମବାୟ ସମିତିଗୁଡ଼ିକ ଏଜେନ୍ସି ଭାବରେ ସିଧାସଳଖ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରିଥାଆନ୍ତି। କୃଷି ଋଣ ପ୍ରଦାନ ସହିତ ରିହାତି ଦରରେ କୀଟନାଶକ, ସାର ବିକ୍ରି ଦାୟିତ୍ବ ରାଜ୍ୟ ସରକାର ସମିତିମାନଙ୍କୁ ଦେଇଛନ୍ତି। ଠିକ ସମୟରେ ଗୁଣାତ୍ମକ ସାର ଏବଂ କୀଟନାଶକ ଚାଷୀଙ୍କ ପାଖରେ ନ ପହଞ୍ଚିଲେ ,ଚାଷୀଙ୍କୁ କୌଣସି ଲାଭ ମିଳେ ନାହିଁ। ସେହିଭଳି ଚାଷୀ ଆତ୍ମହତ୍ୟା ରୋକିବା ପାଇଁ ରାଜ୍ୟ ସରକାର ପ୍ରତିବର୍ଷ କୋଟିକୋଟି ଟଙ୍କାର କୃଷି ଋଣ ଦେଉଛନ୍ତି। ମାତ୍ର ଏଥିରେ ସର୍ବାଧିକ ଅନିୟମିତତା ହୁଏ। ଚାଷୀଙ୍କ ସରଳତାର ଫାଇଦା ଉଠାଇ ଚାଷୀ ପରିଚୟ ପତ୍ର ଜରିଆରେ କର୍ମଚାରୀମାନେ କୃଷି ଋଣ ଉଠାଇ ନିଅନ୍ତି ଏବଂ ଏହାର ପରିଶୋଧ ମଧ୍ୟ ହୁଏ ନାହିଁ।

ଗୋଟିଏ ପଟରେ ଚାଷୀଙ୍କ ନାଁରେ ଋଣ ଗଡ଼େ ଏବଂ ସମବାୟ ସମିତି ଏବଂ ବ୍ୟାଙ୍କଗୁଡ଼ିକ ଆର୍ଥିକ ଚାପର ସମ୍ମୁଖୀନ ହୁଅନ୍ତି। ଉଦାହରଣ ସ୍ବରୂପ ହେଲା, ଦୁର୍ନୀତି ଯୋଗୁଁ ୩ ବର୍ଷ ହେଲା ବଲାଙ୍ଗୀର ଜିଲ୍ଲାର ସୋହେଲା ସମବାୟ ସମିତି ବନ୍ଦ ପଡ଼ିଛି। ଏଥିଯୋଗୁଁ କର୍ମଚାରୀଙ୍କ ଅପେକ୍ଷା ଚାଷୀମାନେ ହିଁ କ୍ଷତିଗ୍ରସ୍ତ ହେଉଛନ୍ତି। ସମିତି ଉପରେ କୋଟି-କୋଟି ଟଙ୍କାର ଋଣ ବୋଝ ମଧ୍ୟ ଆଉ ଏକ ସମସ୍ୟା। ଯାହା କେବେ ପରିଶୋଧ ହେବ ନାହିଁ। କିଛି ଦିନ ପୂର୍ବରୁ ଜାରି ଅଡିଟ ରିପୋର୍ଟରେ ବଲାଙ୍ଗୀର, ବଂଶାଜାଲ, କେନ୍ଦ୍ରାପଡ଼ା ଠାରୁ ଆରମ୍ଭ କରି କଟକ ସମବାୟ ବ୍ୟାଙ୍କର କୋଟି କୋଟି ଟଙ୍କାର ମିଛ ଋଣ କାରବାର ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ଏଥିରେ ସମବାୟ କର୍ମଚାରୀଙ୍କ ସଂପୃକ୍ତି ବିଷୟରେ ସବିସ୍ତୃତ ତଥ୍ୟ ଦିଆଯାଇଛି। ବିଶେଷଜ୍ଞଙ୍କ ଅନୁସାରେ, ରାଜ୍ୟରେ ସମବାୟ ଦୁର୍ନୀତି ସାଧାରଣ ଘଟଣା। ତୃଣମୂଳସ୍ତର ପର୍ଯ୍ୟନ୍ତ କର୍ମଚାରୀମାନଙ୍କ ସଂପୃକ୍ତି ରହିଥିବାରୁ ତାଙ୍କ ନାଁ, କିନ୍ତୁ ଶୀର୍ଷ ଅଧିକାରୀ ଧରାପଡ଼ନ୍ତି ନାହିଁ। ଦୁର୍ନୀତି ମୂଳକୁ ଖୋଜି କାର୍ଯ୍ୟାନୁଷ୍ଠାନ କରାନଯିବା ପର୍ଯ୍ୟନ୍ତ ପ୍ରତିବର୍ଷ ଦୁର୍ନୀତିଗ୍ରସ୍ତ ସମବାୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଥିବ ସିନା ଦୁର୍ନୀତିର ମୂଳୋତ୍ପାଟନ ହେବ ନାହିଁ। କର୍ମଚାରୀ ଏବଂ ଅଧିକାରୀଙ୍କ ଦୁର୍ନୀତି ଯୋଗୁଁ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଚାଷୀ ହିଁ କ୍ଷତିଗ୍ରସ୍ତ ହେଉଛି।

ସମ୍ବନ୍ଧିତ ଖବର