ଆଜିଠାରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ୍‌

କଟକଣା‌ରେ ପାଳନ ହେବ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ

ଭୁବନେଶ୍ବର : ରାଜ୍ୟରେ କରୋନା ଦ୍ରୁତ ସଂକ୍ରମଣକୁ ଆଖି ଆଗରେ ରଖି ସରକାରୀ କର୍ମଚାରୀଙ୍କ ପାଇଁ ଆଜିଠାରୁ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ସରକାର ନୂଆ କଟକଣା ଜାରି କରିଛନ୍ତି। ପ୍ରତ୍ୟେକ ବିଭାଗ ଅଧା କର୍ମଚାରୀଙ୍କୁ ନେଇ କାମ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାମ କରିବେ। କର୍ମଚାରୀଙ୍କ ପାଇଁ କର୍ତ୍ତୃପକ୍ଷ ରୋଷ୍ଟର ଡ୍ୟୁଟି ଧାର୍ଯ୍ୟ କରିବେ। ଗର୍ଭବତୀ ଓ ଦିବ୍ୟାଙ୍ଗ କର୍ମଚାରୀଙ୍କୁ ଅଫିସ୍‌ ଆସିବା କିମ୍ବା ୱାର୍କ ଫ୍ରମ୍‌ ହୋମ୍‌ କରିବାକୁ ବାଧ୍ୟ ନ କରିବାକୁ କୁହାଯାଇଛି।

ତେବେ ଏସ୍‌ଆର୍‌ସି, ଓସ୍‌ଡମା, ପୁଲିସ୍‌ ଥାନା, ଅଗ୍ନିଶମ ସେବା, ସ୍ବାସ୍ଥ୍ୟ ସେବା, ମହାନଗନର ନିଗମ ଅଫିସ ସମେତ ଯେଉଁ ଅଫିସଗୁଡ଼ିକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସହ ସଂଶ୍ଳିଷ୍ଟ ଅଛନ୍ତି ସେଗୁଡ଼ିକୁ ଏହି କଟକଣାରୁ ବାଦ୍‌ ଦିଆଯାଇଛି। ଏହି ଅଫିସଗୁଡ଼ିକ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ସେହିଭଳି ଷ୍ଟାଫ୍‌ ସିଲେକ୍ସନ କମିସନ, ପବ୍ଲିକ୍‌ ସର୍ଭିସ୍‌ କମିସନ, ସବ୍‌ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ କମିସନ ପ୍ରଭୃତି ଅଫିସ୍‌ଗୁଡ଼ିକ ୭୫ ଭାଗ କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ରୋଷ୍ଟର୍‌ ଆଧାରରେ ଅଫିସ ଆସିବେ। ଗ୍ରୁପ୍‌-ଏ ଅଧିକାରୀଙ୍କୁ ମିଶାଇ ସର୍ବମୋଟ୍‌ ୫୦% କର୍ମଚାରୀ ଅଫିସରେ ଉପସ୍ଥିତ ରହିବେ। ଯେଉଁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଭିପିଏନ୍‌ ବ୍ୟବସ୍ଥା ଯୋଗାଇ ଦିଆଯାଇଛି, ସେମାନେ ଘରୁ କାମ କରିପାରିବେ। ଅଫିସ୍‌ ଆସୁଥିବା କର୍ମଚାରୀମାନେ କୋଭିଡ୍‌ ସଂକ୍ରମଣ ପ୍ରତିହତ ପାଇଁ ଥିବା ସମସ୍ତ ପ୍ରକାର ସତର୍କତା ନିୟମ ଅନୁପାଳନ କରିବାକୁ ପ୍ରମୁଖ ଶାସନ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

କଟକଣା‌ରେ ପାଳନ ହେବ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ; ସାଧାରଣ ଲୋକ, ସାମ୍ବାଦିକଙ୍କୁ ବାରଣ

ଭୁବନେଶ୍ବର : ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କୋଭିଡ୍‌ କଟକଣା ଅନୁଯାୟୀ ଏହାକୁ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ବୈଠକରେ ଅଧ୍ୟକ୍ଷତା କରି କାର୍ଯ୍ୟସୂଚୀର ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି। ସାଧାରଣ ଲୋକ ଓ ସାମ୍ବାଦିକଙ୍କୁ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ପ୍ରତିବର୍ଷ ପରି ଏହି ମହୋତ୍ସବ ଖୁବ୍‌ ସଂକ୍ଷିପ୍ତ ସମୟ‌ରେ ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ।

ସକାଳେ ଭୁବନେଶ୍ବରରେ ରାମଧୂନ୍‌ ପରିକ୍ରମା ହେବା ସହ ରାଜଭବନରୁ ଏଜି ଛକ ଓ ମହାତ୍ମା ଗାନ୍ଧୀ ମାର୍ଗ ଉତ୍ସବସ୍ଥଳ ପର୍ଯ୍ୟନ୍ତ ଜାତୀୟ ପତାକାରେ ସଜାଯିବ। ସାଧାରଣ ଲୋକଙ୍କ ପାଇଁ ପ୍ରମୁଖ ଜାଗାମାନଙ୍କରେ ଭିଡିଓ ୱାଲ୍‌ ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ। ସମ୍ବାଦ ପ୍ରସାରଣ ପାଇଁ କମନ୍‌ଫିଡ୍‌ ଜରିଆରେ ବ୍ୟବସ୍ଥା କରାଯିବ। ସମ୍ବାଦ ପ୍ରକାଶନ ପାଇଁ ଗଣମାଧ୍ୟମ ସଂସ୍ଥାଙ୍କୁ ବିଭାଗ ପକ୍ଷରୁ ଫଟୋ ଓ ସୂଚନା ପ୍ରଦାନ କରାଯିବ।

ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ, ‘ଉତ୍କଳ ପ୍ରସଙ୍ଗ’ର ସଂପାଦକ ଡ. ଲେନିନ୍‌ ମହାନ୍ତି, ବିଭାଗୀୟ ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର