ଭିଜିଲାନ୍ସ ଜାଲରେ ସରକାରୀ ବାବୁ: ମିଳିଲାଣି ୧.୭୧ କୋଟିର ସମ୍ପତ୍ତି

ଗଜପତିର ପୂର୍ବତନ ସିଏସ୍‌ଓ, ବର୍ତ୍ତମାନ ଭୁବନେଶ୍ବର ମୁଖ୍ୟାଳୟରେ କାର୍ଯ୍ୟରତ

ବ୍ରହ୍ମପୁର/ଛତ୍ରପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖାଦ୍ୟ ଓ ଯୋଗାଣ ବିଭାଗ ଭୁବନେଶ୍ୱର ମୁଖ୍ୟାଳୟରେ କାର୍ଯ୍ୟରତ ଥିବା ଯୋଗାଣ ଅଧିକାରୀ(ସିଏସ୍‌ଓ) ତଥା ଗଜପତି ଜିଲ୍ଲାର ପୂର୍ବତନ ସିଏସ୍ଓ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି। ଭିଜିଲାନ୍ସ ବିଭାଗର ୫ଟି ଟିମ୍‌ ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ କରିଛି। ବ୍ରହ୍ମପୁର ଖାରବେଳ ନଗରସ୍ଥିତ ଦୁଇ ମହଲା କୋଠା ସମେତ ଛତ୍ରପୁର ରାମନଗରସ୍ଥିତ ଦୁଇ ମହଲା କୋଠା, ରାମନଗରରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ, ଅନାଦିଙ୍କ ପୁଅ ସୌମ୍ୟରଂଜନ ବେହେରାଙ୍କ ନାମରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରଠାରେ ଥିବା ମା’ ରେସିଡେନ୍ସି ନାମକ ଏକ ଓୟୋ ହୋଟେଲ ଓ ବଡ଼ଝିଅ ଡା. ନିବେଦିତା ବେହେରା ରହୁଥିବା ବାଲେଶ୍ୱର ଜିଲ୍ଲା ଅଙ୍ଗାରଗାଡ଼ିଆସ୍ଥିତ ବାସଭବନରେ ଏକକାଳୀନ ଚଢ଼ଉ କରାଯାଇଛି। ଯାଞ୍ଚ ସରିବାପରେ ଭିଜିଲାନ୍ସ ବିଭାଗ ସିଏସ୍‌ଓ ସେଠୀଙ୍କ ନାମରେ ୧କୋଟି ୭୧ଲକ୍ଷ ୩୫ହଜାର ୮୯୪ ଟଙ୍କାର ସ୍ଥାବରଅସ୍ଥାବର ସମ୍ପତ୍ତି ରହିଥିବା ନେଇ ତାଲିକା ପ୍ରସ୍ତୁତ କରିଛି। ଚଢ଼ଉରେ ଭିଜିଲାନ୍ସର ୪ଜଣ ଡିଏସ୍‌ପି, ୧୦ଜଣ ଇନ୍‌ସ୍ପେକ୍ଟର୍‌ଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ରହିଛନ୍ତି।

ଯୋଗାଣ ଅଧିକାରୀ ସେଠୀ ପୂର୍ବରୁ ଗଜପତି ଜିଲ୍ଲାରେ ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ବର୍ତ୍ତମାନ ସେ ଯୋଗାଣ ବିଭାଗର ଭୁବନେଶ୍ବରସ୍ଥିତ ମୁଖ୍ୟାଳୟରେ କାର୍ଯ୍ୟରତ। ତାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା। ବ୍ରହ୍ମପୁରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଅନୁମତି କ୍ରମେ ଆଜି ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଛତ୍ରପୁରଠାରେ ଡିଏସ୍‌ପି ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା। ଭିଜିଲାନ୍ସ ଟିମ୍‌ ସିଏସ୍‌ଓ ସେଠୀଙ୍କ ବ୍ୟାଙ୍କ ଜମା, ଜମି, ଘର ସହିତ ଅନ୍ୟାନ୍ୟ ସମ୍ପତ୍ତି ଉପରେ ତଥ୍ୟ ବାହାର କରି ସମ୍ପତ୍ତି ତାଲିକା ପ୍ରସ୍ତୁତ କରିଛନ୍ତି। ଛତ୍ରପୁରରେ ଥିବା ଘର ୪୩ ଲକ୍ଷ ୭୭ହଜାର ୫୫୫ ଟଙ୍କା ହୋଇଥିବାବେଳେ ମାକ‌େର୍ଟ ‌କମ୍ପ୍ଲେକ୍ସ ୩୪ଲକ୍ଷ ୪୧ହଜାର ଟଙ୍କା ହେବ ବୋଲି ଭିଜିଲାନ୍ସ ବିଭାଗ ଆକଳନ କରିଛି। ବ୍ରହ୍ମପୁର ଲୋଚାପଡ଼ା ମୌଜା ଖାରବେଳ ନଗରରେ ଥିବା ଘର ଓ ଜମିର ମୂଲ୍ୟ ୫୭ଲକ୍ଷ ୮୮ହଜାର ଟଙ୍କା, ପଥରାରେ ଥିବା ୧ଲକ୍ଷ ୪୧ହଜାର ଟଙ୍କାର ଏକ ପ୍ଲଟ୍‌ ଓ ଚିକଲଖଣ୍ଡିରେ ୨୦ହଜାର ଟଙ୍କାର ଏକ ପ୍ଲଟ୍‌ ରହିଥିବା ଭିଜିଲାନ୍ସ ବିଭାଗ ଆକଳନ କରିଛି। ସେହିପରି, ୭ଲକ୍ଷ ୭୧ହଜାର ଟଙ୍କାର ଘର କରଣା ସାମଗ୍ରୀ ରହିଥିବାବେଳେ ସିଏସ୍‌ଓ ସେଠୀଙ୍କ ପରିବାରବର୍ଗଙ୍କ ନାମରେ ୧ଲକ୍ଷ ୪୭ହଜାର ଟଙ୍କାର ବ୍ୟାଙ୍କ ଜମା ଓ ୧୫ଲକ୍ଷ ୭୮ହଜାର ଟଙ୍କାର ପୋଷ୍ଟ୍‌ ଅଫିସ୍‌ ଜମା ରହିଥିବା ଭିଜିଲାନ୍ସ ବିଭାଗ ତାଲିକା ପ୍ରସ୍ତୁତ କରିଛି। ଏ ଦିଗରେ ଅଧିକ ତଦନ୍ତ ଜାରି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ଏସ୍‌.ପି. ତ୍ରିଲୋଚନ ସ୍ବାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର