୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ କାର୍ଯ୍ୟାଳୟ

ଦ୍ବିତୀୟ ଡୋଜ୍‌ ଟିକା ନେଇଥିବା କର୍ମଚାରୀ ଅଫିସ୍‌ ଆସିବାକୁ ବାଧ୍ୟ

ଭୁବନେଶ୍ବର : ରାଜ୍ୟରେ ଆଜିଠାରୁ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ଆଦେଶନାମା ଜାରି କରାଯାଇଛି। ଯେଉଁ କର୍ମଚାରୀମାନେ ଦ୍ବିତୀୟ ଡୋଜ୍‌ ଟିକା ନେଇ ସାରିଛନ୍ତି, ସେମାନେ କାର୍ଯ୍ୟରେ ଯୋଗ ଦେବା ପାଇଁ ସରକାର ବାଧ୍ୟତାମୂଳକ କରିଛନ୍ତି। ସମସ୍ତ ବିଭାଗ ଓ ସବ୍‌ଅର୍ଡିନେଟ୍‌ କାର୍ଯ୍ୟାଳୟଗୁଡ଼ିକରେ ଉପ ଶାସନ ସଚିବ(ଡେପୁଟି ସେକ୍ରେଟାରି) କିମ୍ବା ତଦୂର୍ଦ୍ଧ୍ବ ପାହ୍ୟାର ଅଧିକାରୀମାନେ ନିୟମିତ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି। ଏହି ବ୍ୟବସ୍ଥା ଆଜିଠାରୁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଦେଶନାମା ପ୍ରକାଶ ପାଇଛି।

କିଏ କେତେବେଳେ ଡ୍ୟୁଟି କରିବେ, ରୋଷ୍ଟର ଡ୍ୟୁଟିରେ କେଉଁମାନେ ରହିବେ ସେ ନେଇ ବିଭଗୀୟ ମୁଖ୍ୟମାନେ ନିଷ୍ପତ୍ତି ନେବେ। ତେବେ ଟିକା ନେଇ ନ ଥିବା କର୍ମଚାରୀମାନେ ରୋଷ୍ଟର ଡ୍ୟୁଟି କରିପାରିବେ। ଯେଉଁମାନେ ରୋଷ୍ଟର ଡ୍ୟୁଟି କରିବେ ନାହିଁ; ସେମାନେ ଯେଭଳି ଘରୁ କାମ କରିବେ ସେ ନେଇ ବିଭାଗୀୟ ମୁଖ୍ୟମାନେ ନିଶ୍ଚିତ କରିବେ। ଘରୁ କାମ କରୁଥିବା କର୍ମଚାରୀର କାର୍ଯ୍ୟ ପରିମାଣ ବିଷୟରେ ବିଭାଗୀୟ ଅଧିକାରୀମାନେ ନିଷ୍ପତ୍ତି ନେବେ। ଜରୁରୀ ସେବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟାଳୟ ଯଥା; ସ୍ବତନ୍ତ୍ର ରିଲିଫ୍‌ କମିସନ, ଓଡ଼ିଶା‌ ରାଜ୍ୟ ବିପର୍ଯ୍ୟୟ ପରିଚାଳନା‌ କର୍ତ୍ତୃପକ୍ଷ(ଓସ୍‌ଡ୍‌ମା) ପୁଲିସ୍, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ମ୍ୟୁନିସିପାଲିଟି ଓ ମହାନଗର ନିଗମଗୁଡ଼ିକ ପୂର୍ଣ୍ଣ କ୍ଷମତା ବା ଶତପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବ। ଯେଉଁମାନେ ଘରୁ କାମ କରିବେ ସେମାନେ ପ୍ରତ୍ୟେକ ମୁହୂର୍ତ୍ତରେ ଟେଲିଫୋନ୍‌ରେ ଉପଲବ୍ଧ ହେବାକୁ ପ୍ରସ୍ତୁତ ରହିବେ। ‌ତେବେ ଦିବ୍ୟାଙ୍ଗ ଓ ଗର୍ଭବତୀ ମହିଳା କର୍ମଚାରୀମାନେ ଘରୁ କାମ କରିବା ବା ଅଫିସ୍‌ ଆସି କାମ କରିବାରୁ ମୁକ୍ତ ରଖାଯାଇପାରେ ବୋଲି ଆଦେଶନାମା ଜରିଆରେ ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର