ବାରିପଦା : କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ ଦୁଇ ଜଣ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାକୁ ବିରୋଧ କରିଛି ମୟୂରଭଞ୍ଜ ଜିଲ୍ଲା ସରକାରୀ କର୍ମଚାରୀ ସଂଘ। ଏହାର ପ୍ରତିବାଦରେ ଆଜି ଜିଲ୍ଲାର ୪ଟି ଉପଖଣ୍ଡର ସମସ୍ତ ସରକାରୀ କର୍ମଚାରୀ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟାଳୟକୁ ଆସିଥିଲେ। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠାରୁ ନେଇ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ଯାଏ ସମସ୍ତେ କଳାବ୍ୟାଜ୍ ପିନ୍ଧିବା ସହ ମନ୍ତ୍ରୀଙ୍କ କାର୍ଯ୍ୟକୁ ନିନ୍ଦା କରିଥିଲେ। ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୩ ଦିନ ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି କୁହାଯାଇଛି।
ଏ ସଂକ୍ରାନ୍ତରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ କହିଛନ୍ତି, ଆମେ ସମସ୍ତେ ଏହି କାର୍ଯ୍ୟକୁ ନିନ୍ଦା କରୁଛୁ। ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଇନ ତା’ ବାଟରେ କାର୍ଯ୍ୟ କରିବ। ଅନ୍ୟପକ୍ଷରେ ମାଡ଼ ଘଟଣା ପରଦିନ ଦିଲ୍ଲୀ ପଳାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ ଆଜି ମୟୂରଭଞ୍ଜ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ମନ୍ତ୍ରୀଙ୍କ ଆଚରଣକୁ କଡ଼ା ଭାଷାରେ ନିନ୍ଦା କରିଛି ଜିଲ୍ଲା କଂଗ୍ରେସ। ଜଣେ କେନ୍ଦ୍ରମନ୍ତ୍ରୀ ଏଭଳି ଆଚରଣ ଦେଖାଇବା ପରିତାପର ବିଷୟ। ତେଣୁ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ଆଜି ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ଦେଇଛନ୍ତି ଜିଲ୍ଲା କଂଗ୍ରେସର ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ବିଜନ ଦାସ ଓ ବାରିପଦା ନଗର କଂଗ୍ରେସ ସଭାପତି ଶାନ୍ତନୁ କୁମାର ପାଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/collector-mayurbhanj-bharatwaj.jpg)