ଭୁବନେଶ୍ୱର : ନିଜ ନିଜ ଜିଲ୍ଲାରେ କୋଭିଡ୍ର ପରିବର୍ତ୍ତିତ ସ୍ଥିତିକୁ ଭଲ ଭାବେ ବିଶ୍ଲେଷଣ କର। ପରବର୍ତ୍ତୀ ସଙ୍କଟକୁ ପରିଚାଳନା କରିବା ପାଇଁ ରଣନୀତିକୁ ବଦଳାଅ। ଅଗଷ୍ଟ ଶେଷ ପର୍ଯ୍ୟନ୍ତ ସବୁ ପ୍ରକାର ଆଗୁଆ ବ୍ୟବସ୍ଥା କର। ଆଜି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମ୍ଓ)ମାନଙ୍କୁ ଏମିତି ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।
ଲୋକସେବା ଭବନରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଜିଲ୍ଲାୱାରି କୋଭିଡ୍ ସ୍ଥିତିର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ। ଏଥିରେ ମୁଖ୍ୟତଃ ସର୍ଭେଲାନ୍ସ, ଟେଷ୍ଟିଂର ପରିମାଣ, କୋଭିଡ୍ କେୟାର ସେଣ୍ଟର୍ର ସ୍ଥିତି, କୋଭିଡ୍ ଜନିତ ସ୍ବାସ୍ଥ୍ୟ ସୁବିଧା, ଔଷଧ ଓ ଟେଷ୍ଟିଂ କିଟ୍ ସମ୍ପର୍କରେ ସମୀକ୍ଷା ହୋଇଥିଲା। ଏସବୁର ଆଗୁଆ ବ୍ୟବସ୍ଥା କରିବା ଉପରେ ଶ୍ରୀ ତ୍ରିପାଠୀ ଗୁରୁତ୍ବାରୋପ କରିଥିଲେ।
ଦିନକୁ ଅତି କମ୍ରେ ୫୦୦ ନମୁନା ସଂଗ୍ରହ ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା। ହଟ୍ସ୍ପଟ୍ ଜିଲ୍ଲାଗୁଡ଼ିକରେ ଅତି କମ୍ରେ ଏକ ହଜାର ନମୁନା ସଂଗ୍ରହ କରାଯିବ। ଏହାଦ୍ବାରା କରୋନା ଚିହ୍ନଟ ତ୍ବରାନ୍ବିତ ହେବା ସହ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବ। ଆଣ୍ଟିଜେନ୍ ଟେଷ୍ଟ କିଟ୍ଗୁଡ଼ିକୁ ବ୍ୟବହାର କରିବା ସହ ଟେଷ୍ଟିଂର ଫଳାଫଳ ଆଇସିଏମ୍ଆର୍ ପୋର୍ଟାଲ୍ରେ ଅପ୍ଲୋଡ୍ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଅଧିକ ନମୁନା ସଂଗ୍ରହ ଓ ପ୍ଲାଜ୍ମା ଥେରାପି ଉପରେ ଗୁରୁତ୍ବ
ପ୍ଲାଜ୍ମା ପ୍ରଦାନକାରୀଙ୍କୁ ପ୍ରୋତ୍ସାହନ ଦେବାକୁ ପରାମର୍ଶ
ବିଭିନ୍ନ ଜିଲ୍ଲାରେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଆବଶ୍ୟକ ଗାଇଡ୍ଲାଇନ୍ ଅନୁଯାୟୀ ପ୍ଲାଜ୍ମା ଥେରାପିର ବ୍ୟବହାର କରିପାରିବେ। ବିଭିନ୍ନ ଜିଲ୍ଲାରେ ପ୍ଲାଜ୍ମା ସଂଗ୍ରହକୁ ଉତ୍ସାହିତ ଓ ସମର୍ଥନ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଯେହେତୁ ପ୍ଲାଜ୍ମା ସଂଗ୍ରହ ଦୁଇ ଦିନର କାର୍ଯ୍ୟ, ତେଣୁ ପ୍ଲାଜ୍ମା ପ୍ରଦାନକାରୀଙ୍କୁ ପ୍ଲାଜ୍ମା ବ୍ୟାଙ୍କ ଥିବା ସ୍ଥାନରେ ଦୁଇ ଦିନର ଖାଇବା ଓ ରହିବା ବନ୍ଦୋବସ୍ତ ସରକାର କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ନିର୍ଦ୍ଦିଷ୍ଟ ଭାବେ ସେମାନଙ୍କ ରହଣି ସ୍ଥାନ ଓ ଅନ୍ୟାନ୍ୟ ଆବଶ୍ୟକ ବନ୍ଦୋବସ୍ତ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା। ଯେଉଁଠି ଆବଶ୍ୟକ ପଡ଼ିବ, ପ୍ଲାଜ୍ମା ପ୍ରଦାନକାରୀଙ୍କୁ ଯାତାୟତ ଖର୍ଚ୍ଚ ସରକାର ଦେବେ। ଭୁବନେଶ୍ବରର କ୍ୟାପିଟାଲ୍ ହସ୍ପିଟାଲ୍, କଟକର ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ୍, ରାଉରକେଲାର ଆଇଜିଏଚ୍, ବୁର୍ଲାର ଭିମ୍ସାର୍ ଏବଂ ବ୍ରହ୍ମପୁରର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ବର୍ତ୍ତମାନ ପ୍ଲାଜ୍ମା ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇଛି। ବ୍ଲଡ୍ ବ୍ୟାଙ୍କ ପାଇଁ ବ୍ୟବହାର ହେଉଥିବା ଗାଡ଼ି ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ପ୍ଲାଜ୍ମା ବ୍ୟାଙ୍କ ପାଇଁ ମଧ୍ୟ ବ୍ୟବହାର ହେବ।
ପ୍ଲାଜ୍ମା ପ୍ରଦାନ କରିବାକୁ ଆଗ୍ରହୀ ବ୍ୟକ୍ତି ନିଜ ଆଡ଼ୁ ନାମ ପଞ୍ଜୀକରଣ କରିବାକୁ ଏକ ସ୍ବତନ୍ତ୍ର ଅନ୍ଲାଇନ୍ ପୋର୍ଟାଲ୍ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ଏଥିରେ ବିଭିନ୍ନ ପ୍ଲାଜ୍ମା ବ୍ୟାଙ୍କରେ ପ୍ଲାଜ୍ମାର ଉପଲବ୍ଧ ସମ୍ପର୍କରେ ଏହି ପୋର୍ଟାଲ୍ରେ ତଥ୍ୟ ରହିବ। ଫଳରେ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଡାକ୍ତରମାନେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ପ୍ଲାଜ୍ମା ପାଇବା ସହଜ ହେବ।
ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିେଲ ଯେ ଆମ ପାଖରେ ଯଥେଷ୍ଟ ଟେଷ୍ଟିଂ କିଟ୍ ଓ ଔଷଧ ମହଜୁଦ୍ ଅଛି। ପ୍ରାୟ ୧ ଲକ୍ଷ ୧୬ ହଜାର ଆଣ୍ଟିଜେନ୍ ଟେଷ୍ଟ କିଟ୍ ଜିଲ୍ଲାଗୁଡ଼ିକୁ ଯୋଗାଇ ଦିଆଯାଇଛି। ଜିଲ୍ଲାର ଆବଶ୍ୟକତା ଅନୁଯାୟୀ ଅଧିକ ଯୋଗାଇବାରେ ଅସୁବିଧା ନାହିଁ। ବୈଠକରେ ଉନ୍ନୟନ କମିସନର୍ ସୁରେଶ ଚନ୍ଦ୍ର ମହାପାତ୍ର, ଏସ୍ଆର୍ସି ପ୍ରଦୀପ କୁମାର ଜେନା, ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।