କାହା ପାଇଁ ସରକାରୀ ଯୋଜନା: ୩୦ ବର୍ଷ ହେଲା ପାଲ ଟାଣି ରହୁଛନ୍ତି ତାରାମଣି

୩୦ ବର୍ଷ ତଳେ ସ୍ବାମୀଙ୍କୁ ହରାଇଥିଲେ, ଜୀବନର ଅପରାହ୍ଣରେ ପୁଅ ଓ ଝିଅର ବୋଝ

ପୁରୀ: ଦେଶ ସ୍ବାଧୀନତା କାଳରୁ ଗରିବୀ ନିରାକରଣ ଯୋଜନାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶୀର୍ଷରେ ରଖିଛନ୍ତି। ବର୍ଷ ବର୍ଷ ଧରି ଏ ପ୍ରୟାସ ଚାଲିଥିଲେ ମଧ୍ୟ ଗରିବୀ ହଟୁ ନାହିଁ। ଯୋଜନା ପ୍ରକୃତ ଗରିବ ଲୋକଟି ପାଖରେ ପହଞ୍ଚି ପାରୁନାହିଁ। କିଛି ଅଧିକାରୀ ଓ ଜନ ପ୍ରତିନିଧିଙ୍କୁ ହାତ କରି ଥିଲାବାଲା ନଥିଲାବାଲାର ଅଧିକାରକୁ ଛଡ଼ାଇ ନେଉଛି। ଗରିବୀ ନିରାକରଣ ପାଇଁ ସରକାରଙ୍କ ଶହ ଶହ ଯୋଜନା ଥିଲେ ମଧ୍ୟ ଏହା ଶତ ପ୍ରତିଶତ ଗରିବଙ୍କ ନିକଟରେ ପହଞ୍ଚୁ ନାହିଁ। ଏଭଳି ଗଣ୍ଡା ଗଣ୍ଡା ଅଭିଯୋଗ ପ୍ରତି ଗାଁରେ ରହିଛି।

ଏହାର ଏକ ଉଦାହରଣ ହେଲେ, ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ ମଝିପଡା ଗାଁର ତାରାମଣି। ତାରାମଣି ଦୀର୍ଘ ୩୦ ବର୍ଷ ହେବ ସ୍ବାମୀଙ୍କୁ ହରାଇ ନିଜର ଦୃଷ୍ଟିହୀନ ପୁଅ ଓ ସ୍ବାମୀ ପରିତ୍ୟକ୍ତା ଝିଅକୁ ଧରି ଏକ ଭଂଗା କୁଡିଆରେ ପାଲଟାଙ୍ଗି ରହୁଛନ୍ତି। ଅଧିକ ବର୍ଷା ହେଲେ ଘରୁ ପାଣି କାଢ଼ି କାଢ଼ି ରାତି ପାହିଯାଉଛି। ପ୍ରଚଣ୍ଡ ଖରା ହେଲେ ଗଛମୂଳକୁ ଆଶ୍ରା କରି ବଂଚିଯାଉଛନ୍ତି। ବର୍ଷ ପରେ ବର୍ଷ ବିତିଛୁ। ବାର୍ଦ୍ଧକ୍ୟରେ ପାଞ୍ଚପ୍ରାଣୀ କୁଟୁମ୍ବର ବୋଝ ଉଠାଉଥିବା ତାରାମଣିଙ୍କୁ ଏ ଯାଏ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ଇନ୍ଦିରା ଆବାସଟିଏ ମିଳିପାରିନାହିଁ। ତାଙ୍କ ପାଖରେ ୫/୧୦ ହଜାର ଲାଂଚ ଦେବାକୁ ସମ୍ବଳ ନାହିଁ କି ରାଜନୈତିକ ପ୍ରଭାବ ନଥିବାରୁ ସେ ଏ ଯୋଜନାର ସୁବିଧା ପାଇପାରିନାହାନ୍ତି। ଏଭଳି ଦୁଃସ୍ଥିତିରେ ଦିନ କାଟୁଥିବା ତାରାମଣି ଏବେ ଭାଂଗି ପଡ଼ିଛନ୍ତି। ତାଙ୍କ ପାଇଁ ମୋ ସରକାର ତାଙ୍କ ସରକାର ହୋଇଯାଇଛି ବୋଲି ଦୁଃଖର ସହିତ କହିଛନ୍ତି। ନବୀନ ସାର୍ ଦୟାଳୁ ‌ଲୋକ, ଭତ୍ତା ଦେଇଛନ୍ତି ଘର ଖଣ୍ଡେ ଦେଲେ ବଡ଼ ଉପକାର ହୁଅନ୍ତା ବୋଲି କହିଛନ୍ତି। ତାରାମଣିଙ୍କ ବୟସ ପାଖାପାଖି ୬୫ ହେବ। ୩୦ ବର୍ଷ ତଳୁ ସ୍ବାମୀ ଭ୍ରମର ଭୋଇଙ୍କୁ ହରାଇଛନ୍ତି। ପୁଅ ବର୍ଷକର ହୋଇଥିବା ବେଳେ ସ୍ବାମୀକୁ ହରାଇଥିଲେ। ସେ ଜନ୍ମ ଦେଇଥିବା ପୁଅ ଜନ୍ମରୁ ତାଙ୍କ ଉପରେ ବୋଝ ହୋଇଯାଇଥିଲା। ପୁଅ ଏକାଦଶୀ ଜନ୍ମରୁ ଦୃଷ୍ଟିହୀନ ସହ ମୂକ ଓ ବଧିର ଥିଲା। ଦୀର୍ଘ ୩୦ ବର୍ଷ ହେବ ପୁଅର ବୋଝ ମୁଣ୍ଡାଉଥିବା ତାରାମଣି ବୟସର ଅପରାହ୍ଣରେ ଝିଅ ଦାୟିତ୍ବ ମଧ୍ୟ ନେଇଥିଲେ।

ଝିଅକୁ ସ୍ବାମୀ ଛାଡ଼ି ଦେବା ପରେ ଝିଅ ଓ ଦୁଇ ନାତୁଣୀଙ୍କୁ ମଧ୍ୟ ପାଳିବାକୁ ପଡ଼ୁଛି। ପୂରା ପରିବାର ବୋଝ ତାଙ୍କ ଉପରେ ରହିଛି। ପର ଘରେ ମୂଲ ମଜୁରି ଲାଗି ଯାହା ଉପାର୍ଜନ କରୁଛନ୍ତି, ସେଥିରେ ପୂରା ପରିବାର ଚଳୁଛି। ଏଭଳି ଜଣେ ଅସହାୟ ପରିବାରକୁ ଏ ଯାଏ ଘର ଖଣ୍ଡେ ମିଳିନି। ଅଥଚ ସେହି ଗାଁରେ କିଛି ପ୍ରଭାବଶାଳୀ ଲୋକ କିନ୍ତୁ ଘର ହାତେଇ ନେଇଛନ୍ତି। ପାଖ ଗାଁରେ କିଛି କୋଠା ଘର ଥିବା ଲୋକ ଘର ନେଇଛନ୍ତି, ଘର ନକରି ମଧ୍ୟ ବିଲ୍ ପାଇଛନ୍ତି। ମାତ୍ର ନିହାତି ଗରିବ ତାରାମଣିଙ୍କୁ ଘର କେବେ ମିଳିବ, ତାଙ୍କ ଦୁଃଖ କିଏ ବୁଝିବ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର