ରାଉରକେଲା: ସିଆଇଟିୟୁ ଜାତୀୟ କାର୍ଯ୍ୟକାରିଣୀ ଉଦ୍ଯାପିତ ଅବସରରେ ଆଜି ଅପରାହ୍ନରେ ଭଞ୍ଜଭବନରେ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧୀ କାର୍ଯ୍ୟକୁ ନେଇ ସିଆଇଟିୟୁର ଜାତୀୟସ୍ତରୀୟ ନେତାମାନେ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ। ଏହା ବିରୋଧରେ ଜନଆନ୍ଦୋଳନ ଗଢ଼ି ତୋଳିବାକୁ ନେତୃବୃନ୍ଦ ଉପସ୍ଥିତ ଶ୍ରମିକମାନଙ୍କୁ ଆହ୍ବାନ କରିଥିଲେ। ସମାବେଶରେ ଉଦବୋଧନ ଦେଇ ସିଆଇଟିୟୁ ରାଷ୍ଟ୍ରୀୟ ସଭାନେତ୍ରୀ ଡଃ କେ ହେମଲତା, ସର୍ବଭାରତୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ତପନ ସେନ୍, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ସର୍ବଭାରତୀୟ ସଂପାଦକ ତଥା ଷ୍ଟିଲ ୱାର୍କର୍ସ ଫେଡେରେସନ୍ ଅଫ୍ ଇଣ୍ଡିଆର ସାଧାରଣ ସମ୍ପାଦକ ଲଳିତ ମିଶ୍ର ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ। ଜିଲ୍ଲାର ହଜାର ହଜାର ଖଣି, ଶିଳ୍ପ, ଆଶା, ଇସ୍ପାତ ଓ ଠିକା ଶ୍ରମିକ ସ୍କିମ ଶ୍ରମିକ, ନିର୍ମାଣ ଶ୍ରମିକ ସମାବେଶରେ ଯୋଗ ଦେଇଥିଲେ।
ସିଆଇଟିୟୁର ଜିଲ୍ଲା ସଭାପତି ତଥା ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମାବେଶରେ ଅଧ୍ୟକ୍ଷତା କରିଥିଲା। ସିଆଇଟିୟୁର ଜିଲ୍ଲା ସାଧାରଣ ସମ୍ପାଦକ ତଥା ଅଭ୍ୟର୍ଥନା କମିଟିର ସାଧାରଣ ସମ୍ପାଦକ ବିମାନ ମାଇତି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଉପସ୍ଥିତ ଶ୍ରମିକମାନଙ୍କୁ ବକ୍ତବ୍ୟ ଦେଇ ସିଆଇଟିୟୁ ରାଷ୍ଟ୍ରୀୟ ନେତୃତ୍ୱ ଆହୁରି କହିଥିଲେ ଯେ କେନ୍ଦ୍ର ମୋଦି ସରକାର ଦେଶର ସମସ୍ତ ସରକାରୀ ସଂପତ୍ତିକୁ କର୍ପୋରେଟ ସଂସ୍ଥା ହାତରେ ଟେକି ଦେବାକୁ ମସୁଧା ଚଳାଇଛନ୍ତି। ଦେଶର ଇସ୍ପାତ, କୋଇଲା ଭଳି ରାଷ୍ଟ୍ରାୟତ ଉଦ୍ୟୋଗରେ ବୁଝାମଣା ସ୍ବାକ୍ଷରିତ କରି ମଧ୍ୟ ବର୍ଷ ବର୍ଷ ଧରି ବକେୟା ପ୍ରାପ୍ୟ ପ୍ରଦାନ କରାଯାଉ ନାହିଁ। ଫାଶୀବାଦ ସର୍ବଦା ଶ୍ରମିକ, କୃଷକମାନଙ୍କ ଅଧିକାର ଉପରେ ଆକ୍ରମଣ କରିଥାଏ। ମୋଦି ସରକାର ସେହି ପଥରେ କାର୍ଯକ୍ରମ ଗ୍ରହଣ କରୁଛନ୍ତି। ଜି-୨୦ ଦେଶମାନଙ୍କ ମଧ୍ୟରେ ଭାରତର ଜିଡିପି ଏମାନଙ୍କ ମଧ୍ୟରେ ୨୦ ନମ୍ବର ସ୍ଥାନରେ ରହିଛି। ଦେଶରେ ଅର୍ଥନୈତିକ ଅବସ୍ଥା ଦୟନୀୟ ଅବସ୍ଥାକୁ ଯାଉଛି। ବେକାର ସମସ୍ୟା ଉତ୍କଟ ରୂପ ନେଇଛି। ଆଗାମୀ ସାଧାରଣ ନିର୍ବାଚନରେ ପରାସ୍ତ ପାଇଁ ଦେଶର ଶ୍ରମିକ କୃଷକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ସେମାନେ ଆହ୍ୱାନ କରିଥିଲେ। ସିଆଇଟିୟୁ ରାଜ୍ୟ ଉପସଭାପତି ତଥା ଅଭ୍ୟର୍ଥନା କମିଟିର ଉପାଧ୍ୟକ୍ଷ ପ୍ରମୋଦ ସାମଲ ଧନ୍ୟବାଦ ଦେଇଥିଲେ। ରାଷ୍ଟ୍ରୀୟ ସଂପାଦକ କେ ଉମେଶ, ଓଡ଼ିଶା ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, ରାଜ୍ୟ ସଂପାଦକ ବସନ୍ତ ନାୟକ, ଶକୁନ୍ତଳା ମହାକୁଡ଼, ପ୍ରଭାତ ପଣ୍ଡା, ହୃଦୟାନନ୍ଦ ଯାଦବ ମଞ୍ଚାସୀନ ଥିଲେ। ଅଭ୍ୟର୍ଥନା କମିଟିର ଉପାଧ୍ୟକ୍ଷ ଶ୍ରୀମନ୍ତ ବେହେରା,ବି ପି ମହାପାତ୍ର, ସୁରେନ୍ଦ୍ର ଦାଶ,ରାଜ କିଶୋର ପ୍ରଧାନ, ଯଯାତି କେଶରୀ ସାହୁ, ଅଜିତ ଏକ୍କା, ଦିବାକର ମହାରଣା, ସମ୍ୱିତ ସ୍ବାଇଁ, ପ୍ରଭାତ ମହାନ୍ତି, ଚନ୍ଦ୍ରଭାନୁ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।