୭ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର : ଭଦ୍ରକର ୫ ପୁରୁଷ ପଜିଟିଭ୍, ବାଲେଶ୍ୱରର ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨ବର୍ଷର ଶିଶୁକନ୍ୟା ଓ ୩୨ ବର୍ଷୀୟ ଯୁବକ

ଭୁବନେଶ୍ବର: ଆଜି ସକାଳେ  ଚିହ୍ନଟ ହୋଇଥିବା ୭ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ସୂଚନା ଓ ଲୋକ ସମ୍ପର୍କ ବିଭାଗ ୱେବସାଇଟରେ ଏହି  ଆକ୍ରାନ୍ତଙ୍କ ସଂପର୍କରେ ବିବରଣୀ ପ୍ରଦାନ କରାଯାଇଛି । ଆକ୍ରାନ୍ତମାନଙ୍କ ବୟସ ଓ ଲିଙ୍ଗ ସଂପର୍କରେ ସୂଚନା ଜାରି କରାଯାଇଛି  । ଏହି କ୍ରମରେ ଭଦ୍ରକର ୫ ଜଣ ଓ ବାଲେଶ୍ୱରର ୨ ଆକ୍ରାନ୍ତଙ୍କ ତଥ୍ୟ ଆସିଛି । ଭଦ୍ରକ ଜିଲ୍ଲାରେ ୫ ଜଣ ପୁରୁଷଙ୍କ ଠାରେ କରୋନା ଭୂତାଣୁ ଠାବ ହୋଇଛି । ଏହି  ୫ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୪୮,୫୫,୫୭,୫୮, ୬୬ ବୋଲି ସରକାରୀ ତଥ୍ୟରୁ ସାମ୍ନାକୁ ଆସିଛି । ସେହିପରି ବାଲେଶ୍ୱରରେ ଜଣେ ୨ ବର୍ଷିୟ ଶିଶୁ କନ୍ୟା ଓ ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେପଟେ ବାଲେଶ୍ୱରରେ ଚିହ୍ନଟ ହୋଇଥିବା ଦୁଇ ବର୍ଷର ଶିଶୁ କନ୍ୟା ନୀଳଗିରି ସବଡିଭିଜନର ଧରମପୁର ପଞ୍ଚାୟତର ବାଂଶପାଳର ବାସିନ୍ଦା ବୋଲି ବାଲେଶ୍ୱର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଏତେ ଛୋଟ ଝିଅ କେମିତି ଓ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହେଲେ ତାହା ଜାଣିବା ଲାଗି କଂଟାକ୍ଟ ଟ୍ରେସିଂ କରୁଛି ଜିଲ୍ଲାପ୍ରଶାସନ । ସେ ଓ ତାଙ୍କ ବାପା ମା’ କେଉଁଆଡେ ଯାଇଥିଲେ, ତାଙ୍କ ଘରକୁ କେଉଁମାନେ ଆସିଥିଲେ ସେସବୁର ଅନୁସନ୍ଧାନ କରୁଛି ପ୍ରଶାସନ । ଏତେ ଛୋଟ ଝିଅ ଆକ୍ରାନ୍ତ ହେବା ରାଜ୍ୟର ପ୍ରଥମ ଘଟଣା । ତେଣୁ ଏହା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଶିଶୁ ଝିଅଟିର କେସ୍ ନମ୍ବର ୬୮ ରଖାଯାଇଛି । ସେହିପରି ଚିହ୍ନଟ ହୋଇଥିବା ଅନ୍ୟ ଜଣଙ୍କ ନମ୍ବର ୬୭ ରଖଯାଇଥିବାବେଳେ ସେ ୩୨ ବର୍ଷୀୟ ପୁରୁଷ ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଦୁଇ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ୱରରେ ଏପର୍ଯ୍ୟନ୍ତ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର