ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ସରକାର

ବାତ୍ୟା ‘ୟାସ୍‌’ର ପ୍ରାଥମିକ କ୍ଷୟକ୍ଷତି ଆକଳନ
ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ବେଶି ପ୍ରଭାବିତ
କେନ୍ଦୁଝର ଓ ମୟୂରଭଞ୍ଜରେ ୨ ମୃତ

ଭୁବନେଶ୍ବର : ବାତ୍ୟା ‘ୟାସ୍‌’ର କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜ୍ୟ ସରକାର ପ୍ରାଥମିକ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରଦାନ କରିଛନ୍ତି। ବାତ୍ୟର ପ୍ରଭାବ ୧୨ଟି ଜିଲ୍ଲା ଉପରେ ପଡ଼ିଛି। ସେଥିରୁ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତି ପ୍ରାଣ ହରାଇଛନ୍ତିଷ। ମୋଟ ୯ ହଜାର ୯୪୨ଟି ଗାଁର ୧୭ ଲକ୍ଷ ୫୦ ହଜାର ଲୋକ ବାତ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି। ମୋଟ ୧୮୬ଟି ପଶୁଙ୍କର ପ୍ରାଣହାନୀ ଘଟିଛି। ବାତ୍ୟା ପାଇଁ ୧୦ ଲକ୍ଷ ୯ ହଜାର ୪୦୨ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହାସହିତ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ର ୫୨ଟି ଟିମ୍‌, ଓଡ୍ରାଫ୍‌ର ୬୦, ଅଗ୍ନିଶମ ବାହିନୀର ୨୦୬, ରାଜ୍ୟ ଜଙ୍ଗଲ ବିଭାଗର ୮୬ ଟିମ୍‌ ଓ ୨୧୨ଟି ବୋଟ ମୁତୟନ ହୋଇଥିବା ଉଲ୍ଲେଖ କରାଯାଇଛି।

ରାଜ୍ୟ ସରକାର ଦର୍ଶାଇଛନ୍ତି, ବାତ୍ୟା ପରବର୍ତ୍ତୀ ଜଳବନ୍ଦୀରେ ଥିବା ଲୋକଙ୍କ ପାଇଁ ୫ ହଜାର ୭୬୨ଟି ରିଲିଫ କ୍ୟାମ୍ପ୍‌ କରାଯାଇଛି। ସେଥିରେ ୫ ଲକ୍ଷ ୬ ହଜାର ୭୬୯ ଜଣ ଲୋକଙ୍କୁ ରଖାଯାଇ ୭ ଦିନ ପାଇଁ ମାଗଣା ରନ୍ଧା ଖାଦ୍ୟ, ପାନୀୟ ଜଳ, ପଲିଥିନ୍‌, ଚୁଡ଼ା, ଚାଉଳ ଓ ଗୁଡ଼ ଆଦି ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ବାତ୍ୟା ଯୋଗୁଁ ସମୁଦ୍ର ଲୁଣା ପାଣି ମାଡ଼ି ପ୍ରଭାବିତ ଜିଲ୍ଲାରେ ୧୫୧ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ସରକାର ଜଣାଇଛନ୍ତି। ୧୦୩ଟି ଅଙ୍ଗନବାଡ଼ି କେନ୍ଦ୍ର ଭାଙ୍ଗିଯାଇଥିବାବେଳେ ୧୨୮ଟି ଗାଁ ଜଳମଗ୍ନ ହୋଇଯାଇଛି। ୩୦୫ଟି ଗ୍ରାମୀଣ, ପୂର୍ତ୍ତ, ଜାତୀୟ ରାଜପଥ ନଷ୍ଟ ହୋଇଛି। ସେହିପରି ବାଲେଶ୍ବର ଓ ଭଦ୍ରକରେ ବିଦ୍ୟୁତ ଭିତ୍ତିଭୂମି ବ୍ୟାପକ ନଷ୍ଟ ହୋଇଛି। ଏହି ଦୁଇଟି ଜିଲ୍ଲାରେ ବିଦ୍ୟୁତ ସରବରାହ ପୁନରୁଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବା ସରକାର ଉଲ୍ଲେଖ କରିଛନ୍ତି। ରିପୋର୍ଟ ଅନୁଯାୟୀ ଗତ ୨୪ ତାରିଖରେ ପ୍ରଭାବିତ ଜିଲ୍ଲାର ପ୍ରବଳ ବର୍ଷା ସହିତ ପବନ ଯୋଗୁ ୫ ହଜାର ୧୯୪ଟି ଘର ଭାଙ୍ଗିଯାଇଥିଲା। ସେଥିରୁ ୨୯୦ଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ୪ ହଜାର ୯୦୪ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ବାତ୍ୟା ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ୧୮୩୩ଟି ଘର ନଷ୍ଟ ହୋଇଛି। ସେଥିରୁ ୧୪୮ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ୧୬୮୫ଟି ଘର ଆଂଶିକ ନଷ୍ଟ ହୋଇଛି।

ସରକାରଙ୍କ ବିସ୍ତୁତ ରିପୋର୍ଟ ଅନୁଯାୟୀ, ବାତ୍ୟାର ପ୍ରଭାବରେ ବାଲେଶ୍ବର ଜିଲ୍ଲାର ୮୪ଟି ଗାଁ ଓ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ୪୪ ଗାଁରେ ସମୁଦ୍ରର ଲୁଣା ପାଣି ପଶିଯାଇଛି। ବାଲେଶ୍ବରର ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ବର, ବାଲେଶ୍ବର, ରେମୁଣା, ସୋରୋ, ବାହାନଗା, ଶିମୁଳିଆ, ଖଇରା, ନିଳଗିରି ଓ ଓଉପଡ଼ା ବ୍ଲକ୍‌ ବେଶି ପ୍ରଭାବିତ ହୋଇଛି। ୩୫୨ ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଥିବାବେଳେ ବାଲେଶ୍ବର, ଜଳେଶ୍ବର, ସୋରୋ ଓ ନିଳଗିରି ବିଜ୍ଞାପିତ ପରିଷଦର ୬୮ଟି ୱାର୍ଡରେ ବି କ୍ଷତି ହୋଇଛି। ଏହାସହିତ ୩ ହଜାର ୫୧ ଗାଁ ୧ ଲକ୍ଷ ୮୯ ହଜାର ୯୮୩ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି।

ଭଦ୍ରକ ଜିଲ୍ଲାର ବାସୁଦେବପୁର, ଭଦ୍ରକ, ଭଣ୍ଡାରିପୋଖରୀ, ବନ୍ତ, ଚାନ୍ଦବାଲି, ଧାମନଗର ଓ ତିହିଡ଼ି ବ୍ଲକ ପ୍ରଭାବିତ ହୋଇଛି। ୨୧୮ଟି ଗ୍ରାମ ପଞ୍ଚାୟତ, ୧୩୭୨ଟି ଗାଁ ଓ ୭ ଲକ୍ଷ ୧୬ ହଜାର ୮୪୫ ଜଣ ପ୍ରଭାବିତ ହୋଇଛନ୍ତି। ଏହି ଜିଲ୍ଲାରେ ମୋଟ ୧ ଲକ୍ଷ ୧୧ ହଜାର ୫୦୦ ପ୍ରାଣୀ ସମ୍ପଦ ନଷ୍ଟ ହୋଇଛି।

ସେହିପରି କେନ୍ଦୁଝର ଜିଲ୍ଲାରେ ୧୩ଟି ବ୍ଲକ ବାତ୍ୟା ଯୋଗୁ ପ୍ରଭାବିତ ହୋଇଛି। ସେଗୁଡ଼ିକ ହେଲା କେନ୍ଦୁଝର, ବଂଶପାଳ, ଝୁମ୍ପୁରା, ଚମ୍ପୁଆ, ଯୋଡ଼ା, ଘଟଗାଁ, ପାଟଣା, ସହରପଡ଼ା, ହରିଚନ୍ଦନପୁର, ଘସିପୁରା, ହାଟଡିହି, ଆନନ୍ଦପୁର ଓ ତେଲକୋଇ ବ୍ଲକ ଅନ୍ତର୍ଗତ। ବାତ୍ୟା ସମୟରେ ପଞ୍ଚୁପାଳି ଅଞ୍ଚଳରେ ଗୋଟିଏ ବରଗଛ ପଡ଼ିଯିବାରୁ ଗଛ ତଳେ ରହିଯାଇଥିବା ୫୮ ବର୍ଷୀୟ ପୂର୍ଣ୍ଣ ଚନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଜିଲ୍ଲାରେ ୮୩୨ଟି ଘର ଭାଙ୍ଗିଛି।

ମୟୂରଭଞ୍ଜ ଜିଲ୍ଲାରେ ୨୬ଟି ବ୍ଲକ୍‌ ପ୍ରଭାବିତ ହୋଇଛି। ଯଥା ବହଳଦା, ବାଙ୍ଗିରିପୋଷି, ବିଜତଳା, ବିଷୋୟୀ, ଜି.ବି ନଗର, କରଞ୍ଜିଆ, ଖୁଣ୍ଟା, କୁସୁମୀ, ରାଇରଙ୍ଗପୁର, ରାରୁଁଅ, ରାସଗୋବିନ୍ଦପୁର, ଶମଖୁଣ୍ଟିଆ, ସାରସକଣା, ସୁକୁରୁଲି, ଠାକୁରମୁଣ୍ଡା, ତିରିଙ୍ଗି, ଜମଡ଼ା, ବାରିପଦା, ବଡ଼ାସାହି, ବେତନଟି, ଯଶିପୁର, କୁଳିଅଣା, କପ୍ତିପଦା, ମୋରଡ଼ା, ଶୁଳିଆପଦା ଓ ଉଦଳା ବ୍ଲକ। ବାତ୍ୟା ସମୟରେ ପବନ ଓ ବର୍ଷା ଯୋଗୁ ମୋରଡ଼ା ଥାନା ଅଞ୍ଚଳରେ ବୁଧୁନି ସିଂହ ନାମକ ଜଣେ ବୃଦ୍ଧା କାନ୍ଥପଡ଼ି ପ୍ରାଣ ହରାଇଛନ୍ତି। ୨୦ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଥିବାବେଳେ ବାରିପଦା, ରାଇରଙ୍ଗପୁର ପୌରାଞ୍ଚଳ ସମେତ କରଞ୍ଜିଆ ଓ ଉଦଳା ବିଜ୍ଞାପିତ ପରିଷଦ ପ୍ରଭାବିତ ହୋଇଛନ୍ତି। ବାକିସବୁ ଜିଲ୍ଲା ଅଳ୍ପ ପ୍ରଭାବିତ ହୋଇଥିବା ସରକାର ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର