ହାଇକୋର୍ଟରେ ସରକାରଙ୍କ ଜବାବ ଦାଖଲ : ମନ୍ଦିର ଖୋଲିଲେ ସଂକ୍ରମଣ ବଢ଼ିବ

କଟକ : ବର୍ତ୍ତମାନ ସ୍ଥିତିରେ ପୁରୀ ଶ୍ରୀମନ୍ଦିର ଅଥବା ଅନ୍ୟ ମନ୍ଦିର ଖୋଲିଲେ ରାଜ୍ୟରେ କରୋନା ସଂକ୍ରମଣ ବଢିବ। ସବୁଠି ପୁଲିସ ମୁତୟନ କରି କଟକଣା କରିବା ସମ୍ଭବ ନୁହେଁ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ଅନ୍ୟ ସମସ୍ତ ମନ୍ଦିର, ମସଜିଦ୍, ଗୁରୁଦ୍ବାର, ଚର୍ଚ୍ଚ ସର୍ବସାଧାରଣଙ୍କ ପାଇଁ ଖୋଲାଯିବା ପ୍ରସଂଗରେ ରାଜ୍ୟ ସରକାର ହାଇକୋର୍ଟରେ ଏଭଳି ଜବାବ ରଖିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆଇନ ବିଭାଗ ଅନୁସଚିବ ଡି.ମାରାଣ୍ଡିଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଏଭଳି ଜବାବ ଦାଖଲ କରାଯାଇଛି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ମନ୍ଦିର ପରିସରରେ ସାମାଜିକ ଦୂରତ୍ବ ରକ୍ଷା ପାଇଁ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଉଥିବା ବେଳେ ଗର୍ଭଗୃହ ଭିତରକୁ ପ୍ରବେଶ ପଥ ଅତ୍ୟନ୍ତ ସଂକୀର୍ଣ୍ଣ। ଏଭଳି ସ୍ଥିତିରେ ସାମାଜିକ ଦୂରତ୍ବ ରକ୍ଷା କରିବା କଷ୍ଟକର। ରାଜ୍ୟରେ ହଜାର ହଜାର ମନ୍ଦିର ରହିଛି। ସବୁ ମନ୍ଦିରରେ ଏକ ସମୟରେ ପୁଲିସ ମୁତୟନ କରିବା ସମ୍ଭବ ନୁହେଁ। ଏବେ ଧାର୍ମିକ ଅନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇ ନ ଥିଲେ ମଧ୍ୟ ସମସ୍ତ ଧାର୍ମିକ କାର୍ଯ୍ୟ ସଂପାଦନ କରାଯାଉଛି। ଜିଲ୍ଲା କର୍ତ୍ତୃପକ୍ଷଙ୍କ ନିକଟରୁ ମିଳିଥିବା ସୂଚନା ଅନୁସାରେ ବହୁ ସଂଖ୍ୟାରେ ସେବକ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ଏହି ପରିସ୍ଥିତିରେ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଯଦି ଖୋଲା ଯାଏ ତେବେ ଆଉ ଅଧିକ ସଂଖ୍ୟାରେ ସେବକ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଫଳରେ ଧର୍ମାନୁଷ୍ଠାନରେ ନିୟମିତ ନୀତି ପ୍ରଭାବିତ ହେବ।

ପୁରୀରେ ରଥଯାତ୍ରା ପୂର୍ବରୁ ଓ ପରେ ଶ୍ରୀଜଗନ୍ନାଥ ମନ୍ଦିରର ସେବକ ଓ ମନ୍ଦିର କାର୍ଯ୍ୟାଳୟ କର୍ମଚାରୀଙ୍କ କୋଭିଡ୍ ପରୀକ୍ଷା କରାଯାଇଛି।

ଯଦି ଅଧିକ ସଂଖ୍ୟକ ସେବକ ସଂକ୍ରମିତ ହୁଅନ୍ତି ତେବେ ମନ୍ଦିରରେ ନୀତି ସଂପାଦନ ପ୍ରଭାବିତ ହେବାର ସମ୍ଭାବନା ରହିଛି। ପ୍ରସିଦ୍ଧ ତିରୁପତି ମନ୍ଦିର ଜୁନ୍ ୧୧ରୁ ଖୋଲିବା ପରେ ଏହାର ୭ଶହ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି। ତିରୁପତିର ଅଂଶ ତିରୁମାଲାରେ ୩ଜଣ କର୍ମଚାରୀଙ୍କ ଜୀବନ ହାନି ହୋଇଛି। ତେଣୁ ରାଜ୍ୟ ସରକାର ଧର୍ମାନୁଷ୍ଠାନ ଖୋଲିବା ଉପରେ କଟକଣା ଜାରି କରିଥିଲେ।

ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ଆବେଦନକାରୀଙ୍କୁ ପ୍ରତିଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀ ଜୟନ୍ତ କୁମାର ବଳଙ୍କ ତରଫରୁ ଆଇନଜୀବୀ ବିଭୂତି ଭୂ‌ଷଣ ଚୌଧୁରୀ ଓ ଆଲୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର