ଜୀବିକାକୁ ଫେରିଲେ ସରକାର

ଜୀବନ ସହିତ ଜୀବିକା ବି ଗୁରୁତ୍ବ ପାଇବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୋଭିଡ୍ ଯୁଦ୍ଧରେ ଜୀବନ ପାଇଁ ଚାଲିଥିବା ଲଢେଇ ସହିତ ଲୋକଙ୍କ ଜୀବିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ତେଣୁ ରାଜ୍ୟରେ ସବୁ କ୍ଷେତ୍ରରେ ବିକାଶ ପ୍ରକ୍ରିୟାକୁ ଜୋରଦାର କରାଯିବ। ସଡକ, ସେତୁ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ଉନ୍ନୟନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଇ ଲୋକଙ୍କ ପାଇଁ ଜୀବିକା ସୃଷ୍ଟି କରାଯିବ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଜଗତସିଂହପୁରର ବିଲୁଆଖାଇ ନଦୀ ଉପରେ ଏକ ବୃହତ ସେତୁର ଉଦ୍‌ଘାଟନ ଏବଂ ଜିଲ୍ଲାରେ ଏକ ମାତୃ ଓ ଶିଶୁ ଚିକିତ୍ସାଳୟ ପାଇଁ ଶିଳାନ୍ୟାସ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଫଳରେ ରାଜ୍ୟରେ ଏବେ କରୋନା ମୁକାବିଲା ସହିତ ବିକାଶ ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହେବା ନେଇ ଆଶା ପ୍ରକାଶ ପାଇଛି।

ଜଗତସିଂହପୁର ବିଲୁଆଖାଇ ସେତୁ ଉଦ୍‌ଘାଟିତ, ଭୁବନେଶ୍ୱରକୁ ଦୂରତା କମିଲା
ନୂଆ ମାତୃ ଓ ଶିଶୁ ଚିକିତ୍ସାଳୟ, ଆଇସିୟୁ ପାଇଁ ଶିଳାନ୍ୟାସ

ଗତକିଛି ଦିନ ରାଜ୍ୟରେ କରୋନା ମୁକାବିଲା‌କୁ ସରକାର ସର୍ବାଧିକ ପ୍ରାଥମିକତା ଦେଇ ଚାଲିଥିଲେ। ଏହାଦ୍ବାରା ବିକାଶ ପ୍ରକ୍ରିୟା‌ରେ କିଛି ଗତିରୋଧ ହୋଇଥିଲା। ଗୋଟିଏ ପଟେ ଆର୍ଥିକ ଦୁଃସ୍ଥିତି ଥିବା ବେଳେ ଅନ୍ୟପଟେ ପ୍ରଶାସନ ସବୁ ସମୟ କରୋନା ପାଇଁ ଦେଉଥିଲେ। ଏବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ସବୁ ବିଭାଗ ପୂର୍ବ ଭଳି ସକ୍ରିୟ ହେବେ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ଜଗତସିଂହପୁରର ଶଂଖାରୀ ସାହି ନିକଟରେ ବିଲୁଆଖାଇ ନଦୀ ଉପରେ ୬୧.୪୨ କୋଟି ଟଙ୍କା ବ୍ୟୟରେ ଏକ ବୃହତ ସେତୁ ନିର୍ମାଣ କରାଯାଇଛି। ଏହି ସେତୁ ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟକୁ କଟକ ବାଇଶମୌଜା ସହିତ ସିଧାସଳଖ ଯୋଡିଛି। ଏହାଦ୍ବାରା ଜଗତସିଂହପୁରରୁ ଭୁବନେଶ୍ବରର ଦୂରତ୍ବ କମିଯାଇଛି। ଏହି ସେତୁ ଜଗତସିଂହପୁର ଜିଲ୍ଲାରେ ବିକାଶର ଧାରାକୁ ତ୍ବରାନ୍ବିତ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହା ସହିତ ଆଜି ମୁଖ୍ୟମନ୍ତ୍ରୀ ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାଳୟର ଶିଳାନ୍ୟାସ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ନିର୍ମାଣ ହେବାକୁ ଥିବା ଆଇସିୟୁରେ ୧୦ଟି ଶଯ୍ୟା ରହିବ। ଏଥିପାଇଁ ୨.୨୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାର ମଧ୍ୟ ଆଜି ଶୁଭ ଦିଆଯାଇଛି।

ଜଗତସିଂହପୁର ରାଜ୍ୟର ଏକ ଆଗୁଆ ଜିଲ୍ଲା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଉଭୟ କୃଷି ଓ ଶିଳ୍ପ କ୍ଷେତ୍ରରେ ଏହାର ସୁନାମ ରହିଛି। ବିଜୁବାବୁ ଏଠାରେ ପାରାଦୀପ ବନ୍ଦର ନିର୍ମାଣ କରି ବିକାଶ ଧାରା ଆରମ୍ଭ କରିଥିଲେ। ସେହିଭଳି ସ୍ବାସ୍ଥ୍ୟ କ୍ଷେତ୍ରକୁ ସରକାର ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୭୦ ଲକ୍ଷରୁ ଅଧିକ ପରିବାରକୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଦୃଢ କରାଯାଉଛି। ଓଡିଶା ଖୁବଶୀଘ୍ର ପୂର୍ବ ଭାରତର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ଭାବରେ ପ୍ରତିଷ୍ଠା ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୋଭିଡ୍‌ ଯୁଦ୍ଧରେ ଓଡିଶା ବହୁତ ଭଲ ପ୍ରଦର୍ଶନ କରୁଛି ଏବଂ ଜଗତସିଂହପୁର ଜିଲ୍ଲା ମଧ୍ୟ ଏ କ୍ଷେତ୍ରରେ ଭଲ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜିଲ୍ଲାର ସମସ୍ତ କୋଭିଡ୍‌ ଯୋଦ୍ଧା, ନିର୍ବାଚିତ ପ୍ରତିନିଧି, ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଇସ୍ପାତ, ଖଣି ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ,ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ, ଜଳସଂପଦ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରମୁଖ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ସେମାନଙ୍କର ବ୍ୟକ୍ତବ୍ୟ ରଖିଥିଲେ। ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ସମ୍ବନ୍ଧିତ ଖବର