ଭଣ୍ଡାରିପୋଖରୀ/ବନ୍ତ: ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାସନ ଚଳାଇଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଓ ବନ୍ତର ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ଏହାକୁ ରାଜ୍ୟ ସରକାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ଜିଲ୍ଲାର ସବୁଠାରୁ ଅବହେଳିତ ବିଧାନସଭା କ୍ଷେତ୍ର ହେଉଛି ଭଣ୍ଡାରିପୋଖରୀ। ଏଇ ଅଞ୍ଚଳର ବିକାଶ ପ୍ରତି ନିର୍ବାଚିତ ଲୋକପ୍ରତିନିଧିମାନେ ଦୃଷ୍ଟି ଦେଉନାହାନ୍ତି। ଏଇ ନିର୍ବାଚନ ମଣ୍ଡଳୀରେ ଯାହା ବି କିଛି ଉନ୍ନତି ହୋଇଛି, ତାହା କଂଗ୍ରେସ ସମୟରେ ହିଁ ହୋଇଛି ବୋଲି ଭଣ୍ଡାରିପୋଖରୀ ବିଧାନସଭା ସ୍ତରୀୟ କଂଗ୍ରେସର 'ଜନ ଆଶୀର୍ବାଦ ସମାବେଶ'ରେ ଯୋଗନେଇଥିବା କଂଗ୍ରେସ ନେତୃବୃନ୍ଦ ପ୍ରକାଶ କରିଛନ୍ତି।
ମଙ୍ଗଳବାର ସନ୍ଧ୍ୟାରେ ବନ୍ତ ବ୍ଲକ୍ ଅନ୍ତର୍ଗତ ତୋଡ଼ଙ୍ଗାଠାରେ ଅନୁଷ୍ଠିତ ଏହି ବିଶାଳ ସମାବେଶରେ କଂଗ୍ରେସର ବିଧାନସଭା ପ୍ରାର୍ଥୀ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ଜନ୍ମ ମାଟିର ଋଣ ପରିଶୋଧ ପାଇଁ ଭଣ୍ଡାରିପୋଖରୀବାସୀ ତାଙ୍କ ଜୀବନର ଏହି ସମ୍ଭବତଃ ଶେଷ ନିର୍ବାଚନରେ ଆଶୀର୍ବାଦ ପ୍ରଦାନ କରି ବିଜୟୀ କରାଇବାକୁ ନିବେଦନ କରିଥିଲେ। ନିରଂଜନ ତାଙ୍କ ବକ୍ତବ୍ୟରେ କହିଲେ, ମୋତେ ଆପଣମାନେ ଆଶୀର୍ବାଦ ଦିଅନ୍ତୁ। ମୁଁ ଆମଙ୍କର ସେବା କରିବାର ସୁଯୋଗ ପାଇବି। ଏଇ ଅବହେଳିତ ଅଞ୍ଚଳର ବିକାଶ ମୋର ଲକ୍ଷ୍ୟ ହେବ।
କଂଗ୍ରେସର ମୁଖପାତ୍ର ପଦ୍ମାକର ଗୁରୁଙ୍କ ସଞ୍ଚାଳନାରେ ଅନୁଷ୍ଠିତ ଏହି ସମାବେଶରେ ଦଳର ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ଭଦ୍ରକ ଲୋକସଭା ଆସନ ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀ, ଭଦ୍ରକ ଜିଲ୍ଲା ସଭାପତି ଅଶୋକ ଦାସ, ଆନନ୍ଦପୁର ବିଧାନସଭା ପ୍ରାର୍ଥୀ ଜୟଦେବ ଜେନା, ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ସୁବ୍ରତ ଦାସ, ଲୋକସଭା ଆସନର ଦଳୀୟ ପର୍ଯ୍ୟବେକ୍ଷକ ସୁଧାଂଶୁ ଶେଖର ଜେନା, ରାଜ୍ୟ ପ୍ରଚାର କମିଟି ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ, ଜିଲ୍ଲା ପ୍ରଚାର କମିଟି ଅଧ୍ୟକ୍ଷ ନଳିନୀ ମହାନ୍ତି, ସଂଖ୍ୟାଲଘୁ ନେତା ଅବଦୁଲ କାଲାମ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚାନ୍ଦ, ଭଣ୍ଡାରିପୋଖରୀ ବ୍ଲକ ସଭାପତି ରଜନୀକାନ୍ତ ଚାନ୍ଦ, ବନ୍ତ ବ୍ଲକ ସଭାପତି ରାଜକିଶୋର ସ୍ୱାଇଁ, ଅକ୍ଷୟ ତ୍ରିପାଠୀ, ଗୋଲକ ଚନ୍ଦ୍ର ବେହେରା, ଵିଜୟ ଶଙ୍କର ମହାନ୍ତି, ଅଜୟ ସାହୁ, ନରନାରାୟଣ ଜେନା, ରାଜେନ୍ଦ୍ର ପ୍ରସାଦ ଜେନାଙ୍କ ସମେତ ଉଭୟ ବ୍ଲକର ଦଳୀୟ ସମର୍ଥନରେ ନିର୍ବାଚିତ ସରପଞ୍ଚ,ସମିତିସଦସ୍ୟଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ମଞ୍ଚାସୀନ ହୋଇଥିଲେ। ପ୍ରାରମ୍ଭରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦଳୀୟ କର୍ମୀମାନେ ବିଶାଳ ବାଇକ ଶୋଭାଯାତ୍ରାରେ ଦଳୀୟ ନେତାମାନଙ୍କୁ ସ୍ୱାଗତ ଜଣାଇ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଏଥିରେ ନିର୍ବାଚନ ମଣ୍ଡଳୀର ପ୍ରାୟ ହଜାର ହଜାର କର୍ମୀ ଯୋଗଦେଇଥିଲେ।