ରାମଗଡ଼ରେ ସରକାରୀ ଯୋଜନା ଅପହଂଚ

ଜୟପୁର: ଗାଁର ଉନ୍ନତି ପାଇଁ ସରକାରଙ୍କ ଯୋଜନାର କି ଏଥିପାଇଁ ଅର୍ଥର ଅଭାବ ମଧ୍ୟ ନାହିଁ। ହେଲେ ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଛା ଶକ୍ତି ଅଭାବ ଯୋଗୁଁ ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ ସରକାରୀ ଯୋଜନା ଅନେକ ଗାଁରେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏମିତି ଏକ ଗାଁ ହେଉଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ରାମଗଡ଼। ଏହି ଗାଁକୁ ରଣ୍ଡାପାଲ୍ଲୀ ପଂଚାୟତ କାର୍ଯ୍ୟାଳୟରୁ ଯିବାକୁ ହେଲେ ପ୍ରାୟ ୧୨କିଲୋମିଟର ପାଦରେ ଚାଲିଚାଲି ଯିବାକୁ ହୁଏ। ରଣ୍ଡାପାଲ୍ଲୀ ଛକରୁ ତାଡ଼ପାଣି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲେ ହେଁ ବୈରାଗୀମଠ ପର୍ଯ୍ୟନ୍ତ ଏହି ରାସ୍ତା ଆସି ଅଟକି ଯାଇଛି। ବନବିଭାଗର କ୍ଲିଆରନସ୍ ମିଳିଲେ ଯାଇ ରାସ୍ତା କାମ କରାଯିବା ବାହାନା କରି ଠିକା ସଂସ୍ଥା ଗତ ୪ବର୍ଷ ହେବ ରାସ୍ତା କାମ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଗାଁକୁ ତୁରନ୍ତ ସ୍ବଚ୍ଛପାନୀୟ ଜଳ, ରାସ୍ତା ସହ ସର୍ବାଙ୍ଗୀନ ବିକାଶ କରିବା ପାଇଁ ସ୍ବେଚ୍ଛାସେବୀ ବି.ହରିରାଓ ଗ୍ରାମବାସୀଙ୍କୁ ନେଇ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି।

ବୈରାଗୀମଠରୁ ରାମଗଡ଼ ସଂପୂର୍ଣ୍ଣ ପାହାଡି ରାସ୍ତା। ଏଠାରୁ ପ୍ରାୟ ୫କିଲୋମିଟର ଚାଳିକି ପାହଡ଼କୁ ଅତିକ୍ରମ କରି ଏହାର ଶିଖରରେ ରହିଛି ଏହି ଗାଁ। ନିତିଦିନିଆ ରାସ୍ତା ନଥିବା ବେଳେ ଲୋକେ ଚାଲିଚାଲି ଯିବା ଆସିବା ପାଇଁ ଗୋଟିଏ ବୈରାଗୀମଠ ଆଡ଼କୁ ଅନ୍ୟଟି ଗଡ଼ପଦର ଗାଁ ନିକଟକୁ ପାଦଚଳା ରାସ୍ତା କରିଛନ୍ତି। ଏହି ଗାଁରେ ୭୦ରୁ ଊର୍ଦ୍ଧ୍ବ ପରିବାରର ୩୦୦ଲୋକ ବସବାସ କରୁଛନ୍ତି। ଗାଁର ସମେସ୍ତ ଅନୁସୂଚିତ ଜନଜାତି (ଆଦିବାସୀ) ସଂପ୍ରଦାୟର। ଯଦିଓ ସବୁ ପରିବାରକୁ ସରକାରଙ୍କ ପକ୍ଷରୁ ରାସନକାର୍ଡ଼ ଖଣ୍ଡିକ ଦିଆଯାଇଛି। ତେବେ ଗାଁକୁ ରାସ୍ତା ନଥିବାରୁ ଗାଁରେ ପ୍ରଧାନମନ୍ତ୍ରୀ ଆବସ ଯୋଜନାର ଘର ଖଣ୍ଡିକ ବି ନିର୍ମାଣ ହୋଇନି। ଗାଁରେ ପ୍ରାଥମିକ ସ୍କୁଲ ଖଣ୍ଡିକ ରହିଥିବା ବେଳେ ଅଙ୍ଗନୱାଡୀ କେନ୍ଦ୍ର ସହାୟକଙ୍କ ଘରେ ଚାଳିଛି। ଏକ ଟଙ୍କା ଚାଉଳ ଓ ଭତ୍ତା ପାଇଁ ଏମାନେ ଚାଳି ଚାଳି ରଣ୍ଡାପାଲ୍ଲୀ ଆସିବାକୁ ପଡ଼ୁଛି। ଗାଁରେ କାହାର ଦେହ ଖରାଫ ହେଲେ କିମ୍ବା ଗର୍ଭବତୀ ମହିଳା ପ୍ରସବବେଦନା ଆରମ୍ଭ ହେଲେ କଥା ସରିଲା। ଖଟିଆରେ ବୋହି ବୋହି ରୋଗୀଙ୍କୁ ପ୍ରଥମେ ରାବଣାଗୁଡା ସିଏଚସି ଓ ପରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇକି ଯାଉଛନ୍ତି।

ଶିକ୍ଷା କଥା ନ କହିବା ଭଲ। କୋଭିଡ୍ ପର ଠାରୁ ଆଉ ପିଲା ସ୍କୁଲ ବାରଣ୍ଡା ମାଡ଼ୁନଥିବା ଗାଁ ଲୋକେ କହିଛନ୍ତି। ଗାଁରେ ରହୁ ନାହାନ୍ତି ଅଙ୍ଗନୱାଡୀ କର୍ମୀ। ସବୁ ଠାରୁ ଏହି ଗ୍ରାମବାସୀଙ୍କ ବଡ଼ ସମସ୍ୟା ପାନୀୟ ଜଳ। ଗାଁରେ ନଳକୁଅ ନଥିବା ବେଳେ ଝରଣାପାଣିକୁ ଅଟକାଇ ପାଣି ପାଇପରେ ଦିଆଯାଉଛି। ତେବେ ତାହା ଅଳ୍ପ କିଛି ଦିନ କାମ କରିବା ପରେ ଯଥାପୂର୍ବଂକୁ ତଥା ପରଂ ବୋଲ କହିଛନ୍ତି ଗ୍ରାମବାସୀ। ଗ୍ରାମବାସୀ ଏହି ଝରଣାପାଣିକୁ ହିଁ ଶୌଚ ଓଗାଧୁଆ ପାଧୁଆ କରୁଛନ୍ତି। ୬୩ଟି ପରିବାରରୁ ମାତ୍ର ୨୨ଟି ପରିବାରକୁ ତଳେ କଲୋନି କରି ଆଣିବାକୁ ପ୍ରୟାସ କରାଯାଇଥିଲା। ତେବେ ଏହି କଲୋନିରେ ମୌଳିକ ସୁବିଧାକିଛି ନଥିବାରୁ କେହି ବି ଏହି କଲୋନିରେ ରହୁ ନଥିବା କହିଛନ୍ତି ଗ୍ରାମବାସୀ। ଗାଁର ଏଭଳି ସ୍ଥିତି ସଂପର୍କରେ ବାରମ୍ବାର ପଂଚାୟତ, ବ୍ଲକ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଅବଗତ କରୁଥିଲେ ହେଁ କିଛି ସୁଫଳ ମିଳୁନାହିଁ। ନିର୍ବାଚନ ବେଳେ ଗାଁକୁ ରାସ୍ତା, ସାମଗ୍ରୀକ ବିକାଶ କରାଯିବ ବୋଲି କହୁଥିବା ନେତାମାନେ ପରେ ଆମକୁ ଭୁଲି ଯାଉଛନ୍ତି। ଆମଭାଗ୍ୟକୁ ଆଦରି ଆମେ ପଡ଼ି ରହୁଛୁ ବୋଲି ଗ୍ରାମବାସୀ ମାନେ କହିଛନ୍ତି।

ସମ୍ବନ୍ଧିତ ଖବର