ଦଶପଲ୍ଲା ବ୍ଲକ୍‌ରେ ବାଟ ହୁଡ଼ୁଛି ସରକାରୀ ଯୋଜନା : ହିତାଧିକାରୀଙ୍କ ପେଟକୁ ଦାନା ନାହିଁ, ମୁଣ୍ତ ଗୁଞ୍ଜିବାକୁ ଘର ନାହିଁ

ବ୍ଲକ୍‌ ସମ୍ମୁଖରେ ଧାରଣା ପାଇଁ ଚେତାବନୀ

ଦଶପଲ୍ଲା : ସରକାର ଗରିବ ଗୁରୁବାଙ୍କ ପାଇଁ ମାଳମାଳ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଗର୍ଭବତୀ ମହିଳାଙ୍କ ପାଇଁ ମମତା ଯୋଜନାଠାରୁ ଆରମ୍ଭ କରି ମଣିଷର ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି। ଏପଟେ ଦେଶରେ ଯେପରି କେହି ଭୋକିଲା ନ ରହିବେ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ ହୋଇଥିବା ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ମଧ୍ୟ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେହିପରି ପ୍ରତ୍ୟେକ ଗରିବ ଓ ବାସହୀନ ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ଆବାସ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ବେଳେ ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଘୁଗୁଡିପଡା ପଞ୍ଚାୟତର ସୀମାନ୍ତ ଖଣ୍ତାଧୁଆ ଗ୍ରାମର କମଳା ପ୍ରଧାନଙ୍କ ପାଇଁ ଏସବୁ ଯୋଜନା ବାଟ ହୁଡ଼ିଥିବା ଭଳି ମନେ ହେଉଛି। ସରକାରୀ ସ୍ତରରୁ ନା ପେଟକୁ ଦାନା ମୁଠେ ମିଳୁଛି ନା ମୁଣ୍ତଗୁଞ୍ଜି ରହିବା ପାଇଁ ଆବାସ ଖଣ୍ଡେ ମିଳୁଛି। ବିଭିନ୍ନ ରାଜନେତାଙ୍କଠାରୁ ଆରମ୍ଭ କରି ପଂଚାୟତ ଓ ବ୍ଲକ୍‌ ସ୍ତର ପର୍ଯ୍ୟନ୍ତ ଧାଇଁ ଧାଇଁ ନିରାଶ ହେବା ପରେ ଏବେ କମଳା ପରିବାର ସହ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ଚେତାବନୀ ଦେଇଛନ୍ତି।

କମଳାଙ୍କ କହିବା ଅନୁଯାୟୀ ସ୍ବାମୀ ସୁଶାନ୍ତ ପ୍ରଧାନ ମୁଲ ମଜୁରୀକୁ ଯାଉଥିବା ବେଳେ ବେଳେବେଳେ ଟ୍ରାକ୍ଟର ମଧ୍ୟ ଚଳାନ୍ତି। ପରିବାର କହିଲେ ଦୁଇ ପୁଅ ସୁମନ୍ତ(୧୪) ଓ ବବୁଲ୍(୯)। ଜମିବାଡ଼ି ଖଣ୍ଡେ ନଥିବା ବେଳେ ସ୍ବାମୀଙ୍କ ମଜୁରୀରେ ପରିବାର ଚଳିବା ସହ ଦେହ ପା’ ଭଲମନ୍ଦ ବୁଝିବାକୁ ପଡ଼ିଥାଏ। ଏହା ମଧ୍ୟରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ଚାଳ ଖଣ୍ତିକ ଛପର କରିବା ପାଇଁ ଅର୍ଥ ବାଧକ ସାଜିଛି। ଅଧା ଚାଳରେ ଗଛଲତା ଉଠିଥିବା ବେଳେ ଅଧା ଚାଳରେ ଜରିପାଲ ପକାଇ ରହୁଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବାପାଇଁ ପଂଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଆସି ବାରମ୍ବାର ଦରଖାସ୍ତ କରିଛନ୍ତି। ହେଲେ କେହି ଏଥିପ୍ରତି ଗୁରୁତ୍ବ ଦେଉନଥିବା ବେଳେ ବ୍ଲକ୍‌ ଯୋଗାଣ ଅଧିକାରୀ ଟାଗେର୍ଟ ନାହିଁ ଟାଗେର୍ଟ ଆସିଲେ ଦେଖିବା କହି ଫେରାଇ ଦେଉଥିବା ସେ ଅଭିଯୋଗ ଆଣିଛନ୍ତି। ସେହିପରି ଘରଖଣ୍ଡେ ପାଇଁ ପଂଚାୟତ ଓ ବ୍ଲକ୍‌ରେ ଦରଖାସ୍ତ କରିଛନ୍ତି। ହେଲେ ଏଥିପ୍ରତି କୈାଣସି ବି ଅଧିକାରୀ ଗୁରୁତ୍ବ ନଦେବା ହେତୁ ନିରାଶ ହୋଇ ପଡି ରହିଛନ୍ତି। ଲକ୍‌ଡାଉନ୍ ପାଇଁ କାମଧନ୍ଦା ବନ୍ଦ ରହିଥିବା ବେଳେ ଘର ଚଳାଇବା କଷ୍ଟସାଧ୍ୟ ହୋଇ ପଡ଼ୁଥିବା ସେ ପ୍ରକାଶ କରିଛନ୍ତି। ତେବେ ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ଗୁରୁତ୍ବ ଦେଉନଥିବା ବେଳେ ପରିବାର ସହ ବ୍ଲକ୍‌ ସମ୍ମୁଖରେ ଧାରଣା ଦେବାପାଇଁ କମଳା ଚେତାବନୀ ଦେଇଛନ୍ତି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟିଦେବା ଆବଶ୍ୟକ ହୋଇପଡ଼ିଛି।

ସମ୍ବନ୍ଧିତ ଖବର

Comments are closed.