ନୂଆଗାଁ : ଦେଶ ସ୍ବାଧୀନ ହେବା ପରେ ୧୯୬୧ ମସିହା ଜାନୁଆରି ୨୬ ତାରିଖ ଦିନ ବ୍ଲକ୍‌ ମାନ୍ୟତା ହାସଲ କଲା ନୂଆଗାଁ। ସେହିଦିନଠାରୁ ପ୍ରଶାସନିକ ଅଧିକାରୀମାନେ ନୂଆଗାଁ ବ୍ଲକ୍‌ର ବିକାଶ କରିବାକୁ ଶପଥ ନେଲେ। କିନ୍ତୁ ଅତୀତରେ ଦେଖିବାକୁ ଗଲେ ଲୋକମାନେ ସେହି ଅଙ୍କାବଙ୍କା, ଖାଲଖମା, ରାସ୍ତା ଦେଇ ଯେଉଁଭଳି ଯିବାଆସିବା କରୁଥିଲେ ଏବେ ବି ସେହି ରାସ୍ତା ଦେଇ ସେମିତି ଅବସ୍ଥାରେ ଯିବାଆସିବା କରୁଛନ୍ତି। ଏହି ଅଗମ୍ୟ ଅଂଚଳର ବିକାଶ ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ତାହା ସରକାରଙ୍କ ନାଲିଫିତା ତଳେ ଚାପି ହୋଇ ରହିଯାଉଥିବା ଜଣାପଡ଼ିଛି। ଏହି କଥା କେବଳ ଗୋଟିଏ ଅଂଚଳର ନୁହଁ, ବ୍ଲକ୍‌ର ବିଭିନ୍ନ ଅଞ୍ଚଳକୁ ଲକ୍ଷ୍ୟ କଲେ ତାହା ସହଜରେ ଅନୁମାନ କରିହେବ। ବିଗତ ୬୦ ବର୍ଷ ମଧ୍ୟରେ ୪୮ଜଣ ବିଡିଓ ଏଠାରେ କାର୍ଯ୍ୟ ତୁଲାଇ ସାରିଲେଣି। କିନ୍ତୁ ଏହି ଆଦିବାସୀ ଅଧ୍ୟୁଷିତ ଅଂଚଳର କଥା ଦିନେ ହେଲେ କେହି ଚିନ୍ତା କରିନାହାନ୍ତି।

Advertisment

ତେଲିଆ ମୁଣ୍ତରେ ତେଲ ନ୍ୟାୟରେ ପଞ୍ଚାୟତର କେତେକ ମୁଖ୍ୟ ଗାଁ’କୁ ଛାଡ଼ିଦେଲେ ଅନ୍ୟ ଗାଁ’ କଥା କେବେ କେହି ବୁଝିନାହାନ୍ତି। ଅନେକ ବାଧାବିଘ୍ନ ଦେଇ ଗତି କରୁଛି ନୂଆଗାଁ ବ୍ଲକ୍। ଏହି ଅଂଚଳରେ ରାସ୍ତାଘାଟ ଅଭାବରୁ ପିଲାଙ୍କ ପାଠପଢ଼ାରେ ଡୋରି ବନ୍ଧା ହେଉଥିବା ବେଳେ ଆଉ କେତେକ ବ୍ୟକ୍ତି ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ନପାରି ଅକାଳ ମୃତ୍ୟୁମୁଖରେ ପଡ଼ୁଥିବା ଦେଖିବାକୁ ମିଳୁଛି। ଲୋକ ପ୍ରତିନିଧିମାନେ ନିର୍ବାଚିତ ହୋଇ ନିଜ ପକେଟ ଗରମ କରୁଥିବା ବେଳେ ଲୋକଙ୍କ ସୁଖ ଦୁଃଖରେ କେବେ ସାମିଲ ହୋଇ ନାହାନ୍ତି। ଏବେବି ଅନେକ ଗାଁ’ ଅବହେଳିତ ଅବସ୍ଥାରେ ରହିଛି। ଗାଁ’ଗୁଡ଼ିକୁ ରାସ୍ତାଘାଟ ନଥିବା ବେଳେ, ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ, ପାନୀୟ ଜଳ ଆଦି ଅସୁବିଧା ଲାଗି ରହିଛି।

publive-imageସୂଚନା ଥାଉକି, ନୂଆଗାଁ ବ୍ଲକ୍ ୨୨ଟି ପଞ୍ଚାୟତକୁ ନେଇ ଗଠିତ। ଏଠାରେ ଏକ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ୨୭୭ ଖଣ୍ତ ଗାଁ’ ରହିଛି। ଏଥିରେ ୫୨ ହଜାର ପୁରୁଷ ଥିବା ବେଳେ ୪୯ ହଜାର ଜଣ ମହିଳା ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ଦଳିତ ବର୍ଗର ୯ ହଜାର ପୁରୁଷ ଓ ୮ ହଜାର ୫ ଶହ ମହିଳା ରହିଛନ୍ତି। ସେହିପରି ଆଦିବାସୀ ଶ୍ରେଣୀର ଲୋକଙ୍କୁ ଦେଖିବାକୁ ଗଲେ ୭ ହଜାର ପୁରୁଷ ଥିବା ବେଳେ ୬ ହଜାର ମହିଳା ଅଛନ୍ତି। ଆଦିବାସୀ ବର୍ଗର ଲୋକ ହୁଅନ୍ତୁ କି ଦଳିତ ବର୍ଗର, ଏମାନେ ସମସ୍ତେ ସବୁବେଳେ ଅଣଦେଖାର ଶିକାର। ଏମାନେ ରହୁଥିବା ଗାଁ’ଗୁଡ଼ିକର ବିକାଶ ହୋଇନଥିବା ବେଳେ ଲୋକ ପ୍ରତିନିଧି ଓ ଠିକାଦାର ମିଶି ପ୍ରକଳ୍ପ ଅର୍ଥ ଆତ୍ମସାତ୍ କରିବାରେ ଲାଗିପଡ଼ିଛନ୍ତି। ଲୋକଙ୍କୁ ସେବା ଯୋଗାଇବା ବଦଳରେ ଆଗ ରୋଜଗାରକୁ ଆପଣେଇଛନ୍ତି ବୋଲି କିଛି ବୁଦ୍ଧିଜୀବୀ ଶ୍ରେଣୀୟ ବ୍ୟକ୍ତି ଅଭିଯୋଗ କରିଛନ୍ତି।

ଏହି ଦୁର୍ଗମ ଅଂଚଳର ଅବସ୍ଥାକୁ ଦେଖି ଅନେକ ବ୍ୟକ୍ତି ପିଲାଙ୍କୁ ପାଠ ପଢ଼ିବାକୁ ବାହାରକୁ ଛାଡ଼ୁନାହାନ୍ତି। ପିଲାଙ୍କୁ ୧୪ରୁ ୧୫ବର୍ଷ ହେବା ପରେ ଘର ଛାଡ଼ି ରୋଜଗାର କରିବାକୁ ଠିକାଦାରଙ୍କ ସହିତ ବାହାର ରାଜ୍ୟକୁ ଛାଡ଼ି ଦିଅନ୍ତି। ଏହି ଅଗମ୍ୟ ଅଂଚଳର ଲୋକଙ୍କ ବେଉସା ହେଉଛି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରିବା। କିନ୍ତୁ ଜଙ୍ଗଲ ଅସ୍ତେ ଆସ୍ତେ କ୍ଷୟ ହେବା ପରେ ଏମାନେ ଚାଷ କାର୍ଯ୍ୟକୁ ଆପଣାଇଥିଲେ। ହାତୀପଲ ଗାଁ’ରେ ପଶି ଧାନକ୍ଷେତ ନଷ୍ଟ କରିବା ପରେ ଲୋକେ ଚାଷବାସ ଉପରୁ ଭରସା ତୁଟାଇଛନ୍ତି। ଏବେ ସରକାରଙ୍କ ତରଫରୁ ମିଳୁଥିବା ଚାଉଳ ଉପରେ ଲୋକେ ନିର୍ଭର କରିଛନ୍ତି। ଜଙ୍ଗଲରୁ ମିଳୁଥିବା କନ୍ଦା, କୟାଁ ଓ ଆମ୍ବୁଲ ଆଦି ସଂଗ୍ରହ କରି ସେଥିରେ ନିଜର ଭୋକ ମେଣ୍ଟାଉଛନ୍ତି। ଏହା ଭିତରେ ଦଲାଲମାନେ ଗାଁ’ରେ ପଶି ଆବାସ, ରାସନ କାର୍ଡ, ଜବ୍‌କାର୍ଡ, ଲେବର‌୍ କାର୍ଡ, ଭତ୍ତା ଆଦି କରାଇ ଦେବାକୁ କହି ଶହଶହ ଟଙ୍କା ସେମାନଙ୍କଠାରୁ ଲୁଟ୍‌ କରୁଛନ୍ତି।

ନୟାଗଡ଼ ସଦର ମହକୁମାଠାରୁ ମାତ୍ର ୭ କିଲୋମିଟର ଦୂର ନୂଆଗାଁ ବ୍ଲକ୍‌ ମାଳିସାହି ପଞ୍ଚାୟତର ଢିପାମାଳ, ଚକାପଥର, ରାଜନପଲ୍ଲୀ, ଗୋଛାବାରୀ, ନୂଆସାହି ଆଦି ଗାଁ’କୁ ଆଜି ପର୍ଯ୍ୟନ୍ତ ନିତିଦିନିଆ ରାସ୍ତାଟିଏ ହୋଇପାରିନାହିଁ। ମୁଖ୍ୟ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ ବିବାଦ ଯୋଗୁ ରାସ୍ତା ନିର୍ମାଣ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଲୋକମାନେ ଜଙ୍ଗଲ ଭିତରେ ପଶି ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ପିଲାଙ୍କ ପାଠପଢ଼ା କଥା କହିଲେ ପଞ୍ଚମ ପାସ୍‌। ଏଠାରୁ ମାଳିସାହି ୪ କିଲୋମିଟର ଆସିବାକୁ ହେଲେ ବାଘମାରୀ ନଦୀ ପଡ଼ୁଥିବାରୁ ଛାତ୍ରଛାତ୍ରୀଙ୍କ ପକ୍ଷେ ବିଦ୍ୟାଳୟ ଆସିବା କଷ୍ଟକର ହୋଇପଡ଼ୁଛି। ସେହି ଗାଁ’କୁ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ସାତସପନ ହୋଇ ରହିଛି। ଗୋଟିଏ ଦୁଇଟିରୁ ଅଧିକ ନଳକୂପ ନାହିଁ। ଆଜି ସୁଦ୍ଧା ଲୋକମାନେ ସେହି ନଦୀ-ଚୂଆ ପାଣି ଉପରେ ନିର୍ଭର କରିଛନ୍ତି। ସେହିପରି ଗାଁ’ରେ ସ୍ବଚ୍ଛ ପରିମଳ ଯୋଜନା ଭୁଶୁଡ଼ି ଯାଇଛି। ସରକାର କାଗଜକଲମରେ ସବୁ ଯୋଜନା ସଂପୂର୍ଣ୍ଣ ହୋଇଥିବା ଦର୍ଶାଉଥିବା ବେଳେ ଗାଁ’ରେ ଆଜି ପର୍ଯ୍ୟନ୍ତ ଯୋଜନା ଅପହଞ୍ଚ ହୋଇରହିଛି। ସେହିପରି ନୂଆଗାଁ ସଦର ମହକୁମାକୁ ଲକ୍ଷ୍ୟ କଲେ ନୂଆଗାଁ ପଞ୍ଚାୟତ ଖାଲମଡ଼ା ଗ୍ରାମର ୧୫ ପରିବାର ରାସ୍ତାକଡ଼ରେ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି। କାହାକୁ ଛପର ଫାଡ଼ିକି ମିଳୁଛି ତ ଆଉ କାହାକୁ ଦି’ଓଳି ଦି’ମୁଠା ଖାଇବାକୁ ମିଳୁନି। ଏମାନଙ୍କୁ ପ୍ରଶାସନ ପକ୍ଷରୁ କେବଳ ୫ କିଲୋ ଚାଉଳ ବ୍ୟତୀତ ଅନ୍ୟ କୌଣସି ସୁବିଧା ମିଳୁନଥିବା ଜଣାପଡ଼ିଛି।

publive-image

ଦଳିତ ପରିବାରର ଲୋକମାନେ ଏପରି ଅବସ୍ଥାରେ ୪୦ ବର୍ଷରୁ ଊର୍ଦ୍ଧ୍ବ ହେବ ରାସ୍ତାକଡ଼ରେ ପଡ଼ିଛନ୍ତି। ସେମାନଙ୍କୁ ବସୁନ୍ଧରା ଯୋଜନାରେ ୪ ଡେସିମାଲ୍‌ ଜାଗା ଦେବାକୁ ସରକାର ନିୟମ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ। ଲୋକମାନେ ଏଠାରେ ଦୁଃଖପୂର୍ଣ୍ଣ ଜୀବନଯାପନ କରୁଥିଲେ ମଧ୍ୟ କେହି ଆହା କହିବାକୁ ଆସିନାହାନ୍ତି। ପ୍ରତିଦିନ ଏହି ରାସ୍ତା ଦେଇ ନେତା-ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଡ଼ବଡ଼ ବାବୁମାନେ ଯିବାଆସିବା କରନ୍ତି କିନ୍ତୁ ସେମାନଙ୍କ ଦୁଃଖ କେବେ ଶୁଣିନାହାନ୍ତି। ଏବେ କରୋନା ମହାମାରୀ ସମୟରେ କାମଧନ୍ଦା ବନ୍ଦ ହେବାରୁ ତାଙ୍କ ପକ୍ଷେ ଚଳିବା କଷ୍ଟକର ହୋଇଛି। ସେହିପରି ଦୁରୁଦୁରା ପଞ୍ଚାୟତର ନେଳିବାରି, ନୂଆପଲ୍ଲୀ, ବନମାଳିପୁର, ଝରଣା, କିରିଆଲାଞ୍ଜି, ଗୋପୀନାଥପୁର, ବଡ଼ଗୋଠ ପଞ୍ଚାୟତର ବାଣୁଆସାହି, କରଡ଼ାପଲ୍ଲୀ, ଏକତାଳ, ଜାକେଡ଼ା ପଞ୍ଚାୟତର ଲୁଣି, ବାଗିଆମ୍ବା, ଜିରୀ, ତୁକୁଡ଼ା, କାଳିଆମ୍ବା, ଡମତୁଲ, ଦୁରୁଙ୍ଗି, କରଚୁଲି, ଛଣବଣିଆ, କେନ୍ଦୁବଣିଆ, ଡିମିରିଆ ଆଦି ଗାଁ’ର ଅବସ୍ଥା କଥା ନ କହିବା ଭଲ। ସରକାରଙ୍କ ସବୁ ଯୋଜନା ଏମାନଙ୍କ ପାଇଁ ଉପହାସରେ ପରିଣତ ହୋଇଛି। ଏହି ଅଂଚଳବାସୀଙ୍କ ଅବସ୍ଥା କେବେ ସୁଧୁରିବ ତାଙ୍କ ପିଲାମାନେ ପାଠପଢ଼ି କେବେ ବଡ଼ ମଣିଷ ହେବେ ସମସ୍ତଙ୍କୁ ସେହି ଚିନ୍ତା ଘାରିଛି। ବ୍ଲକ୍‌ର କାପ୍ତାପଲ୍ଲୀ ପଞ୍ଚାୟତକୁ ଲକ୍ଷ୍ୟ କଲେ ବଡ଼ଦୁରୁପା, ପୁରୁଣାପାଣି, କଣବାଙ୍କ, ବୁରୁଦେଇ, ପୋବଲା, ସୀମା, ଲୁହାରଖଣି, ଘୁଡ଼ୁକାବାରୀ, ମକରାପଲ୍ଲୀ, କୋରାଗାଡ଼ୁ, ମଣିଆକୋଟ ଗାଁ’ର ଅବସ୍ଥା ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ସେହିପରି ଗୁମୀ, ବେରୁଆଁବାରୀ, ସିଙ୍ଗାରପଲ୍ଲୀ, ପାରାଢ଼ିପି ଗାତେରୀ, ହରିପୁର ଓ ଉଦୟପୁର ପଞ୍ଚାୟତର ଲୋକମାନେ ବହୁ ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି।

ଏହିସବୁ ଗାଁ’ର ବିକାଶ ବାଟବଣା ହୋଇଥିବା ବେଳେ ବିକାଶ ନାଁ’ରେ ରାଜନେତାମାନେ ଅର୍ଥ ଆତ୍ମସାତ୍ କରି ଚାଲିଛନ୍ତି। ଏପଟେ ବ୍ଲକ୍‌ର ବିଡିଓ, ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ବିକାଶ ହେଉଥିବାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରୁଛନ୍ତି। ଦଶପଲ୍ଲା ନିର୍ବାଚନ ମଣ୍ତଳୀରେ ଯାଉଥିବା ନୂଆଗାଁ ବ୍ଲକ୍ ଉପରେ କାହାର ନଜର ଟିକେ ନାହିଁ। ବିଧାୟକ, ସାଂସଦମାନେ ଏହି ଅଂଚଳ ବୁଲି କେବେ ଲୋକଙ୍କ ଅସୁବିଧା କଥା ବୁଝିନାହାନ୍ତି। ବର୍ଷାଦିନ ହେଲେ ଏହି ଅଂଚଳର ଲୋକଙ୍କ ଦୁର୍ଦ୍ଦଶା ଦଶଗୁଣ ବଢ଼ିଯାଏ। କେଉଠି ନଦୀବନ୍ଧ ଭାଙ୍ଗି ପାଣି ଗାଁ’ରେ ପଶିଲାଣି ତ ଆଉ କାହାର ଘର ଭାଙ୍ଗି ତଳେ ପଡ଼ିଗଲାଣି। ଏମିତି ଅବସ୍ଥାରେ ଶହଶହ ଲୋକ ବାସହରା ହୋଇ ରହିଛନ୍ତି। ନୂଆଗାଁବାସୀଙ୍କ ବାସ୍ତବ ସମସ୍ୟା ପ୍ରତି ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟି ଦେଲେ ଅଞ୍ଚଳର ନିଶ୍ଚିତ ବିକାଶ ହୋଇପାରନ୍ତା ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି।