ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଶିଙ୍ଗପୁର ଗାଁ : ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ଯୋଗାଣ ଅପହଞ୍ଚ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଉଦୟପୁର ପଞ୍ଚାୟତ ଶିଙ୍ଗପୁର ଗାଁ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ଥିବା ଜଣାପଡ଼ିଛି। ଗାଁକୁ ଆଜି ପର୍ଯ୍ୟନ୍ତ ନିତିଦିନିଆ ରାସ୍ତାଟିଏ ନିର୍ମାଣ ହୋଇନଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଅପହଞ୍ଚ ହୋଇରହିଛି। ସମସ୍ୟାକୁ ନେଇ ଗ୍ରାମବାସୀମାନେ ପ୍ରଶାସନ ନିକଟରେ ପହଞ୍ଚିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ତେବେ ଗାଁର ବିକାଶ କେବେ ହେବ ତାହା ଦେଖିବାକୁ ବାକି ରହିଛି।

ସୂଚନାଯୋଗ୍ୟ, ଶିଙ୍ଗପୁର ଅତି ନିପଟ ଆଦିବାସୀ ଗାଁ। ଗାଁର ୨୮ ପରିବାରରେ ଦେଢ଼ ଶହରୁ ଊର୍ଦ୍ଧ୍ବ ଅଧିବାସୀ ବସବାସ କରନ୍ତି। ନୂଆଗାଁଠାରୁ ବ୍ଲକ୍ କାର୍ଯ୍ୟାଳୟ ୧୦ କିଲୋମିଟର ଏବଂ ଉଦୟପୁର ପଞ୍ଚାୟତରୁ ୪ କିଲୋମିଟର ଦୂରତାରେ ଶିଙ୍ଗପୁର ଗାଁ ପଡ଼େ। ଆଜି ପର୍ଯ୍ୟନ୍ତ ଗାଁକୁ ନିତିଦିନିଆ ରାସ୍ତାଟିଏ ନିର୍ମାଣ ହୋଇ ନଥିବାରୁ ସବୁବେଳେ ଗାଁରେ ଅସନ୍ତୋଷ ଦେଖାଦେଉଛି। ଗ୍ରାମବାସୀମାନେ ସେହି ଜଙ୍ଗଲିଆ ଆବୁଡ଼ା ଖାବୁଡ଼ା ରାସ୍ତାରେ ପ୍ରତିଦିନ ଯାତାୟାତ କରିଥାନ୍ତି। ଏମିତି ଅବସ୍ଥାରେ କଲେଜ ପଢ଼ୁଆ ଛାତ୍ରଛାତ୍ରୀମାନେ ପ୍ରତିଦିନ ପାଠ ପଢ଼ିବାକୁ ଯାଇଥାନ୍ତି। ରାସ୍ତା ଖଣ୍ତିଏ ପାଇଁ ବହୁ ଥର ବ୍ଲକ୍ ଅଫିସ୍‌ରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ସୁଦ୍ଧା ରାସ୍ତା ନିର୍ମାଣ ତ ଦୂରର କଥା ଗାଁକୁ ସରକାରୀ ବାବୁମାନେ ମାଡ଼ନ୍ତିନି। ଶିଙ୍ଗପୁର ଗାଁର ଅଧିବାସୀମାନେ ଅଶିକ୍ଷିତ ଏବଂ କୃଷକ ପରିବାରର। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜମିରେ ଖଟି ଯାହା ରୋଜଗାର କରନ୍ତି ସେଥିରେ ବର୍ଷସାରା ଚଳନ୍ତି। ବର୍ଷାଦିନ ହେଲେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଗାଁକୁ ଆମ୍ବୁଲାନ୍ସ କିମ୍ବା ୧୦୮ ଯାଇ ନପାରିବାରୁ ରୋଗୀମାନେ ଖଟିଆରେ ବୁହା ହୋଇଥାନ୍ତି। ଏମିତିକି ଗର୍ଭବତୀ ମହିଳାମାନେ ଅଧାବାଟରେ ପ୍ରସବ କରୁଥିବା ଗ୍ରାମବାସୀମାନେ କହିଛନ୍ତି।

 

ଗାଁଟି ପଞ୍ଚାୟତର ଶେଷ ଭାଗରେ ଥିବାରୁ କାହାର କେବେ ନଜର ନଥାଏ। ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ଥିଲେ ମଧ୍ୟ ତାହା ଏବେ ବନ୍ଦ ହୋଇ ରହିଛି। ପିଲା ସଂଖ୍ୟା ହ୍ରାସ ପାଇବା ଯୋଗୁ ବିଦ୍ୟାଳୟରେ ତାଲା ଝୁଲୁଛି। ଆଜି ପର୍ଯ୍ୟନ୍ତ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ନାହିଁ। କୁନି କୁନି ପିଲାମାନେ ଗାଁରୁ ଦୂରସ୍ଥାନ ଯିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଲାଙ୍କୁ ଠିକ୍ ଭାବେ ଅଣ୍ତା, ଛତୁଆ ମିଳୁନଥିବା ବେଳେ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି। ପାନୀୟ ଜଳ ଯୋଗାଣ ମଧ୍ୟ ହୋଇ ପାରିନାହିଁ। ସରକାର ପ୍ରତି ଗାଁକୁ ଜଳ ଯୋଗାଣ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ମଧ୍ୟ ତାହା ଏବେ ସ୍ବପ୍ନରେ ପରିଣତ ହୋଇଛି। ଗାଁରେ ଥିବା ଦୁଇଟି ନଳକୂପରୁ ଗୋଟିଏ ନଳକୂପ ଅସଜଡ଼ା ଅବସ୍ଥାରେ ରହିଛି। ବର୍ଷା ଦିନେ ଲୋକମାନେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଧିବାସୀମାନେ ଖୋଲାକୂପ କିମ୍ବା ନଦୀ ନାଳରୁ ଜଳ ସଂଗ୍ରହ କରି ତାହାକୁ ବ୍ୟବହାର କରିଥାନ୍ତି। ବହୁ ସମସ୍ୟା ଦେଇ ଆଦିବାସୀମାନେ କାଳାତିପାତ କରୁଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଗାଁକୁ ଆଜି ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ପାଦ ପଡ଼ିନଥିବା ବେଳେ ଲୋକମାନେ ସରକାରୀ ସାହାଯ୍ୟ ପାଇପାରୁନାହାନ୍ତି। ତେବେ ଶିଙ୍ଗପୁର ଗାଁକୁ ସରେକାରଙ୍କ ଦୃଷ୍ଟି କେବେ ପଡ଼ିବ, ତାହା ଦେଖିବାକୁ ବାକି ରହିଛି ବୋଲି ଆଦିବାସୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର