ସରକାରୀ ବିଦ୍ୟାଳୟ ବିଶ୍ୱାସଭାଜନ ହେଉଛି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୦ ତୁଳନାରେ ୨୦୨୧ରେ ୩% ଛାତ୍ରଛାତ୍ରୀ ବଢ଼ିଥିବା ନେଇ ଅସର୍‌ ‌ରିପୋର୍ଟରେ ଉଲ୍ଲେଖ ହୋଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଦୁଇ ବର୍ଷ ହେଲା ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ବିଶ୍ୱାସଭାଜନ ହୋଇପାରିଛି। ସରକାରୀ ସ୍କୁଲରେ ପଢ଼ିଲେ, ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସଂରକ୍ଷଣ ବ୍ୟବସ୍ଥାରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ସରକାରୀ ସ୍କୁଲ ପ୍ରତି ଆଗ୍ରହ ବଢ଼ି ଚାଲିଛି। ଏଥିସହ ସରକାରୀ ବିଦ୍ୟାଳୟର ରୂପ ବଦଳୁଛି। ସ୍ମାର୍ଟ କ୍ଲାସରୁମ୍‌, ଇ-ଲାଇବ୍ରେରି, ଇ-ଲାବରେଟୋରି ଓ ଭିତ୍ତିଭୂମି ସୁଦୃଢ଼ ହେଉଛି। ଯେଉଁଥିପାଇଁ ଛାତ୍ରଛାତ୍ରୀ ବେସରକାରୀ ସ୍କୁଲରୁ ଆସି ସରକାରୀ ସ୍କୁଲରେ ପାଠ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

ପିଲାଙ୍କ ନିକଟରେ ସ୍ମାର୍ଟ ଫୋନ୍‌ ଉପଲବ୍ଧତା ନେଇ ଶ୍ରୀ ଦାଶ କହିଲେ, ରାଜ୍ୟର ଅର୍ଦ୍ଧାଧିକ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍‌ ରହିଛି। ଗ୍ରାମାଞ୍ଚଳରେ ବି ସ୍ମାର୍ଟଫୋନ୍‌ ସଂଖ୍ୟା ବୃଦ୍ଧି ପାଇଛି। ତେବେ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ୍‌ ନଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଏଥିପାଇଁ ଅନଲାଇନ କ୍ଲାସ୍‌ରେ ମଧ୍ୟ ସମସ୍ୟା ଉପୁଜିଥିଲା। ଅଧିକାଂଶ ଅଞ୍ଚଳରେ ମୋବାଇଲ୍‌ ଟାୱାର ନାହିଁ, ନେଟୱାର୍କ ଆସୁ ନାହିଁ, ଯାହାକି ଅନ୍‌ଲାଇନ୍‌ ପାଠପଢ଼ାରେ ବାଧା ସୃଷ୍ଟି ହେବାର ଆଉ ଏକ ସମସ୍ୟା। ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାରମ୍ବାର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦେଢ଼ ବର୍ଷରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ରହିଥିବାରୁ ପିଲାଙ୍କ ପାଠପଢ଼ା ଲାଗି ଅଭିଭାବକମାନେ ଟ୍ୟୁସନ୍‌ ଉପରେ ନିର୍ଭରଶୀଳ ହୋଇଥିଲେ। ମାତ୍ର ଏବେ ଯେଉଁ ନୂଆ ଢାଞ୍ଚାରେ ପାଠପଢ଼ା ଓ ପରୀକ୍ଷା କରାଯିବା ପାଇଁ ନିଷ୍ପତ୍ତି ହୋଇଛି, ତାହା ଆଗାମୀ ଦିନରେ ସ୍କୁଲ ପାଠପଢ଼ା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ସୃଷ୍ଟି କରିବ। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନଥିବା ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର