ଭୁବନେଶ୍ବର: ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ ଜୁନ୍‌ ୨୦ରେ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି। ତେବେ ଘରୋଇ ବିଦ୍ୟାଳୟଗୁଡ଼ିକ ଖୋଲିବା ନେଇ କୌଣସି ତାରିଖ ଧାର୍ଯ୍ୟ ହୋଇ ନାହିଁ। ବିଦ୍ୟାଳୟ କର୍ତ୍ତୃପକ୍ଷ ଇଚ୍ଛା ଅନୁଯାୟୀ ଖୋଲିପାରିବେ। ସେଥିପାଇଁ ଭୁବନେଶ୍ବର ସମେତ ରାଜ୍ୟର କିଛି ଜିଲ୍ଲାରେ ଥିବା କେ‌ତେକ ଘରୋଇ ବିଦ୍ୟାଳୟ ଆଜି ଖୋଲିବା ସହ ପିଲାଙ୍କ ପାଠପଢ଼ା ଆରମ୍ଭ ହୋଇଛି। ଜୁନ୍‌ ୧୮, ୧୯ ଓ ୨୦ ତାରିଖରେ ଅନ୍ୟାନ୍ୟ ଘରୋଇ ବିଦ୍ୟାଳୟଗୁଡ଼ିକ ଖୋଲିବାକୁ ପିଲା ଓ ଅଭିଭାବକଙ୍କୁ ଅବଗତ କରିଛନ୍ତି।

Advertisment

ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ‘ଏକ୍ସ’ ମାଧ୍ୟମରେ ସ୍ପଷ୍ଟ କରାଯାଇଛି ‌ଯେ ୨୦୨୪ ଡିସେମ୍ବର ୯ରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଚିଠି ମୁତାବକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକ ଗ୍ରୀଷ୍ମ ଛୁଟି ପାଇଁ ଜୁନ୍‌ ୧୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଏବଂ ୨୦ ତାରିଖରେ ଖୋଲିବ। ସେହିପରି ଡିସେମ୍ବର ୪‌ରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ଚିଠି ଅନୁଯାୟୀ ଉଚ୍ଚ ବିଦ୍ୟାଳୟଗୁଡ଼ିକ ଗ୍ରୀଷ୍ମ ଛୁଟି ପରେ ଜୁନ୍‌ ୨୦ରେ ଖୋଲାଯିବ। ତେ‌ବେ ପିଏମ୍‌ ପୋଷଣ କାର୍ଯ୍ୟାଳୟ ପକ୍ଷରୁ ଭୁଲ୍‌ କ୍ରମେ ଜୁନ୍‌ ୧୮ ତାରିଖରେ ବିଦ୍ୟାଳୟ ଖୋଲିବ ବୋଲି ଦର୍ଶାଯାଇଥିଲା। ଉକ୍ତ ଚିଠିକୁ ସଂଶୋଧନ କରାଯାଇ ୧୬ ତାରିଖରେ ଆଉ ଏକ ବିଜ୍ଞପ୍ତି ପ୍ରକାଶ ସହ ଗ୍ରୀଷ୍ମ ଛୁଟି ପରେ ବିଦ୍ୟାଳୟଗୁଡ଼ିକ ୨୦ ତାରିଖରେ ଖୋଲିବ ବୋଲି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି। ଶିକ୍ଷା ଅଧିକାରୀମାନେ ସେହି ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।