ଏବେ ହାତପାଆନ୍ତାରେ ସରକାରୀ ସେବା

ଲୋକସେବା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ସବୁ ପଞ୍ଚାୟତରେ ଖୋଲିବ ‘ମୋ ସେବା କେନ୍ଦ୍ର’
ଲୋକାର୍ପିତ ହେଲା ୩୦୦୦ ‘ମୋ ସେବା କେନ୍ଦ୍ର’
୮୦୦୦ ଯୁବକ ଯୁବତୀଙ୍କୁ ଆତ୍ମ ନିଯୁକ୍ତି ସୁଯୋଗ
ଓଡ଼ିଶା ଓ୍ୱାନ୍ ପୋର୍ଟାଲ ବି ଲୋକାର୍ପିତ ହେଲା

ଭୁବନେଶ୍ବର : ଆଉ ତହସିଲ୍ କିମ୍ବା ବ୍ଲକ୍‌ କାର୍ଯ୍ୟାଳୟକୁ ବିଭିନ୍ନ ସେବା ପାଇଁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ଲୋକଙ୍କ କଷ୍ଟରୁ ଫାଇଦା ଉଠାଇପାରିବେ ନାହିଁ ଦଲାଲ। ବରଂ ଏଣିକି ସାଧାରଣ ଲୋକଟିଏ ନିଜ ଘର ପାଖରେ ବିଭିନ୍ନ ପ୍ରକାରର ସରକାରୀ ସୁବିଧା ପାଇପାରିବେ। ଏଥିପାଇଁ ରାଜ୍ୟର ସମସ୍ତ ପଞ୍ଚାୟତରେ ଖୋଲିବ ‘ମୋ ସେବା କେନ୍ଦ୍ର’।

ଆଜି ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଦିବସରେ ରାଜ୍ୟରେ ପାଖାପାଖି ୩୦୦୦ ‘ମୋ ସେବା କେନ୍ଦ୍ର’ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ଏକଥା ବି କହିଛନ୍ତି ଯେ ଏହାଦ୍ବାରା ୮୦୦୦ ଯୁବକ ଯୁବତୀ ଆତ୍ମନିଯୁକ୍ତି ପାଇବେ। ଏଥିସହିତ ଓଡ଼ିଶା ଵାନ୍ ପୋର୍ଟାଲ ବି ଲୋକାର୍ପିତ ହୋଇଛି। ସହରବାସୀ ତଥା କମ୍ପ୍ୟୁଟର ଜାଣିଥିବା ଲୋକମାନଙ୍କ ପାଇଁ ଏହା ସେବା ଯୋଗାଇବାରେ ସହାୟକ ହେବ। ଉଭୟ କାର୍ଯ୍ୟକ୍ରମ ସରକାରଙ୍କ ‘୫ଟି’ କାର୍ଯ୍ୟକ୍ରମର ଅଂଶବିଶେଷ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ନିଜ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୁଳମନ୍ତ୍ର। ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ। ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ସହିତ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏହି ଲକ୍ଷ୍ୟ ନେଇ “୫ଟି ଓ ମୋ ସରକାର” କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ବିଜୁବାବୁଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ, ସେ ଚାହୁଁଥିଲେ ବୈଷୟିକ ସମସ୍ତ ସୁବିଧା ଗାଁ ଗାଁ ରେ ପହଞ୍ଚୁ। ବିଜ୍ଞାନର ସୁଫଳ ସାଧାରଣ ଲୋକର ସେବାରେ ଉପଯୋଗ ହେଉ। ଜୀବନଧାରଣ ମାନରେ ଉନ୍ନତି ଆଣୁ। ଏହି କ୍ରମରେ ‘ମୋ ସେବା କେନ୍ଦ୍ର’ ଏକ ବଳିଷ୍ଠ ପଦକ୍ଷେପ। ଉଭୟ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ତଥା ସେବାର ଗୁଣାତ୍ମକ ମାନ ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ।

‘ମୋ ସେବା କେନ୍ଦ୍ର’ର ସୁବିଧା ନେଇଥିବା କୋଣାର୍କ, ହିଞ୍ଜିଳି, ଅତାବିରା, ନବରଙ୍ଗପୁର, ଭଦ୍ରକ ଓ ଗଜପତିର ହିତାଧିକାରୀମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଏହି ଅବସରରେ ମତବିନିମୟ କରିଥିଲେ। ସେମାନେ ରାଜ୍ୟସରକାରଙ୍କ ଏହି କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ ମୁଖ୍ୟମନ୍ତ୍ରୀଙ୍କର ଏକ ଐତିହାସିକ ପଦକ୍ଷେପ ଭାବରେ ବର୍ଣ୍ଣନା କରିଥିଲେ। ଏକଥା ବି କହିଥିଲେ ଯେ ଏହାଦ୍ବାରା ସମାଜର ସବୁ ବର୍ଗର ଲୋକ ଉପକାର ପାଇବେ। ମୁଖ୍ୟମନ୍ତୀଙ୍କ ସଚିବ (୫ଟି) ଭି.କେ.ପାଣ୍ଡିୟାନ୍‌ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବ ମନୋଜ ମିଶ୍ର କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ସାଂସଦ ଓ ବିଧାୟକମାନଙ୍କ ସମେତ ବିଭାଗୀୟ ଉପଦେଷ୍ଟା ଅନୁଭବ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଥାଉକି, ୨୦୧୯ ଅଗଷ୍ଟ ମାସରେ ‘୫ଟି’ ଉପକ୍ରମର ଶୁଭାରମ୍ଭ ଉଦ୍‌ଘାଟନ ହୋଇଥିଲା। ସେବେ ମୁଖ୍ୟମନ୍ତ୍ରୀ ସରକାରୀ ଅଫିସକୁ ବିଭିନ୍ନ ସେବା ପାଇବା ପାଇଁ ଲୋକଙ୍କୁ ବାରମ୍ବାର ଯିବାରୁ ମୁକ୍ତିଦେବାରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର