‘ମନୋଜ ଦାସଙ୍କ ସ୍ମୃତିରକ୍ଷା ପାଇଁ ସରକାର ତତ୍ପର ହୁଅନ୍ତୁ’

ବାଲେଶ୍ବର: ଭାରତ ଡାକ ବିଭାଗ ପକ୍ଷରୁ ଏବଂ ଓଡ଼ିଶା ଡାକ ପରିମଣ୍ଡଳ ଆନୁକୂଲ୍ୟରେ ଓଡ଼ିଶାର ୪ ଜଣ ବିଶିଷ୍ଟ ବ୍ୟକ୍ତି‌; ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ କେଳୁ ଚରଣ ମହାପାତ୍ର, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ବିଶିଷ୍ଟ ସଂଗୀତକାର ଅକ୍ଷୟ କୁମାର ମହାନ୍ତି ଓ ପ୍ରଥମ ମହିଳା ଓଡ଼ିଆ ନି‌ର୍ଦ୍ଦେଶିକା ତଥା ପ୍ରଯୋଜିକା ପାର୍ବତୀ ଘୋଷଙ୍କ ନାମରେ ଡାକ ଟିକଟ ଉନ୍ମୋଚନ ହୋଇଛି। ରେଭେନ୍ସା ବିଶ୍ବବିଦ୍ୟାଳୟର ସେଭେନ୍‌ ପିଲାର୍ସସ୍ଥିତ ମୁଖ୍ୟ ସମ୍ମିଳନୀ କକ୍ଷରେ ଓଡ଼ିଶା ଡାକ ପରିମଣ୍ଡଳ ମୁଖ୍ୟ ମହାଡାକପାଳ ଶୁଭେନ୍ଦୁ ସ୍ବାଇଁଙ୍କ ପୌରୋହିତ୍ୟରେ ଗତକାଲି ଆୟୋଜିତ ସଭାରେ ଡାକ ଟିକଟକୁ ଉନ୍ମୋଚିତ କରାଯାଇଛି।

ଏଥିରେ ମୁଖ୍ୟଅତିଥି ଭାବେ ରେଳ ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ମୁଖ୍ୟବକ୍ତା ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ବିଧାୟକ ମହମ୍ମଦ ମୋକିମ ଓ ରେଭେନ୍ସା କୁଳପତି ପ୍ରଫେସର ଡକ୍ଟର ସଂଜୟ କୁମାର ନାୟକ ଯୋଗଦେଇଥିଲେ।

ତେବେ ଡାକ ବିଭାଗର ଏପରି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ହେଲେ ବାଲେଶ୍ବରବାସୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ପଦ୍ମଶ୍ରୀ ଉପାଧି, ସରସ୍ବତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମି ଫେଲୋସିପ୍‌, ଶାରଳା ପୁରସ୍କାର, ସାହିତ୍ୟ ଭାରତୀ ପୁରସ୍କାର, ବିଷୁବ ପୁରସ୍କାର, ଉତ୍କଳ ରତ୍ନ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରର ଅଧିକାରୀ ଭାରତୀୟ କଥା ସାହିତ୍ୟର ଶିଖର ପୁରୁଷ ତଥା ଶ୍ରୀ ଅରବିନ୍ଦ ଦର୍ଶନର ବିଦ୍ବାନ ଭାଷ୍ୟକାର ମନୋଜ ଦାସଙ୍କ ନାମରେ ମଧ୍ୟ ଡାକ ଟିକଟ ହେବା ଉଚିତ। ତାଙ୍କର ସ୍ମୃତିରକ୍ଷା ପାଇଁ ସରକାର ତତ୍ପର ହୁଅନ୍ତୁ ବୋଲି ଡ. ପ୍ରଳୟ ନାୟକ, ପ୍ରାଚ୍ୟ ସୁମନ ମହାନ୍ତି, ସମୀର ରଂଜନ ଦାସ, ସୁଦର୍ଶନ ଦାସ, ବୁଦ୍ଧଦେବ ପଣ୍ଡା ପ୍ରମୁଖ ଦାବି କରିଛନ୍ତି।

ତେବେ ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ର ସରକାର ମନୋଜ ଦାସଙ୍କ ସ୍ମୃତିରକ୍ଷା ପାଇଁ କି ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ମନୋଜପ୍ରେମୀ ନିଶ୍ଚୟ ଅପେକ୍ଷା ରଖିବେ।
ସୂଚନା ଥାଉକି ମନୋଜ ଦାସ ୨୦୨୧ ମସିହା ଏପ୍ରିଲ୍‌ ୨୭ ତାରିଖ ଦିନ ରାତି ପଣ୍ଡିଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମରେ ଶେଷନିଶ୍ବାସ ତ୍ୟାଗ କରିଥିଲେ। ସମଗ୍ର ଭାରତବାସୀ ସାହିତ୍ୟ ଜଗତର ପ୍ରଜ୍ଞାପୁରୁଷ; ତିନି ପିଢ଼ିର ଶିକ୍ଷକ, ଅଭିଭାବକ ଓ ଦିଗ୍‌ଦର୍ଶକ ମନୋଜ ଦାସଙ୍କୁ ସବୁଦିନ ପାଇଁ ହରାଇଦେଲେ। ହେଲେ ତାଙ୍କର ସାହିତ୍ୟ ଓ ଦର୍ଶନ ସବୁଦିନ ଅନେକଙ୍କୁ ଉଦ୍‌ବୁଦ୍ଧ କରୁଛି ଏବଂ କରୁଥିବ।

ସମ୍ବନ୍ଧିତ ଖବର