ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆସନ୍ତା ୨୮ ତାରିଖରେ ହେବ। ବୈଠକରେ ଓଡ଼ିଶା ସରକାର ତାଙ୍କର ପକ୍ଷ ରଖିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ସମ୍ମୁଖରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ବିଜେଡି ଦାବି କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ପୋଲାଭରମ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ଅନ୍ୟୁନ ୨୦୦ ଗ୍ରାମ ଜଳମଗ୍ନ ହେବ ଏବଂ ହଜାର ହଜାର ଆଦିବାସୀ ସେମାନଙ୍କର ଭିଟାମାଟି ହରାଇବେ। ପୋଲାଭରମ ପ୍ରକଳ୍ପକୁ ଆରମ୍ଭରୁ ବିଜେଡି ବିରୋଧ କରିଆସୁଛି। ସରକାରରେ ଥିବା ବେଳେ ଓ ଏବେ ବିରୋଧୀ ଦଳରେ ଥାଇ ମଧ୍ୟ ପୋଲାଭରମ ପ୍ରସଙ୍ଗରେ ଲଢ଼େଇ କରିଆସୁଛି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ୧ ବର୍ଷ ପୂରିବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଏହି ପ୍ରସଙ୍ଗ ଉପରେ ପଦୁଟିଏ ମଧ୍ୟ ମୁହଁ ଖୋଲିନାହାନ୍ତି। ଶ୍ରୀ ମିଶ୍ର କହିଲେ, ପୋଲାଭରମ ପ୍ରକଳ୍ପ ଆରମ୍ଭ ସମୟରେ ଏହାର କ୍ଷମତା ୩୬ ଲକ୍ଷ କ୍ୟୁସେକ ଥିଲା।
ପରବର୍ତ୍ତୀ ସମୟରେ ଏକତରଫା ଭାବେ ଏହାର କ୍ଷମତାକୁ ୫୦ ଲକ୍ଷ କ୍ୟୁସେକକୁ ବଢ଼ାଇ ଦିଆଯାଇଥିଲା। ଏହି ପ୍ରକଳ୍ପର କ୍ଷମତା ବଢ଼ାଇ ଦିଆଯିବା ପରେ ପ୍ରକଳ୍ପର ପଛୁଆ ପାଣି ଦ୍ବାରା ଓଡ଼ିଶାର ମାଲକାନଗିରି ଜିଲ୍ଲା ଉପରେ କ’ଣ ପ୍ରଭାବ ପଡ଼ିବ, ତାହାର ଆକଳନ କରାଯାଇ ନଥିଲା। ତେଣୁ ୨୦୦୭ ମସିହାରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୋଲାଭରମ ପ୍ରକଳ୍ପ ଉପରେ ବିଜେପି ସରକାର ଚୁପ ଥିବା ବେଳେ ଗତକାଲି ରାଜ୍ୟର ପୂର୍ତ୍ତ ମନ୍ତ୍ରୀ ବିଜେଡି ପୋଲାଭରମ ପ୍ରସଙ୍ଗରେ ବଧିର ଥିଲା ଓ କେବଳ ରାଜନୀତି କରିବା ଉଦ୍ଦେଶ୍ୟରେ ପ୍ରତିବାଦ କରୁଥିଲା ବୋଲି ଦେଇଥିବା ମନ୍ତବ୍ୟ ହାସ୍ୟାସ୍ପଦ। ବାସ୍ତବରେ ଗୋଟିଏ ପଟେ ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଚାଲିଥିବା ବେଳେ ରାଜ୍ୟ ବିଜେପି ସରକାର ପଦୁଟିଏ ନକହି ଏହି ଗମ୍ଭୀର ପ୍ରସଙ୍ଗରେ ବଧିର ହୋଇ ବସି ରହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଭୃଗୁ ବକ୍ସିପାତ୍ର, ପ୍ରଦୀପ ମାଝୀ ଓ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ମାନସ ମାଡ଼କାମୀ ଉପସ୍ଥିତ ଥିଲେ।