ମନୋଜପ୍ରେମୀଙ୍କ ସମ୍ମିଳିତ ସ୍ବର: ଜନ୍ମମାଟି ଶଙ୍ଖାରୀକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ମିଳୁ

ବାସଭବନକୁ ‘ଐତିହ୍ୟ ସୌଧ’ ଘୋଷଣା କରନ୍ତୁ ସରକାର
ନିର୍ମାଣ ହେଉ ମନୋଜ-ମନ୍ମଥଙ୍କ ପ୍ରତିମୂର୍ତ୍ତି, ମ୍ୟୁଜିୟମ୍‌ ଓ ପାଠାଗାର

ଭୁବନେଶ୍ବର : ସରସ୍ବତୀଙ୍କ ବରପୁତ୍ର, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ପଦ୍ମଭୂଷଣ ମନୋଜ ଦାସଙ୍କ ମହାପ୍ରୟାଣ ସାରା ଓଡ଼ିଶାକୁ ଶୋକ‌ରେ ଡୁବାଇ ଦେଇଥିବାବେଳେ ଦେଶବିଦେଶରେ ଥିବା ତାଙ୍କର ବହୁ ପାଠକ ଓ ପ୍ରଶଂସକ ମଧ୍ୟ ଦିବଂଗତ ଆତ୍ମାକୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନିଜର ପ୍ରିୟ ଲେଖକଙ୍କୁ ହରାଇ ସମସ୍ତେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଛନ୍ତି। ଗତକାଲି ସନ୍ଧ୍ୟାରୁ ଆଜି ପର୍ଯ୍ୟନ୍ତ ତାଙ୍କ ସ୍ମୃତିଚାରଣ ଓ ଶୋକବାର୍ତ୍ତାରେ ସାମାଜିକ ଗଣମାଧ୍ୟମ ଭର୍ତ୍ତି ହୋଇଯାଇଥିବାବେଳେ ଏହା ସରିବାର ନାଁ ନେଉନାହିଁ। ଏଭଳି ସମୟରେ ଲେଖକଙ୍କ ଜନ୍ମମାଟି ଶଙ୍ଖ‌ାରୀକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଏବଂ ତାଙ୍କ ପୈତୃକ ବାସଭବନକୁ ‘ଐତିହ୍ୟ ସୌଧ’ ଭାବେ ରାଜ୍ୟ ସରକାର ଘୋଷଣା କରିବାକୁ ମନୋଜପ୍ରେମୀମାନେ ଦାବି କରିଛନ୍ତି। ଭୋଗରାଇ, ବାଲେଶ୍ବରରୁ ନେଇ ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳରୁ ମନୋଜଙ୍କ ଶହଶହ ମୁଗ୍ଧ ପାଠକ , ପ୍ରଶଂସକ ଓ ବହୁ ବିଶିଷ୍ଟ ଲେଖକମାନେ ଏଥିପାଇଁ ସମ୍ମିଳିତ ସ୍ବର ଉଠାଇଛନ୍ତି।

୧୯୩୪ ମସିହା ଫେବ୍ରୁଆରି ୨୭ ତାରିଖ ଦିନ ଶଙ୍ଖାରୀସ୍ଥିତ ଏହି ବାସଭବନରେ ମନୋଜ ଜନ୍ମ ହୋଇଥିଲେ। ଏହିଠାରେ ତାଙ୍କ ବାଲ୍ୟଜୀବନର ବହୁ ମହତ୍ତ୍ବପୂର୍ଣ୍ଣ ସମୟ କଟିଥିଲା ଏବଂ ସାରସ୍ବତ ପ୍ରତିଭାର ସ୍ଫୁରଣ ଘଟିଥିଲା। ପରବର୍ତ୍ତୀ ସମୟରେ ‘ସମୁଦ୍ର କୂଳର ଏକ ଗ୍ରାମ’ ପୁସ୍ତକରେ ସେ ସେହିସବୁ ସମୟର ସ୍ମୃତିକୁ ଅତି ଜୀବନ୍ତ ଭାବେ ଉପସ୍ଥାପନା କରି ପାଠକଙ୍କ ଭିତରେ ଅପୂର୍ବ ରୋମାଞ୍ଚ ସୃଷ୍ଟି କରିଛନ୍ତି। ଏହା ବ୍ୟତୀତ ପଣ୍ଡିଚେରୀ ଆଶ୍ରମରେ ରହିଲେ ମଧ୍ୟ ସେ ନିଜ ଜନ୍ମମାଟିକୁ ଭୁଲି ନ ଥିଲେ ଏବଂ ନିୟମିତ ବ୍ୟବଧାନରେ ଗାଁକୁ ଆସି ବେଶ୍ କିଛିଦିନ କଟାଇ ବାହୁଡ଼ି ଯାଉଥିଲେ। କେବଳ ମନୋଜ ନୁହନ୍ତି, ତାଙ୍କଚ ବଡ଼ଭାଇ ପ୍ରଖ୍ୟାତ ଐତିହାସିକ, ପୂର୍ବତନ କୁଳପତି ତଥା ପୂର୍ବତନ ସାଂସଦ ମନ୍ମଥ ନାଥ ଦାସଙ୍କ ସ୍ମୃତି ମଧ୍ୟ ଏହି ଜନ୍ମମାଟିରେ ବିଜଡ଼ିତ ହୋଇ ରହିଛି। ତେଣୁ ଇଂଲଣ୍ଡରେ ବିଖ୍ୟାତ ଲେଖକ ସେକସପିୟରଙ୍କ ବାସଭବନକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦିଆଯାଇଥିବା ଢାଞ୍ଚାରେ ଇତିହାସ ଓ ସାହିତ୍ୟ କ୍ଷେତ୍ରରେ ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିଥିବା ଏହି ଦୁଇ ବରପୁତ୍ରଙ୍କ ଗାଁ ଶଙ୍ଖାରୀକୁ ମଧ୍ୟ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ଭୋଗରାଇ ଓ ବାଲେଶ୍ବରର ମନୋଜପ୍ରେମୀ ସଚେତନ ନାଗରିକଙ୍କ ସହ ସାରା ରାଜ୍ୟର ବହୁ ଲେଖକ, କବି, ବୁଦ୍ଧିଜୀବୀ ଦାବି କରିଛନ୍ତି। ଏହି କ୍ରମରେ ସଂପ୍ରତି ଏକପ୍ରକାର ଖାଲି ପଡ଼ିଥିବା ଲେଖକଙ୍କ ପୈତୃକ ବାସଭବନକୁ ‘ଐତିହ୍ୟ ସୌଧ’ ଭାବେ ଘୋଷଣା କରି ଏହାର ରକ୍ଷଣାବେକ୍ଷଣ କରିବା ସହ ଏଠାରେ ଦୁଇ ଭାଇଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସାଂଗକୁ ସେମାନଙ୍କ ବ୍ୟବହୃତ ସାମଗ୍ରୀକୁ ନେଇ ଏକ ମ୍ୟୁଜିୟମ ଏବଂ ରଚିତ ପୁସ୍ତକକୁ ନେଇ ଏକ ଲାଇବ୍ରେରି ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତାବ ଆସିଛି। ଲେଖକଙ୍କ ଗାଁ ଶଙ୍ଖାରୀ ରାଜ୍ୟର ଦୁଇ ମାନ୍ୟତାପ୍ରାପ୍ତ ପର୍ଯ୍ୟଟନସ୍ଥଳୀ ତାଳସାରୀ ଓ ବିିଚିତ୍ରପୁର ପ୍ରକୃତି ନିବାସର ମଧ୍ୟଭାଗରେ ରହିଥିବାରୁ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଗଲେ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ ଏବଂ ଦୁଇ ବରପୁତ୍ରଙ୍କ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତ ପ୍ରକାଶ ପାଇଛି।

ସବୁଠାରୁ ମହତ୍ତ୍ବପୂର୍ଣ୍ଣ ବିଷୟ ହେଲା, ଭୁବନେଶ୍ବରରେ ରହୁଥିବା ସ୍ବର୍ଗତ ଦାସଙ୍କ ଭ୍ରାତୃଷ୍ପୁତ୍ର ସିଦ୍ଧାର୍ଥ ଦାସ ଓ ବୋହୂ ଡ.ରଂଜିତା ଦାସ ସରକାର ଏହା କରିବାକୁ ଚାହିଁଲେ ପୈତୃକ ବାସଭବନକୁ ସରକାରଙ୍କୁ ହସ୍ତାନ୍ତର କରିବା ସହ ସବୁ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ଆଜି ‘ସମ୍ବାଦ’କୁ କହିଛନ୍ତି। ତେଣୁ ସରକାର ଏଭଳି ନିଷ୍ପତ୍ତି ନେବାରେ ଆଉ କିଛି ବାଧା ରହିବ ନାହିଁ ବୋଲି ବିଚାର କରାଯାଉଛି। ଏ ନେଇ ଆଜି ସାମାଜିକ ଗଣମାଧ୍ୟମରେ ଦାବି ଉଠିବା ପରେ ବିଶିଷ୍ଟ ଲେଖକ ଦାଶ ବେନହୁର, ଡ.ରାଜେନ୍ଦ୍ର ନାରାୟଣ ଦାସ, ଡ.ଗୌରହରି ଦାସ, ଅସିତ ମହାନ୍ତି, ଅରବିନ୍ଦ ରାୟ, ଅଜୟ ସ୍ବାଇଁ, ମୃଣାଳ ଚାଟାର୍ଜୀ, ରାଜ୍ୟବର୍ଦ୍ଧନ ଧଳମହାପାତ୍ର, ବୈଷ୍ଣବ ଚରଣ ମହାନ୍ତି, କ୍ଷୀରୋଦ ପରିଡ଼ା, ସୂର୍ଯ୍ୟ ମିଶ୍ର, ଗୋବିନ୍ଦ ଭୂୟାଁ, କୃଷ୍ଣକୁମାର ମହାନ୍ତି, ଶ୍ରୀଦେବ, ନିବାରଣ ଜେନା, ପ୍ରଶାନ୍ତ ଦାସ, ଉତ୍ପଳ ମହାନ୍ତି, ଡ.ସୁବାସ ଚନ୍ଦ୍ର ପାତ୍ର, ଗୌତମବୁଦ୍ଧ ଦାସ, ସରୋଜ ବଳ, ଅମରେଶ ବିଶ୍ବାଳ, ଦେବାଶିଷ ପାତ୍ର, ସୁଜିତ ପଣ୍ଡା, ବାଦଲ ମହାନ୍ତି, ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର, ପୂର୍ବତନ ବିଧାୟକ ସୁଶାନ୍ତ ଚାନ୍ଦ, ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ ପାତ୍ର, ଶିଳ୍ପୀ ରମେଶ ଗୁମାନ ସିଂ, ସମାଜସେବୀ ଋତୁପର୍ଣ୍ଣା ମହାନ୍ତି ପ୍ରମୁଖ ଶତାଧିକ ଲେଖକ, ବୁଦ୍ଧିଜୀବୀ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର