ରାଜ୍ୟର ସୀମା ସୁରକ୍ଷା ଉପରେ ସରକାର ଧ୍ୟାନ ଦିଅନ୍ତୁ

ଭୁବନେଶ୍ବର : ଦିନକୁ ଦିନ ଆମ ରାଜ୍ୟର ସୀମା ସମସ୍ୟା ଅଧିକରୁ ଅଧିକ ଜଟିଳ ଆକାର ଧାରଣ କରିବା ସମୟରେ ସମସ୍ତେ ଚୁପ୍‌ ହୋଇ ବସିଛନ୍ତି। ସୀମା ସମସ୍ୟା ସଂକ୍ରାନ୍ତରେ ମୁହଁ ଖୋଲିବା ସହିତ ଦୃଢ଼ ଭାବରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଲୋକସଭା ଓ ରାଜ୍ୟସଭାର ସଦସ୍ୟ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗୃହ ବିଭାଗ, ରାଜ୍ୟ ନିର୍ବାଚନ ଆୟୋଗ ତଥା ଆନ୍ଧ୍ର ପ୍ରଦେଶର ରାଜ୍ୟପାଳଙ୍କୁ ଉତ୍କଳ ସମ୍ମିଳନୀ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସମସ୍ତେ ମୌନ ବ୍ରତ ଧାରଣ କରିଛନ୍ତି ବୋଲି ଉତ୍କଳ ସମ୍ମିଳନୀ ପକ୍ଷରୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା ଅଭିଯୋଗ କରିଛନ୍ତି।

ଶ୍ରୀ ଦାଶଶର୍ମା ଆହୁରି କହିଛନ୍ତି ଯେ ‘ଏକ ସୀମା ସୁରକ୍ଷା ପରିଷଦ’ ଗଠନ କରି କେନ୍ଦ୍ର ଗୃହ ବିଭାଗ ରାଜ୍ୟ ରାଜ୍ୟ ଭିତରେ ଥିବା ସୀମା ସମସ୍ୟାର ସମାଧାନ କରିବା ପାଇଁ ଉତ୍କଳ ସମ୍ମିଳନୀ ପ୍ରସ୍ତାବ ଦେଇଥିଲେ ମଧ୍ୟ ଓଡ଼ିଶା ସୀମା ସମସ୍ୟାକୁ କେନ୍ଦ୍ର ତାଲିକାଭୁକ୍ତ କରି ନାହିଁ। ସୀମା ସମସ୍ୟା ପାଇଁ ଆସାମରେ ଯେମିତି ଯବାନଙ୍କ ପ୍ରାଣହାନି ଘଟିଛି, ଓଡ଼ିଶାରେ ସେଭଳି କିଛି ଘଟିବା ପର୍ଯ୍ୟନ୍ତ କେନ୍ଦ୍ର ଗୃହ ବିଭାଗ ଅପେକ୍ଷା କରିଛି କି ? ଆମ ରାଜ୍ୟର ସାଂସଦମାନେ ଓ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଖାଣ୍ଟି ଓଡ଼ିଆ ହୋଇ ଆଜି ପର୍ଯ୍ୟନ୍ତ ପାଟି ଖୋଲୁ ନାହାନ୍ତି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ ପାଇଁ ପତ୍ର ଦେଲେ ତାଙ୍କ ପାଖରେ ସମୟ ନାହିଁ। ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପତ୍ର ଦେଲେ ସେ କେବଳ ଡାକଘର ଭଳି ସବୁ ଚିଠି ପଞ୍ଚାୟତରାଜ ଓ ରାଜସ୍ୱ ବିଭାଗକୁ ପଠାଇ ଦେଇ ଚୁପ୍‌ ହୋଇ ବସୁଛନ୍ତି। ରାଜ୍ୟ ସୀମା ସମସ୍ୟାର ସମାଧାନ ପାଇଁ ସମସ୍ତେ ଚୁପ୍‌ ନହୋଇ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର