ଢିଙ୍କିଆରୁ ତୁରନ୍ତ ପୁଲିସ ପ୍ରତ୍ୟାହାର କରନ୍ତୁ ସରକାର: କଂଗ୍ରେସ

ପୋସ୍କୋର ବିଫଳତା ପାଇଁ ଢିଙ୍କିଆ ଗ୍ରାମବାସୀଙ୍କ ଉପରେ ରାଗ ସୁଝାଉଛନ୍ତି

ଭୁବନେଶ୍ବର : ରାଜ୍ୟରେ ଶିଳ୍ପାୟନ ନାଁରେ ସରକାର ରାଜ୍ୟକୁ ବ୍ୟବସାୟୀଙ୍କୁ ଟେକି ଦେବାରେ ଲାଗିଛନ୍ତି। ଆଇନ ଅନୁଯାୟୀ ଜମି ଅଧିଗ୍ରହଣ କରିବାର ୫ବର୍ଷ ଭିତରେ ଯଦି ପ୍ରକଳ୍ପ ହୋଇ ନ ପାରିଲେ ଉକ୍ତ ଜମିକୁ ଏଲଏଆରଆର ଆଇନ ଆଧାରରେ ଜମି ମାଲିକଙ୍କୁ ଫେରସ୍ତ କରିବାର ନିୟମ ରହିଛି। ହେଲେ ପୋସ୍କୋର ବିଫଳତାକୁ ନେଇ ରାଜ୍ୟ ସରକାର ଢିଙ୍କିଆରେ ଭୋକ ବିକଳରେ ତାଟିଆ କାମୁଡ଼ି ଢିଙ୍କିଆବାସୀଙ୍କ ଉପରେ ରାଗ ସୁଝାଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଶୁକ୍ରବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଲେ, ପରିବେଶ ମଞ୍ଜୁରି ନ ଥାଇ ସରକାର ଘରୋଇ କମ୍ପାନି ଆଗରେ ଆତ୍ମସମର୍ପଣ କରିଛନ୍ତି। ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲେ ହେଁ ପୁଲିସର କାର୍ଯ୍ୟକଳାପ ନେଇ ରାଜ୍ୟ ସରକାର ଚୁପ୍ ବସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁଲିସ ଜମି ଅଧିଗ୍ରହଣ ନାଁରେ ଢିଙ୍କିଆବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଛି।

ଜଗତସିଂହପୁର ଏସ୍‌ପି ଓ ସଂପୃକ୍ତ ଅଭୟଚାନ୍ଦପୁର ଥାନାଧିକାରୀ ବିଗତ ଦିନରେ ପୁରୀ ବାସେଳିସାହି ଥାନାରେ କେ.ରମେଶ ନାମକ ଯୁବକଙ୍କ ହାଜତ ମୃତ୍ୟୁକୁ ନେଇ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିଲେ। ମାତ୍ର ଦୁର୍ଭାଗ୍ୟର କଥା, ସେହି ଥାନା ଅଧିକାରୀ ଓ ଏସ୍‌ପିଙ୍କୁ ରାଜ୍ୟ ସରକାର ଢିଙ୍କିଆରେ ତାଣ୍ଡବଳୀଳା ପାଇଁ ଦାୟିତ୍ବ ଦେଇଛନ୍ତି। ସରକାର ତଥା ବିଜୁ ଜନତା ଦଳ ନିଜର ରାଜନୈକି ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ପୁଲିସକୁ ସରକାରୀ ଗୁଣ୍ଡା ସଜାଇ ଢିଙ୍କିଆରେ ମାନବାଧିକାର ଉଲ୍ଲଂଘନ କରୁଛି। ଏକ ଜନମଙ୍ଗଳ ରାଷ୍ଟ୍ରରେ ଏହା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ଢିଙ୍କିଆରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ସରକାର ତୁରନ୍ତ ଢିଙ୍କିଆରୁ ପୁଲିସ ପ୍ରତ୍ୟାହାର କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି ହୋଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ମନୋରଂଜନ ଦାଶ ଓ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର