ପୁରୁଣା ଲିଜ୍‌ଧାରୀଙ୍କୁ ସରକାରୀ ଅନୁକମ୍ପା!

ହାଇକୋର୍ଟ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ଗଲେନି
ପୁରୁଣା ଲିଜ୍‌ଧାରୀଙ୍କୁ ଗଚ୍ଛିତ ଲୁହାପଥର ଉଠାଇବାକୁ ଦେଲେ ଅନୁମତି
ନଭେମ୍ବର ୧୫ରୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ପରିବହନ ହେବ

କେନ୍ଦୁଝର : ପୁରୁଣା ଲୁହାପଥର ଖଣିର ଲିଜ୍‌ ଅବଧି ଗତ ୨୦୨୦ ମସିହା ମାର୍ଚ୍ଚ ମାସରୁ ସରିଥିଲେ ବି ଗଚ୍ଛିତ ଥିବା ଲୁହାପଥର ଉଠାଇ ନେବାକୁ ଆଉ ମାସେ ସମୟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସରକାର ଏହି ରାୟ ବିରୋଧରେ ସୁପ୍ରିମ୍‌କୋର୍ଟକୁ ଯାଇପାରିଥାନ୍ତେ। ତେବେ ଏହା ନକରି ନଭେମ୍ବର ୧୫ ତାରିଖରୁ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଏହି ଗଚ୍ଛିତ ଲୁହାପଥର ଉଠାଇବାକୁ ଅନୁମତି ଦିଆଯାଇଛି। ଆସନ୍ତାକାଲି ଠାରୁ ପୁରୁଣା ଲିଜ୍‌ଧାରୀମାନେ ଗଚ୍ଛିତ ଲୁହାପଥର ଉଠାଇବେ। ଏହା ପୁରୁଣା ଲିଜ୍‌ଧାରୀଙ୍କୁ ସରକାରୀ ଅନୁକମ୍ପା ବୋଲି କୁହାଯାଉଛି।

କେନ୍ଦୁଝର ଜିଲ୍ଲାରୁ ଦେଶର ସର୍ବାଧିକ ଲୁହାପଥର ଉତ୍ତୋଳନ ହୋଇଥାଏ। ଗତ ୨୦୨୦ ମସିହା ମାର୍ଚ୍ଚ ମାସରେ ଏକାଧିକ ଲିଜ୍‌ଧାରୀଙ୍କ ଅବଧି ‌ଶେଷ ହୋଇଥିଲା। ମାତ୍ର ପୁରୁଣା ଲିଜ୍‌ଧାରୀଙ୍କ ବିପୁଳ ପରିମାଣର ଲୁହାପଥର ଉତ୍ତୋଳନ ହୋଇ ଗଚ୍ଛିତ ଥିଲା। ରାଜ୍ୟ ସରକାର ଅକ୍ସନ ମାଧ୍ୟମରେ ଏହି ସବୁ ଖଣିଗୁଡିକୁ ନୂଆ ଲିଜ୍‌ଧାରୀଙ୍କୁ ଦେବା ପରେ ଗଚ୍ଛିତ ଲୁହାପଥର ଉଠାଇବା ପାଇଁ ପୁରୁଣା ଲିଜ୍‌ଧାରୀଙ୍କୁ ୬ମାସ ସମୟ ଦେଇଥିଲେ ସରକାର। ଏହି ସମୟ ଗଡ଼ିବା ପରେ ସରକାରଙ୍କ ପକ୍ଷରୁ ଆଉ ଏକ ମାସ ସମୟ ମଧ୍ୟ ଦିଆଯାଇଥିଲା। ଅର୍ଥାତ ୨୦୨୦ ଅକ୍ଟୋବର ମାସ ଶେଷ ସୁଦ୍ଧା ଗଚ୍ଛିତ ଲୁହାପଥର ଉଠାଇବାକୁ ନିର୍ଦ୍ଦେଶ ଥିଲା। ଏହାପରେ ସରକାର ଆଉ ଲୁହାପଥର ଉଠାଇବାକୁ ଅଧିକ ସମୟ ଦେଇ ନ ଥିଲେ। ଏଥିନେଇ କିଛି ପୁରୁଣା ଲିଜ୍‌ଧାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଯିବା ପରେ ସିରାଜୁଦ୍ଦିନ, ଆରପି ସାଓ, କେକେଏସ୍‌ ଆଲୁୱାଲିଆ , କେଏମ୍‌ସି ସହିତ, ଘନଶ୍ୟାମ ମିଶ୍ର ଖଣି କମ୍ପାନିକୁ ଆଉ ମାସେ ସମୟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ମାସକ ସମୟ ମଧ୍ୟରେ ଯଦି ଗଚ୍ଛିତ ଲୁହାପଥର ଉଠାଇ ନ ପାରି‌ଲେ, ବଳି ପଡ଼ୁଥିବା ଲୁହାପଥର ସଂପର୍କରେ କୋର୍ଟ ନିଷ୍ପତ୍ତି ନେବ ବୋଲି ଏହି ରାୟରେ କୁହାଯାଇଥିଲା। ରାଜ୍ୟ ସରକାର ଏହି ରାୟ ବିରୋଧରେ ସୁପ୍ରିମ କୋର୍ଟ ଯିବେ ବୋଲି ଆଶା କରାଯାଉଥିଲା। ମାତ୍ର ରାଜ୍ୟ ସରକାର ଏବେ ହାଇକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ ପାଇଁ ପୁରୁଣା ଲିଜ୍‌ଧାରୀଙ୍କୁ ଲୁହାପଥର ଉଠାଇବାକୁ ଅନୁମତି ଦେଇଛନ୍ତି।

ଏ ସଂପର୍କରେ ଆମେ ଖଣି ନିର୍ଦ୍ଦେଶାଳୟର ଯୁଗ୍ମ ସଚିବ ଉମେଶ ଚନ୍ଦ୍ର ଜେନାଙ୍କୁ ପଚାରିଥିଲୁ। ସେ କହିଥିଲେ, ନଭେମ୍ବର ୧୫ରୁ ପୁରୁଣା ଲିଜ୍‌ଧାରୀ ଗଚ୍ଛିତ ଲୁହାପଥର ଉଠାଇବାକୁ ସରକାର ଅନୁମତି ଦେଇଛନ୍ତି। ହାଇକୋର୍ଟଙ୍କ ରାୟ ଆଧାରରେ ଏହି ଅନୁମତି ଦିଆଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର