ରାଜ୍ୟ ସରକାର ଉପକୂଳର ସୁରକ୍ଷା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି: ପ୍ରଦୀପ ଅମାତ

ଭୁବନେଶ୍ବର: ରାଜ୍ୟ ସରକାର ସମନ୍ବିତ ଉପକୂଳ ପରିଚାଳନା ନିମନ୍ତେ ଉପକୂଳର ସୁରକ୍ଷା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଭୁବନେଶ୍ବରରେ ଆୟୋଜିତ ‘ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀ’ରେ ରାଜ୍ୟ ଜଙ୍ଗଲ, ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଆଜି ଏହା କହିଛନ୍ତି। ଶ୍ରୀ ଅମାତ କହିଛନ୍ତି ଯେ,  ୨୦୧୦ ସେପ୍ଟେମ୍ବରରୁ ଇଣ୍ଟିଗ୍ରେଟେଡ଼ କୋଷ୍ଟାଲ ଜୋନାଲ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ ମାଧ୍ୟମରେ ୨୯୩ କୋଟି ଟଙ୍କା ବ୍ୟୟରେ ୧୮୯ କିମିର କାର୍ଯ୍ୟ ହୋଇଛି । ସେଥିରେ ପାରାଦୀପରୁ ଧାମରା ଓ ଗୋପାଳପୁରରୁ ଚିଲିକା ପର୍ଯ୍ୟନ୍ତ କାର୍ଯ୍ୟ ହୋଇଛି । କୋଷ୍ଟଲ ରେଗୁଲେଟୋରି ଜୋନ ଉଲ୍ଲଂଘନକୁ ରୋକିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ ।

ଏହି ଅବସରରେ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବ ଯୋଗୁଁ ବନ୍ୟା, ବାତ୍ୟା ଓ ବାଦଲ ଫଟା ବର୍ଷା ହେଉଛି । ଉପକୂଳ ଅଂଚଳରେ ଦେଶର ୨୦ ପ୍ରତିଶତ ଜନସଂଖ୍ୟା ରହିଛି । ବେଳାଭୂମିକୁ ସ୍ବଚ୍ଛ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ ଯୋଜନା ହାତକୁ ନେଇଛନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର କୂଳ ଖାଉଛି ଓ ସମୁଦ୍ର ଜଳସ୍ତର ବଢୁଛି । ଯାହା ଚିନ୍ତାର କାରଣ  ପାଲଟିଛି। ରାଜ୍ୟରେ ଗହୀରମଥା ଓ ଋଷିକୂଲ୍ୟା ମୁହାଣରେ ଚାଲିଥିବା ଅଲିଭ ରିଡ୍‌ଲେ ଓ ସୁରକ୍ଷା ଓ ଅଣ୍ଡାଦାନ ପ୍ରକ୍ରିୟାକୁ ପ୍ରସଂଶା କରିଛନ୍ତି ମନ୍ତ୍ରୀ ।

ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀରେ ଉପକୂଳବର୍ତ୍ତୀ ୧୩ଟି ରାଜ୍ୟ ଭାଗ ନେଇଛନ୍ତି । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ କିପରି ଉପକୂଳକୁ ରକ୍ଷା କରାଯାଇପାରିବ ସେ ନେଇ ଏଥିରେ ଆଲୋଚନା ଚାଲିଛି  ଭାରତରେ ୭୫୦୦ କିମି ସାମୁଦ୍ରିକ ଉପକୂଳ ରହିଛି। ଏଥିରୁ ଓଡିଶାରେ ୪୮୦ କିମି ରହିଛି ।

ସେହିପରି କେନ୍ଦ୍ର ଜଙ୍ଗଲ ପରିବେଶ ଓ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ପରିବେଶ ବିଗୁଡୁଛି। ବନ୍ୟା ଓ ବାତ୍ୟା ସହ ସୁନାମି ଭଳି ପ୍ରାକୃତିକ ବିପର୍ଯୟ ଦେଖା ଦେଇଛି । ଏହାକୁ ରୋକିବାକୁ ସରକାରୀସ୍ତରରେ ପ୍ରୟାସ ଆରମ୍ଭ ହୋଇଛି ।ଉପକୂଳରେ ୧୭ ହଜାର ପ୍ରଜାତିର ସାମୁଦ୍ରିକ ଜୀବଜନ୍ତୁ ଓ ଉଦ୍ଭିଦ ବସବାସ କରୁଛନ୍ତି । ସେମାନଙ୍କ ଭିତରେ ଓଡିଶାରେ ଅଲିଭ ରିଡ୍‌ଲେ ଭଳି ବିରଳ ପ୍ରଜାତିର ଅଣ୍ଡାଦାନ ଓ ପ୍ରଜନନ ହେଉଛି। ସ୍ୱଚ୍ଛତା ଅଭିଯାନ ଅନ୍ତର୍ଗତ ପୁରୀ ସମେତ ୧୦ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା ମିଳିଛି । ପ୍ରତିବର୍ଷ ସାମୁଦ୍ରିକ କାରବାରରୁ ୨ ଟ୍ରିଲିୟନ ଟଙ୍କା ମିଳୁଛି ।

 

ସମ୍ବନ୍ଧିତ ଖବର