ଅବଲୁପ୍ତ ହେବାକୁ ବସିଥିବା ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି: ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ପ୍ରଜାତି ଅବଲୁପ୍ତ ହେଉଥିବା କଥା ସମ୍ପୂର୍ଣ୍ଣ ମିଛ। ଏମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହାକୁ ଆଗାମୀ ସମୟରେ ଅଧିକ ବ୍ୟାପକ କରାଯିବ। ବିଶ୍ୱ ବନ ଦିବସ ୨୦୨୩ ପାଳନ ଅବସରରେ  ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଏହି ସୂଚନା ଦେଇଛନ୍ତି। ଚଳିତ ବନ ଦିବସର ଥିମ ରହିଛି ‘ଜଙ୍ଗଲ ଓ ସ୍ୱାସ୍ଥ୍ୟ’। ତେଣୁ ଜଙ୍ଗଲର ସନ୍ତୁଳିତ ସ୍ୱାସ୍ଥ୍ୟ ପାଇଁ ରାଜ୍ୟ ସରକାର ଅନେକ ନୂଆ ଯୋଜନା ହାତକୁ ନେଇଛନ୍ତି। ସେହି ଭିତରେ ଜଙ୍ଗଲ ନିଆଁକୁ ରୋକା ଯିବା ସହିତ ଜଙ୍ଗଲ ନିକଟବର୍ତ୍ତୀ ଜନବସତିରେ ଲୋକଙ୍କୁ ସଚେତନ କରାଯାଉଛି। ସ୍ଥାନୀୟ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଉଛି।

ଆଜି ବିଶ୍ୱ ବନ ଦିବସ ପାଳନ ଅବସରରେ ଅନେକ ବନ କର୍ମଚାରୀଙ୍କୁ ଜଙ୍ଗଲ ସୁରକ୍ଷା କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଜଙ୍ଗଲ ଓ ତାର ସୁରକ୍ଷା ଦିଗରେ ସଚେତନତାମୂଳକ ଫଟୋଚିତ୍ର ପଦର୍ଶନ କରାଯାଇଛି। ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନର ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ୫୭,୧୬୦ ବର୍ଗ କିଲୋମିଟର, ଯାହାକି ରାଜ୍ୟର ମୋଟ ଭୌଗୋଳିକ କ୍ଷେତ୍ରର ୩୬.୭୧ ପ୍ରତିଶତ ଅଟେ। ଏହା ଦେଶର ଭୌଗଳିକ କ୍ଷେତ୍ରର ୩୩% ଜାତୀୟ ଲକ୍ଷ୍ୟଠାରୁ ୩.୭୧% ଅଧିକ ।

ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ରିପୋର୍ଟ’ ୨୦୨୧ ଆକଳନ ଅନୁୟାୟୀ ବିଗତ ଦୁଇ ବର୍ଷରେ ରାଜ୍ୟ ୮୯୩ବର୍ଗ କିଲୋମିଟର ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ହାସଲ କରିଛି। ଆମ ଜଙ୍ଗଲ ଯୋଜନା’ରେ ପ୍ରାୟ ୪୬୦୧ ବନ ସୁରକ୍ଷା ସମିତି ଓ ୧୪,୨୬୩ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ୧୨୧୧ ଭିଏସ୍ଏସ୍ ଏବଂ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଫେଜ୍-୨ ଅଧୀନରେ ୪୪୦ଟି ଏସଏଚଜି ସହଯୋଗରେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର  ଏବଂ ଏକ ଅବକ୍ଷୟିତ ଜଙ୍ଗଲ ଓ ଆୟ ସୃଷ୍ଟି କାର୍ଯ୍ୟକଳାପ ମାଧ୍ୟମରେ ଜୀବିକା ଉନ୍ନତି ପାଇଁ ସାମିଲ କରାଯାଇଛି। ରାଜ୍ୟରେ ୧୩,୮୫୬ ବର୍ଗ କିଲୋମିଟର ଅବକ୍ଷୟିତ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ୧୬,୧୨୮ରୁ ଊର୍ଦ୍ଧ୍ବର ବନ ସଂରକ୍ଷଣ ସମିତି ଭିଏସ୍ଏସ୍ ଏବଂ ୫୯୪ଟି ପରିବେଶ ବିକାଶ କମିଟି ଗଠନ କରାଯାଇଛି।

ସମ୍ବନ୍ଧିତ ଖବର