ଭୁବନେଶ୍ବର: ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ ସମୟରେ ପ୍ରଶାସନ ଅବହେଳା କରିଛି ବୋଲି ରାଜ୍ୟ ସରକାର ସ୍ବୀକାର କରିଛନ୍ତି। ଏଥିପାଇଁ ଉନ୍ନୟନ କମିସନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଗହଳି, ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ସୁନାବେଶ ଆଦିର ଭିଡ଼କୁ ନଜରରେ ରଖି ରଥଯାତ୍ରା ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି।
ରଥଯାତ୍ରାରେ ଯେତେ ଅଧିକାରୀ ନିଯୁକ୍ତ ହେଲେ ବି ପୁରୀ ଜିଲ୍ଲାପାଳ ଓ ଏସ୍ପି ସମସ୍ତ ନିଷ୍ପତ୍ତି ନେବାରେ ଏବଂ ଏହାକୁ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଆଜିର ଅବହେଳାଜନିତ ଭକ୍ତଙ୍କ ଅକାଳ ମୃତ୍ୟୁ ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଓଏସ୍ଡି ଭାବେ ବଦଳି କରାଯାଇଛି।
ଚଞ୍ଚଳ ରାଣା ନୂଆ ଜିଲ୍ଲାପାଳ, ପିନାକ ମିଶ୍ର ଏସ୍ପି
ଡିସିପି ବିଷ୍ଣୁ ପତି, କମାଣ୍ଡାଣ୍ଟ ଅଜୟ ପାଢ଼ୀ ନିଲମ୍ବିତ
ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ପୁରୀ ଏସ୍ପି ବିନୀତ ଅଗ୍ରୱାଲଙ୍କୁ ପୁଲିସ ମୁଖ୍ୟାଳୟର ଓଏସ୍ଡି ଭାବେ ବଦଳି କରାଯାଇଥିବାବେଳେ ଏସ୍ଟିଏଫ୍ ଡିଆଇଜି ପିନାକ ମିଶ୍ରଙ୍କୁ ପୁରୀ ଏସ୍ପି ଭାବେ ଅବସ୍ଥାପିତ କରାଯାଇଛି। ପିନାକ ପୂର୍ବରୁ ପୁରୀର ଏସ୍ପି ଭାବେ କାର୍ଯ୍ୟ କରିଥିବାରୁ ଏବଂ ରଥଯାତ୍ରା ପରିଚାଳନାରେ ତାଙ୍କର ଅଭିଜ୍ଞତା ଥିବାରୁ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ଏହା ସହିତ କାର୍ଯ୍ୟରେ ଅବହେଳା ପାଇଁ କମିସନରେଟ୍ ପୁଲିସର ଡିସିପି ବିଷ୍ଣୁ ପତି ଓ ଓଏସ୍ଏପି ତୃତୀୟ ବାଟାଲିୟନ୍ର କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ନିଲମ୍ବିତ କରାଯାଇଛି।
ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ସମସ୍ତ କାର୍ଯ୍ୟ ଯେପରି ସୁରୁଖୁରରେ ହେବ ସେଥିପାଇଁ ରାଜ୍ୟ ସରକାର ଆଜି ପୁଣି ରଥ ଦାୟିତ୍ବ ଆବଣ୍ଟନରେ ଅଦଳବଦଳ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନାର ସମସ୍ତ କାର୍ଯ୍ୟ ତଦାରଖ ଦାୟିତ୍ବ ଦିଆଯାଇଛି। ଶ୍ରୀ ଅଗ୍ରୱାଲ ପୂର୍ବରୁ ପୁରୀ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ସେହିପରି ରଥଯାତ୍ରା ପରିଚାଳନାରେ ବିଭିନ୍ନ ନୀତିକାନ୍ତି, କାର୍ଯ୍ୟକ୍ରମରେ ପୁଲିସ ନିୟୋଜନ ବ୍ୟବସ୍ଥାର ସାମୂହିକ ତଦାରଖ କରିବା ପାଇଁ ଅତିରିକ୍ତ ଡିଜି (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦାୟିତ୍ବ ଦିଆଯାଇଛି। ସୌମେନ୍ଦ୍ରଙ୍କର ପୂର୍ବରୁ ପୁରୀ ଏସ୍ପି ଭାବେ କାର୍ଯ୍ୟ କରିବାର ଓ ରଥଯାତ୍ରା ଦାୟିତ୍ବ ତୁଲାଇବାର ଅଭିଜ୍ଞତା ରହିଛି। ସମସ୍ତ ନିର୍ଦ୍ଦେଶ ତୁରନ୍ତ ଲାଗୁ ହେବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/30/ssfsfsf-2025-06-30-02-24-05.jpg)