ସରକାରୀ ଶିକ୍ଷକଙ୍କୁ ମଧ୍ୟାହ୍ନ ଭୋଜନ ଚିନ୍ତା, ଦୁର୍ନୀତି ନ କଲେ ବାଟ ନାହିଁ!

କଟକ, (କୃଷ୍ଣପ୍ରସାଦ ଦାସ): ରାତି ପାହିଲେ ସରକାରୀ ସ୍କୁଲ ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘାରୁଛି ମଧ୍ୟାହ୍ନ ଭୋଜନ ଚିନ୍ତା। ସବୁ ସାମଗ୍ରୀର ବଜାର ଦର ଆକାଶଛୁଆଁ ହୋଇଥିବା ବେଳେ ସ୍କୁଲ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସେମାନଙ୍କ ନିଦ ହଜାଇ ଦେଇଛି। ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ଟଙ୍କା କେଉଁଠୁ ଯୋଗାଡ଼ କରିବେ, ଏବେ ସେ ଚିନ୍ତା ସେମାନଙ୍କୁ ଘାରିଛି। ଏହି ଦାୟିତ୍ବ ତୁଲାଇବା ପାଇଁ ସେମାନେ ଦୁର୍ନୀତି କରିବେ ନଚେତ ନିଜ ଦରମା ଟଙ୍କାରୁ ଖର୍ଚ୍ଚ କରି ଛାତ୍ରଛାତ୍ରୀଙ୍କୁ ଖୁଆଇବେ। ଏଭଳି ସ୍ଥିତି ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ଆଉ ହେରଫେରର ପରୀକ୍ଷାନିରୀକ୍ଷା ପାଇଁ ଏବେ କ୍ଷେତ୍ର ପ୍ରସ୍ତୁତ କରୁଛି। ମାଟ୍ରିକ ପରୀକ୍ଷାରେ ୪୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିବାପରେ ବି ପରୀକ୍ଷା ନଦେବା ଘଟଣାକୁ ନେଇ ହଟଚମଟ ଜାରି ରହିଥିବା ବେଳେ ଏହାର ମୂଳ ଏଭଳି ବ୍ୟବସ୍ଥାରେ ଛପି ରହିଥିବା କୁହାଯାଉଛି। ବାସ୍ତବରେ ସ୍କୁଲ ରେକର୍ଡରେ ଯେତିକି ସଂଖ୍ୟକ ଛାତ୍ରଛାତ୍ରୀଙ୍କ ନାମ ଗଡ଼ୁଛି, ସେତିକି ଛାତ୍ରଛାତ୍ରୀ ସ୍କୁଲ୍ ଆସୁ ନଥିବା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି।

୨୦୨୦ ଏପ୍ରିଲ ୨୦ ତାରିଖରୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ସରକାର ଏକ ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ କରିଛନ୍ତି। ସେହି ଅନୁଯାୟୀ ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲର ଶିକ୍ଷକ ଡାଲି କିଣିବେ କିଲୋକୁ ୮୦ ଟଙ୍କାରେ। ଖାଇବା ତେଲ କିଣିବେ ଲିଟରକୁ ୧୪୦ ଟଙ୍କାରେ। ପରିବା କିଣିବେ କିଲୋକୁ ୨୯ ଟଙ୍କାରେ। ସୋୟା ବଡ଼ି କିଣିବେ କିଲୋକୁ ୭୬ ଟଙ୍କାରେ। ଏବଂ ଅଣ୍ଡା କିଣିବେ ଗୋଟା ୫ ଟଙ୍କାରେ। ଏହା ବ୍ୟତୀତ ଯଦି ସ୍କୁଲରେ ୫୦ ଜଣ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଥିବେ ତେବେ ରୋଷେଇ ପାଇଁ ଖୁବ ବେଶିରେ ଜାଳେଣି ବାବଦରେ ଖର୍ଚ୍ଚ ହେବ ୨୫ ଟଙ୍କା ଏବଂ ୫୦ ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ଜାଳେଣି ବାବଦରେ ଖୁବ୍ ବେଶିରେ ଖର୍ଚ୍ଚ ହେବ ୫୦ ଟଙ୍କା। କିନ୍ତୁ ରାଜ୍ୟର କେଉଁ ବଜାରରେ ଏସବୁ ସାମଗ୍ରୀ ଏହି ଦରରେ ମିଳୁଛି? ଅବଶ୍ୟ ଚାଉଳ ସରକାର ମାଗଣାରେ ଯୋଗାଉଛନ୍ତି। କିନ୍ତୁ ବଜାରରେ ଖାଇବା ତେଲ ଲିଟର ୧୮୦/୧୮୫ରୁ କମ୍‌ରେ ମିଳୁ ନଥିବା ବେଳେ ଡାଲି କିଲୋ ବି ୯୦/୯୫ ଟଙ୍କାରୁ କମ୍ ନାହିଁ। ସୋୟା ବଡ଼ି କିଲୋ ତ ୧୩୦/୧୪୦ରୁ କେଉଁଠି ବି କମ୍ ନାହିଁ। ଅଣ୍ଡା ଏବେ ସହରରେ ଯଦିଓ ଗୋଟା ପ୍ରତି ୫ ଟଙ୍କାରେ ମିଳି ଯାଉଛି, ଗ୍ରାମାଞ୍ଚଳରେ କିନ୍ତୁ ଅଧିକାଂଶ ସ୍ଥାନରେ ୬ଟଙ୍କାରୁ ଅଧିକ। ଟମାଟୋ କିଲୋ

Gaon Connection English

ଯେଉଁଠି ଶହେ ଟଙ୍କାରୁ ଅଧିକ ସେଠି ୨୯ ଟଙ୍କା ଖର୍ଚ୍ଚ କରି ଶିକ୍ଷକ କେଉଁ ସବୁ ପରିବା କିଲେ କିଣି ଡାଲମା ପ୍ରସ୍ତୁତ କରିବେ? ଏ ସ୍ଥିତି ପ୍ରତି ସରକାର ଅଥବା ପ୍ରଶାସନ ଅବଗତ ଅଛନ୍ତି ନା ସବୁ କିଛି ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଉପରେ ଛାଡ଼ି ଦେଇଛନ୍ତି?

ସରକାର ନିୟମ କରିଛନ୍ତି ଯେ ସପ୍ତାହକୁ ଦୁଇ ଦିନ ଭାତ-ଡାଲମା, ଦୁଇ ଦିନ ଭାତ-ସୋୟାବିନ ତରକାରୀ ଓ ଦୁଇ ଦିନ ଭାତ-ଅଣ୍ଡା ଦିଆଯିବ। ଭାତ-ଡାଲମା ପାଇଁ ପ୍ରାଥମିକ ସ୍କୁଲ ଛାତ୍ର/ଛାତ୍ରୀ ପିଛା ୪ ଟଙ୍କା ୭୮ ପଇସା, ଉଚ୍ଚ ପ୍ରାଥମିକ ସ୍କୁଲ ଛାତ୍ର/ଛାତ୍ରୀ ପିଛା ୭ ଟଙ୍କା ୪୦ ପଇସା ଖର୍ଚ୍ଚ ହେବ। ଭାତ-ସୋୟାବିନ୍ ତରକାରୀ ପାଇଁ ପ୍ରାଥମିକ ସ୍କୁଲ୍ ଛାତ୍ର/ଛାତ୍ରୀ ପିଛା ୩ ଟଙ୍କା ୭୦ ପଇସା ଓ ଉଚ୍ଚ ପ୍ରାଥମିକ ସ୍କୁଲ୍ ଛାତ୍ର/ଛାତ୍ରୀ ପିଛା ୬ ଟଙ୍କା ୯୦ ପଇସା ଖର୍ଚ୍ଚ ହେବ। ଭାତ-ଅଣ୍ଡା ପାଇଁ ପ୍ରାଥମିକ ସ୍କୁଲ୍ ଛାତ୍ର/ଛାତ୍ରୀ ପିଛା ୭ ଟଙ୍କା ୭୮ ପଇସା ଓ ଉଚ୍ଚ ପ୍ରାଥମିକ ସ୍କୁଲ୍ ଛାତ୍ରଛାତ୍ରୀ ପିଛା ୧୦ ଟଙ୍କା ଖର୍ଚ୍ଚ ହେବ। ହାରାହାରି ଭାବେ ସପ୍ତାହକୁ ହିସାବ କଲେ ପ୍ରାଥମିକ ସ୍କୁଲ୍ ଛାତ୍ର/ଛାତ୍ରୀ ପିଛା ମଧ୍ୟାହ୍ନ ଭୋଜନ ବାବଦରେ ୫ ଟଙ୍କା ୪୨ ପଇସା ଓ ଉଚ୍ଚ ପ୍ରାଥମିକ ସ୍କୁଲ୍ ଛାତ୍ର/ଛାତ୍ରୀ ପିଛା ୮ ଟଙ୍କା ୧୦ ପଇସା ଖର୍ଚ୍ଚ ହେବ। କିନ୍ତୁ ବର୍ତ୍ତମାନର ବଜାର ଦର ଅନୁସାରେ ଏହି ଟଙ୍କାରେ ମଧ୍ୟାହ୍ନ ଭୋଜନ ଯୋଗାଇବା ସଂପୂର୍ଣ୍ଣ ଅସମ୍ଭବ ହୋଇ ପଡ଼ିଥିବା ବେଳେ ବ୍ୟବସ୍ଥା ଚାଲିଛି କେମିତି?

ନିମ୍ନମାନର ଖାଦ୍ୟ ଦେଲେ, ଦୁର୍ନୀତି କଲେ ଅଥବା ଶିକ୍ଷକ ହାତରୁ ଟଙ୍କା ଖର୍ଚ୍ଚ କଲେ ଯାଇ ଏହା ହୁଏତ ସମ୍ଭବ ହେବ। ପରୋକ୍ଷରେ ସରକାରୀ ଏହାକୁ ପ୍ରୋତ୍ସାହିତ କରୁଛନ୍ତି କି? ଶିକ୍ଷକ/ଶିକ୍ଷୟିତ୍ରୀ ଏ ସଂପର୍କରେ ମୁହଁ ଖୋଲି ପାରିବେନି। ଦାୟିତ୍ବରେ ଥିବା ଅଧିକାରୀ ବି କିଛି କହିବାକୁ ସାହସ କୁଳାଇ ପାରୁ ନାହାନ୍ତି। ଯାହା ଯେମିତି ହୋଇ ବ୍ୟବସ୍ଥା ଚାଲିଛି ବୋଲି ଉତ୍ତର ମିଳୁଛି। ଏହି ଯାହା ଯେମିତି କଣ, ତାହାକୁ ନେଇ ସରକାର କେବେ ଚିନ୍ତା କରିବେ, ତାହା ବର୍ତ୍ତମାନର ସବୁଠୁ ବଡ଼ ପ୍ରଶ୍ନ ହୋଇଛି। ନ‌ଚେତ ସ୍କୁଲରେ ଭୂତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆଗକୁ ବଢି ଚାଲିବ ପଛେ କମିବ ନାହିଁ।

ସମ୍ବନ୍ଧିତ ଖବର