ଭୁବନେଶ୍ବର: ରାଜ୍ୟବାସୀଙ୍କ ହିତରେ ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି। ତାହାର ଲାଭ ଲୋକମାନଙ୍କୁ ଦେଉଛନ୍ତି। ସରକାର ଦେଇଥିବା ଲାଭ ବିଷୟରେ ଲୋକମାନେ ସହଜରେ ଜାଣିପାରୁନାହାନ୍ତି। ବ୍ୟାଙ୍କଗୁଡ଼ିକ ଇଂରାଜୀ ଭାଷାରେ ପଠାଉଥିବା ଏସ୍ଏମ୍ଏସ୍ ଅନେକ ଲୋକଙ୍କ ପାଇଁ ବାଧକ ସାଜିଛି। ସେହି ସମସ୍ୟା ଦୂର କରିବା ଲାଗି ଓଡ଼ିଆ ଭାଷାରେ ହିତାଧିକାରୀମାନଙ୍କ ପାଖକୁ ଏସ୍ଏମ୍ଏସ୍ ପଠାଇବା ଲାଗି ବ୍ୟାଙ୍କଗୁଡ଼ିକୁ ଉନ୍ନୟନ କମିସନର ଅନୁ ଗର୍ଗ କହିଛନ୍ତି। ୧୮୦ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍ଏଲ୍ବିସି) ବୈଠକରେ ସହଅଧ୍ୟକ୍ଷତା କରି ଶ୍ରୀମତୀ ଗର୍ଗ ବ୍ୟାଙ୍କଗୁଡ଼ିକୁ ଦୁର୍ବଳ ଜିଲ୍ଲାଗୁଡ଼ିକରେ ଋଣ-ଜମା ଅନୁପାତରେ ବଢ଼ାଇବା ଏବଂ ଶିକ୍ଷା, ଗୃହ ଓ ରପ୍ତାନି କ୍ଷେତ୍ରକୁ ଋଣ ଦେବାକୁ ମଧ୍ୟ ଆହ୍ବାନ ଦେଇଛନ୍ତି।
ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରୁଥିବା ଶୀତଳଭଣ୍ଡାର ଯୋଜନା, ପିଏମ୍ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା, ପିଏମ୍ ସ୍ବନିଧି ଯୋଜନା ଆଦି ଉପରେ ଧ୍ୟାନ ଦେବାକୁ ଶ୍ରୀମତୀ ଗର୍ଗ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ବ୍ୟାଙ୍କ ସେବା ପହଞ୍ଚି ନଥିବା ପଞ୍ଚାୟତଗୁଡ଼ିକରେ ଚଳିତ ମାସ ୩୦ ସୁଦ୍ଧା ସିଏସ୍ପି ପ୍ଲସ୍ ଆଉଟ୍ଲେଟ୍ ଖୋଲିବା ଓ ଆଉଟ୍ଲେଟ୍ଗୁଡ଼ିକର ପ୍ରଦର୍ଶନ ଅନୁଶୀଳନ କରିବାକୁ ଷ୍ଟେଟ୍ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ବରୋଦାକୁ କୁହାଯାଇଛି। ଭିଜନ୍ ୨୦୩୬ ଓ ୨୦୪୭ ଅନୁସାରେ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍ଡିପି)କୁ ଋଣ ଅନୁପାତରେ ଉନ୍ନତି ଆଣିବାକୁ ମଧ୍ୟ ବ୍ୟାଙ୍କଗୁଡ଼ିକୁ ଆହ୍ବାନ ଦିଆଯାଇଛି।
ଶିକ୍ଷା, ଗୃହ, ରପ୍ତାନି କ୍ଷେତ୍ରକୁ ଋଣ ଦିଅ
ଦୁର୍ବଳ ଜିଲ୍ଲାରେ ଋଣ-ଜମା ଅନୁପାତ ବଢ଼ାଅ
ଜିଏସ୍ଡିପିକୁ ଋଣ ଅନୁପାତରେ ଉନ୍ନତି ଆଣ
ରି-କେୱାଇସିରେ ଓଡ଼ିଶା ପ୍ରଥମ
ବୈଠକରେ ୟୁକୋ ବ୍ୟାଙ୍କର ଏମ୍ଡି ଓ ସିଇଓ ଅଶ୍ବିନୀ କୁମାର ଯୋଗ ଦେଇ କହିଥିଲେ ଯେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨,୫୨,୦୯୫.୬୬ କୋଟି ଟଙ୍କାର ବାର୍ଷିକ ଋଣ ଯୋଜନା ଧାର୍ଯ୍ୟ ହୋଇଛି। ଚଳିତ ବର୍ଷ ଜୁନ୍ ୩୦ ସୁଦ୍ଧା ୬୧,୪୧୨.୭୬ କୋଟି ଟଙ୍କାର ଋଣ ଆବଣ୍ଟନ କରାଯାଇଛି, ଯାହା ବାର୍ଷିକ ଯୋଜନାର ୨୪.୩୬ ପ୍ରତିଶତ। କୃଷି ଓ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଯଥାକ୍ରମେ ୨୦.୯୩ ପ୍ରତିଶତ ଓ ୩୦.୪୧ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ ବ୍ୟାଙ୍କଗୁଡ଼ିକର ସଫଳତା ହାର ୧୯.୨୧ ପ୍ରତିଶତ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୧୯.୮୫ ପ୍ରତିଶତ ଓ ଅଟଳ ପେନ୍ସନ୍ ଯୋଜନାରେ ୩୭.୭୪ ପ୍ରତିଶତ ରହିଛି। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ୩୦,୦୦୦ରୁ ଅଧିକ ଦାବିର ସମାଧାନ କରାଯାଇଛି।
ସେହିପରି, ସିକେୱାଇସିର ପ୍ରସାର କରିବାକୁ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର କହିଥିଲେ। ସାଇବର୍ ଅପରାଧ, ଡିଜିଟାଲ୍ ଠକେଇ ଓ ମ୍ୟୁଲ୍ ଖାତା ଉପରେ ରୋକ୍ ଲଗାଇବା ଉପରେ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଶାରଦା ପ୍ରସନ୍ନ ମହାନ୍ତି ଗୁରୁତ୍ବାରୋପ କରିଥିଲେ। ଭାରତ ସରକାରଙ୍କ ଦ୍ବାରା ଚାଲିଥିବା ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପରିପୂର୍ତ୍ତି ଅଭିଯାନରେ ରି-କେୱାଇସି କରିବାରେ ଓଡ଼ିଶା ଏକ ନମ୍ବର ରାଜ୍ୟ ହୋଇଥିବା ସେ ସୂଚନା ଦେଇଥିଲେ। ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)କୁ ଅଧିକ ଋଣ ଦେବା, ଋଣ ପରିମାଣ ବଢ଼ାଇବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ପିଏମ୍ଇଜିପି, ମୁଦ୍ରା, ଷ୍ଟାଣ୍ଡ୍ଅପ୍ ଇଣ୍ଡିଆ ଓ ପିଏମ୍ ବିଶ୍ବକର୍ମା ଯୋଜନାରେ ମଧ୍ୟ ଋଣ ଦେବାକୁ ସେମାନଙ୍କୁ କୁହାଯାଇଛି।
ଏହି ଅବସରରେ କୃଷି ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ, ବାଣିଜ୍ୟ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ, ବାଣିଜ୍ୟ କମିସନର ଉଷା ପାଢ଼ୀ, ମିସନ୍ ଶକ୍ତି କମିସନର ଶାଳିନୀ ପଣ୍ଡିତ, ଏମ୍ଏସ୍ଏମ୍ଇ ସଚିବ ପ୍ରଶାନ୍ତ କୁମାର ରେଡ୍ଡୀ, ଏସ୍ଏଲ୍ବିସି ସଂଯୋଜକ ଗୌତମ ପାତ୍ର ଓ ଓଡ଼ିଶା ପ୍ରଭାରୀ ଲିଙ୍ଗରାଜ ନାୟକ ଉପସ୍ଥିତ ଥିଲେ।