ସ୍ବାସ୍ଥ୍ୟକର୍ମୀଙ୍କ କଥା ଚିନ୍ତା କଲେ ସରକାର : ନୂଆ ନିଯୁକ୍ତିରେ କେ‌ାଭିଡ୍‌ ମୁକାବିଲାରେ ନିୟୋଜିତ ସ୍ବାସ୍ଥ୍ୟ କର୍ମୀ ପ୍ରାଥମିକତା ପାଇବେ

ସିଧାସଳଖ ନିୟମିତ ଦାବି ଅଗ୍ରାହ୍ୟ

ଭୁବନେଶ୍ବର : ରାଜ୍ୟ ସରକାର ଖାଲି ଥିବା ବିଭିନ୍ନ ସ୍ବାସ୍ଥ୍ୟକର୍ମୀ ପଦବି ପୂରଣ ପାଇଁ ପ୍ରକ୍ରିୟ‌ା ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟାରେ କୋଭିଡ୍‌-୧୯ର ମୁକାବିଲା ପାଇଁ ନିଯୁକ୍ତି ପାଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଯୋଗ୍ୟତା ଭିତ୍ତିରେ ପ୍ରାଥମିକତା ଦିଆଯିବ। ଗତ ୨୨.୨.୨୦୨୧ରେ ହାଇକୋର୍ଟ ଏ ନେଇ ମଧ୍ୟ ରାୟ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେଉଁ ନିର୍ଦ୍ଦିଷ୍ଟ ପଦବି ନିମିତ୍ତ କୋଭିଡ୍‌-୧୯ର ମୁକାବିଲା ପାଇଁ ନିଯୁକ୍ତ ପ୍ରା‌ର୍ଥୀଙ୍କ ସ‌େମତ ଏକାଧିକ ପ୍ରାର୍ଥୀ ମନୋନୀତ ହୋଇଥିବେ, ସେହି ପଦବିରେ କୋଭିଡ୍‌-୧୯‌େର ନିଯୁକ୍ତ ‌‌େହାଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ବିଧାନସଭାରେ ଆଜି ଏହି ସୂଚନା ଦେଇଛନ୍ତି।

ବିଧାନସଭାରେ ଗତ ୨୩ ତାରିଖରେ ତାରା ପ୍ରସାଦ ବାହିନୀପତି ଓ ମୋହନ ଚରଣ ମାଝୀ କୋଭିଡ୍‌ ମୁକାବିଲାରେ ସାମିଲ ହୋଇଥିବା ପାରାମେଡିକାଲ, ଏଏନ୍‌ଏମ୍‌, ଜିଏନ୍‌ଏମ୍‌ମାନଙ୍କ ଛଟେଇ ଓ ସ୍ଥାୟୀ ନିଯୁକ୍ତି ସମ୍ପର୍କିତ ପ୍ରସଙ୍ଗ ଉଠାଇବା ସହ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ବାଚସ୍ପତି ମଧ୍ୟ ମନ୍ତ୍ରୀଙ୍କୁ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ମନ୍ତ୍ରୀ ଶ୍ରୀ ଦାସ ବିବୃତି ରଖି କହିଥିଲେ ଯେ କରେନା ମହାମାରୀକୁ ଦୃଷ୍ଟିରେ ରଖି ତାଲିମପ୍ରାପ୍ତ ନର୍ସମାନଙ୍କୁ ସର୍ତ୍ତମୂଳକ ଭାବେ ଅସ୍ଥାୟୀ(ଦୈନିକ ମଜୁରୀ ଭିତ୍ତିରେ) ନିଯୁକ୍ତି ପ୍ରଦାନ କରାଯାଇଥିଲା। ମହାମାରୀର ପ୍ରକୋପ ହ୍ରାସ ପାଇବା ପରେ ନର୍ସମାନଙ୍କୁ ସର୍ତ୍ତାବଳୀ ଅନୁଯାୟୀ ପର୍ଯ୍ୟାୟକ୍ରମେ କାର୍ଯ୍ୟରୁ ଅନ୍ତର କରାଯାଇଛି। ଏହି ନିଯୁକ୍ତିର ନିର୍ଦ୍ଦେଶନାମରେ ଉଲ୍ଲେଖ ଥିଲା ଯେ ଏହି ଅସ୍ଥାୟୀ ନିଯୁକ୍ତି ବିନା କାରଣ ଦର୍ଶାଇ ଯେ କୌଣସି ସମୟରେ ସମାପ୍ତ ହୋଇପାରେ। ଯୋଗଦାନର ସମ୍ପ୍ରସାରଣ ସର୍ତ୍ତମୂଳକ ଥିଲା, ଯଥା ‘ଯଦି ଆବଶ୍ୟକ ହୁଏ।’ ଏହି ଅସ୍ଥାୟୀ ଭାବେ ନିଯୁକ୍ତି ‌ପାରାମେଡିକ୍ସମାନେ ବୟସ, ସଂରକ୍ଷଣ ନୀତି, ଲିଖିତ ପରୀକ୍ଷା ପରି ମାନଦଣ୍ଡ ଯାହା ସେମାନଙ୍କ କ୍ୟାଡର୍‌ ନିୟମରେ ଧାର୍ଯ୍ୟ ନିୟମିତ ନିଯୁକ୍ତି ପ୍ରକ୍ରିୟା ପାଇଁ ବାଧ୍ୟତାମୂଳକ ଅଟେ ତାହା ଅନୁସରଣ ନ କରି କେବଳ ସାକ୍ଷାତକାର ଭିତ୍ତିରେ ନିୟୋଜିତ ହୋଇଥିଲେ।

ଓଡ଼ିଶାରେ ସକ୍ରିୟ କୋଭିଡ୍‌ ମାମଲା ହ୍ରାସ ପାଇଛି। ପଜିଟିଭ୍ ସଂଖ୍ୟା ହ୍ରାସ ପାଉଥିବାରୁ କୋଭିଡ୍‌ ସ୍ବାସ୍ଥ୍ୟ ସୁବିଧା ମଧ୍ୟ ବନ୍ଦ କରାଯାଇଛି। ଏହି ପରିପ୍ରେକ୍ଷୀରେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ୩୧.୧୨.୨୦୨୦ ପରେ କୋଭିଡ୍‌-୧୯ କାର୍ଯ୍ୟ ପରିଚାଳନା ପାଇଁ ନିୟୋଜିତ ଡାକ୍ତର, ପାରାମେଡିକ୍ସ, ଡିଇଓ ଆଦିଙ୍କର ନିୟୋଜିନ ଅବଧିକୁ ବୃଦ୍ଧି ପାଇଁ ଆଉ ଅନୁମତି ଦିଆଯିବ ନାହିଁ। ଏ ସମ୍ବନ୍ଧୀୟ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ ଯଦି କୌଣସି ଜିଲ୍ଲା ୩୧.୧୨.୨୦୨୦ ପରେ କୋଭିଡ୍‌ ସ୍ବାସ୍ଥ୍ୟ ସେବା ପାଇଁ ଅତିରିକ୍ତ ମାନବ ସମ୍ବଳ ଜରୁରୀ ବୋଲି ମନେ କରନ୍ତି, ତେବେ ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦାଖଲ କରିବେ। ହାଇକୋର୍ଟ ମଧ୍ୟ ଗତ ୮ ତାରିଖରେ ଏ ସମ୍ପର୍କିତ ମାମଲାକୁ ବିଚାର କରି କୋଭିଡ୍‌-୧୯ ପରିଚାଳନା ପାଇଁ ନିୟୋଜିତ ଆବେଦନକାରୀଙ୍କୁ ନିୟମିତ କରିବା ଦାବିକୁ ଅଗ୍ରାହ୍ୟ କରିଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା‌ ୧୦୯୯ ଏଏନ୍‌ଏମ୍‌/ଏମ୍‌ପିଏଚ୍‌ଡବ୍ଲ୍ୟୁ(ମହିଳା) ପଦବି ଖାଲି ଅଛି। ଏହା ବାଦ୍ ରାଜ୍ୟ ସରକାର ୩୧୪୫ଟି ନୂଆ ଏଏନ୍‌ଏମ୍‌/ଏମ୍‌ପିଏଚ୍‌ଡବ୍ଲ୍ୟୁ(ମହିଳା) ପଦବି ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପଦବିଗୁଡ଼ିକ ପୂରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ସେହିପରି ୬୪୩୨ ଷ୍ଟାଫ୍ ନର୍ସ, ୬୦୦ ଫାର୍ମାସିଷ୍ଟ ଓ ୨୦୦ ରେଡିଓଗ୍ରାଫର୍‌ ନିଯୁକ୍ତି ପାଇଁ ବିଜ୍ଞାପନ ଦେଇଛନ୍ତି। ଏହି ଖାଲି ପଡ଼ିଥିବା ପଦବି ଓଡ଼ିଶା ଅଧସ୍ତନ କର୍ମଚାରୀ ମନୋନୟନ କମିସନ୍‌ଙ୍କ ମାଧ୍ୟମରେ ପୂରଣ କରାଯିବ। ପଦବି ପୂରଣ ପ୍ରକ୍ରିୟା ନୂଆ କ୍ୟାଡର୍‌ ରୁଲ୍‌ ଅନୁଯାୟୀ କରାଯିବ। ଆନ୍ଦୋଳନରତ ଏଏନ୍‌ଏମ୍‌ମାନେ ପଦବି ପୂରଣ ପ୍ରକ୍ରିୟାରେ ଯୋଗ୍ୟ ବିବେଚିତ ହେଲେ ନିଯୁକ୍ତ ହୋଇପାରିବେ। ଏହା ବାଦ୍ ହାଇକୋର୍ଟଙ୍କ ରାୟ ଆ‌ଧାରରେ ସେମାନଙ୍କ ନିଯୁକ୍ତିକୁ ପ୍ରାଥମିକତା ଦିଆଯିବ।

ସମ୍ବନ୍ଧିତ ଖବର