ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅଧୀନରେ ଯେତେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଅଛି ସେଗୁଡ଼ିକୁ ଅକ୍ଟୋବର ୧୫ ସୁଦ୍ଧା ସ୍କ୍ରାପିଂ କରାଯିବ। ‘ବାହନ’ ତଥ୍ୟ ଅନୁଯାୟୀ, ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ୬୨୪୧ଟି ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଥିବାବେଳେ ସେଗୁଡ଼ିକୁ ନିକଟସ୍ଥ ପଞ୍ଜୀକୃତ ଗାଡ଼ି ସ୍କ୍ରାପିଂ ସୁବିଧା େକନ୍ଦ୍ରକୁ ନେଇ ତୁରନ୍ତ ସ୍କ୍ରାପିଂ କରିବାକୁ କୁହାଯାଇଛି। କେଉଁ ବିଭାଗ କେତେ ଗାଡ଼ି ସ୍କ୍ରାପିଂ କଲେ ତା’ର ଏକ ରିପୋର୍ଟ ପରିବହନ ବିଭାଗକୁ ପଠାଇବେ। ଏହି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପଠାଇଲେ ଅର୍ଥ ମନ୍ତ୍ରଣାଳୟର ସହାୟତା ମିଳିବ। ଏ ନେଇ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି।
୬୨୪୧ଟି ପୁରୁଣା ସରକାରୀ ଯାନ ସ୍କ୍ରାପିଂ ହେବ
ଗାଡ଼ି ସ୍କ୍ରାପିଂ କରି ସରକାର ପାଇଲେଣି ୩୦୦କୋଟି
ଶ୍ରୀମତୀ ପାଢ଼ୀ ଲେଖିଛନ୍ତି ଯେ ୩୧ ମାର୍ଚ୍ଚ, ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କର ପ୍ରାୟ ୪ହଜାର ପୁରୁଣା ଗାଡ଼ି ସ୍କ୍ରାପିଂ ହୋଇଛି। ଅବଶିଷ୍ଟ ଗାଡ଼ି ସ୍କ୍ରାପିଂ କଲେ ଆମକୁ କେନ୍ଦ୍ର ସରକାରଙ୍କ ସହାୟତା ମିଳିବ। କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, ୫୦୦ ପର୍ଯ୍ୟନ୍ତ ଗାଡ଼ି ସ୍କ୍ରାପିଂ କଲେ ଗାଡ଼ି ପିଛା ୫୦ ହଜାର ଟଙ୍କା, ୫୦୧ରୁ ହଜାରେଟି ଗାଡ଼ି ସ୍କ୍ରାପିଂ କଲେ ଗାଡ଼ି ପିଛା ୬୦ ହଜାର ଟଙ୍କା, ୧୦୦୧ରୁ ୨ ହଜାରଟି ଗାଡ଼ି ସ୍କ୍ରାପିଂ କଲେ ଗାଡ଼ି ପିଛା ୭୫ହଜାର ଟଙ୍କା, ୨୦୦୧ରୁ ୪୦୦୦ଟି ଗାଡ଼ି ସ୍କ୍ରାପିଂ କଲେ ଗାଡ଼ି ପିଛା ୯୦ ହଜାର ଟଙ୍କା, ୪୦୦୧ରୁ ୬୦୦୦ଟି ଗାଡ଼ି ସ୍କ୍ରାପିଂ କଲେ ଗାଡ଼ି ପିଛା ୧ ଲକ୍ଷ ୨୦ ହଜାର ଟଙ୍କା, ୬ ହଜାରରୁ ଅଧିକ ଗାଡ଼ି ସ୍କ୍ରାପିଂ କଲେ ଗାଡ଼ି ପିଛା ୧ ଲକ୍ଷ ୫୦ ହଜାର ଟଙ୍କା ମିଳିବ। ଏବେ ରାଜ୍ୟ ସରକାରଙ୍କ ପାଖରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ୫ ହଜାରରୁ ଅଧିକ ସଂଖ୍ୟାରେ ଥିବାରୁ ସେଗୁଡ଼ିକ ସ୍କ୍ରାପିଂ ବାବଦକୁ ଭଲ ସହାୟତା ରାଶି ମିଳିବ। ଏଥିରେ ରାଜ୍ୟ ସରକାର ନୂଆ ଗାଡ଼ି କିଣିବେ।
ପରିବହନ ବିଭାଗର ସୂଚନା ଅନୁଯାୟୀ, ସବୁଠୁ ଅଧିକ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଗୃହ ବିଭାଗରେ ୧୧୮୯ଟି ଅଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୪୨୬ଟି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୩୭୮ଟି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ୧୯୩ଟି, ଅଗ୍ନିଶମ ବିଭାଗରେ ୩୮୯ଟି, ଜଳସମ୍ପଦ ବିଭାଗରେ ୧୩୪ଟି ଏବଂ ଅର୍ଥ ବିଭାଗରେ ୮୭ଟି ଗାଡ଼ି ଅଛି। ଏହାବାଦ୍ କେଉଁ ବିଭାଗ, କେଉଁ ନିର୍ଦ୍ଦେଶାଳୟରେ କେତେ ପୁରୁଣା ଗାଡ଼ି ଅଛି ତା’ର ଏକ ତାଲିକା ଦିଆଯାଇଛି। ଏହି ତାଲିକା ଅନୁଯାୟୀ ବିଭାଗୀୟ ସଚିବମାନେ ବିଭାଗସ୍ତରରେ ସମୀକ୍ଷା କରି ଗାଡ଼ି ସ୍କ୍ରାପିଂ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି।