୩ ମାସରେ ନିର୍ମାଣ ହେବ ୩୫୦୦ କିମି ରାସ୍ତା

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା

ଭୁବନେଶ୍ୱର : ୨୦୧୭ ସୁଦ୍ଧା ରାଜ୍ୟରେ ସମୁଦାୟ ୧୮,୬୨୪ କୋଟି ଟଙ୍କା ବିନିଯୋଗ କରାଯାଇ ୪୩,୨୨୨ କିମି ରାସ୍ତା ନିର୍ମାଣ କରାଯାଇଛି। ଏହା ଫଳରେ ୧୯,୬୮୨ ଗ୍ରାମକୁ ସଡ଼କ ସଂଯୋଗ ହୋଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୩୫୦୦ କିମି ରାସ୍ତା ପୂର୍ଣ୍ଣାଙ୍ଗ ହେବା ସହ ନୂଆ ରାସ୍ତାଗୁଡ଼ିକର ମୂଳଦୁଆ କାମ ତ୍ୱରାନ୍ଵିତ କରାଯାଇଛି। ମାର୍ଚ୍ଚ ଶେଷ ସୁଦ୍ଧା ସୁଦ୍ଧା ଅଧିକ ୩୫୦୦ କିମି ରାସ୍ତା ପୂର୍ଣ୍ଣାଙ୍ଗ କରାଯିବ। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ରାଜ୍ୟସ୍ତରୀୟ ମଞ୍ଜୁରୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟାନ୍ଵୟନରେ ଓଡ଼ିଶା ଜାତୀୟ ସ୍ତରରେ ଏକ ନମ୍ବର ସ୍ଥାନରେ ପହଞ୍ଚିଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଏଥିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ବିଷ୍ଣୁପଦ ସେଠୀ କାର୍ଯ୍ୟାନ୍ଵୟନ ସମ୍ବନ୍ଧିତ ଆର୍ଥିକ, ପ୍ରଶାସନିକ ଓ ବୈଷୟିକ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ବୈଠକରେ ପ୍ରାୟ ୫୦୦ କୋଟି ଟଙ୍କା ଅଟକଳରେ ନୂଆ ୧୬୫ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା। ଏଥିରେ ୩୬ଟି ପୋଲ ନିର୍ମାଣ ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୫୮୨ କିମି ରାସ୍ତାର ନିର୍ମାଣ ଓ ଉନ୍ନତିକରଣ ହେବ। ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ପାଣ୍ଠି ଯୋଗାଇଥା’ନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ପାଇଁ ୧୯,୭୬୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ତାହା ମଧ୍ୟରୁ ଡିସେମ୍ବର ଶେଷ ସୁଦ୍ଧା ପ୍ରାୟ ୧୮,୬୨୪ କୋଟି ଟଙ୍କା ବିନିଯୋଗ କରାଯାଇଛି।

ଗ୍ରାମ୍ୟ ଉନ୍ନୟନ ବିଭାଗର ଇଞ୍ଜିନିୟର୍‌ ଇନ୍‌ ଚିଫ୍‌ ଭରତ ଚନ୍ଦ୍ର ପ୍ରଧାନ ସଡ଼କ ନିର୍ମାଣରେ ବ୍ୟବହାର କରାଯାଉଥିବା ସବୁଜ ଜ୍ଞାନ କୌଶଳ ଉପସ୍ଥାପନ କରିଥିଲେ। ଏହି କୌଶଳଗୁଡ଼ିକ ନିର୍ମାଣ ମୂଲ୍ୟ ଓ ସମୟ ଦୃଷ୍ଟିରୁ ଅଧିକ ଉପଯୋଗୀ ଓ ଫଳପ୍ରସୂ ହେବ ବୋଲି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ କହିଥିଲେ। ଏହି କୌଶଳ ପ୍ରୟୋଗ କରି ରାଜ୍ୟରେ ପ୍ରାୟ ୯୫୪ କିମି ରାସ୍ତା ସଫଳତାର ସହ ନିର୍ମାଣ କରାଯାଇଛି। ଅଧିକ ୩୫୦୦ କିମି ରାସ୍ତା ନିର୍ମାଣରେ ଏହି ସବୁଜ କୌଶଳ ପ୍ରୟୋଗ କରିବା ପାଇଁ ସ୍ଥିର ହୋଇଥିଲା। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଅଶୋକ କୁମାର ମୀନାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର