ଭୁବନେଶ୍ବର: ଓଡ଼ିଶା ସମେତ ସାରା ଦେଶରେ ବାଘ ଗଣନା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ନଭେମ୍ବର ପ୍ରଥମ ସପ୍ତାହରେ ରାଜ୍ୟର ବିଭିନ୍ନ ଅଭୟାରଣ୍ୟରେ ବାଘ ଗଣନା କରାଯିବ। ଗଣନା ପୂର୍ବରୁ ଆବଶ୍ୟକୀୟ ପ୍ରକ୍ରିୟା ଶେଷ ହୋଇଛି। କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଓ ଏନ୍‌ଟିସିଏର ନିର୍ଦ୍ଦେଶ କ୍ରମେ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ (ଡବ୍ଲୁଆଇଆଇ) ବାଘ ଗଣନା ଦିଗରେ ପଦକ୍ଷେପ ନେଇଛି। ୩ଟି ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟର ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ଅଧିକାରୀଙ୍କୁ ତାଲିମ ଦିଆଯାଇଛି।

Advertisment

ଜଙ୍ଗଲ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନଭେମ୍ବରରୁ ପ୍ରଥମ ପର୍ଯ୍ୟାୟ ତଥ୍ୟ ସଂଗ୍ରହ ଆରମ୍ଭ ହେବାକୁ ଯାଉଛି। ସାତକୋଶିଆରେ ମହାବଳ ନ ଥିବାରୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଉପରେ ଅଧିକ ଫୋକସ୍‌ ରହିଛି। ଗଣନାର ଦ୍ବିତୀୟ ପର୍ଯ୍ୟାୟରେ ଡବ୍ଲୁଆଇଆଇ ପକ୍ଷରୁ ଜିଆଇଏସ୍‌ର ତଥ୍ୟ ଅନୁଯାୟୀ କେଉଁଠାରେ କେତେ ଘନତା ବିଶିଷ୍ଟ ଜଙ୍ଗଲ ଓ ତୃଣଭୋଜୀ ପ୍ରାଣୀ ଅଛନ୍ତି, ସେସବୁ ଚିହ୍ନଟ ହେବ। ଶେଷ ପର୍ଯ୍ୟାୟରେ କ୍ୟାମେରା ଟ୍ରାପ୍‌ ପାଇଁ ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯିବ। ଜାନୁଆରି ଶେଷ ସୁଦ୍ଧା ବିଭିନ୍ନ ବନାଞ୍ଚଳ ଦ୍ବାରା ସମ୍ପୃକ୍ତ ଅଞ୍ଚଳର କ୍ୟାମେରା ତଥ୍ୟକୁ ବିଶ୍ଳେଷଣ ପାଇଁ ଦାଖଲ କରିବାକୁ ହେବ। ସାଇନ୍ ସର୍ଭେ, ପଗ୍ ମାର୍କ (ପାଦ ଚିହ୍ନ) ଓ କ୍ୟାମେରା ଟ୍ରାପ୍‌ ଦ୍ବାରା ବାଘ ଗଣନା କରାଯିବ। ବାଘ ଗଣନାକୁ ତ୍ରୁଟିଶୂନ୍ୟ କରିବା ପାଇଁ ସ୍ବତନ୍ତ୍ର ମୋବାଇଲ୍ ଆପ୍ ଓ ‘ଏଆଇ’ ବ୍ୟବହାର କରାଯାଉଛି।

ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ ୨୦୧୮ କେନ୍ଦ୍ର ସରକାରଙ୍କ ବ୍ୟାଘ୍ର ଗଣନା ଅନୁଯାୟୀ ଓଡ଼ିଶା‌ରେ ୨୮ଟି ମହାବଳ ରହିଥିଲେ। ତେବେ ୨୦୨୨ ଗଣନାରେ ଏହି ସଂଖ୍ୟା ୧୭କୁ ଖସିଥିଲା। ୪୭ଟି ଫରେଷ୍ଟ ଡିଭିଜନ୍‌ (ଭଦ୍ରକ, ରାଜନଗର, ପୁରୀ ଓ ଚିଲିକା ବ୍ୟତୀତ)ରେ ବ୍ୟାଘ୍ର ଗଣନା ହୋଇଥିଲା। ତେବେ ସେହି ରିପୋର୍ଟକୁ ଗ୍ରହଣ କରାଯାଇ ନଥିଲା ଏବଂ ନିଜସ୍ବ ଗଣନା ହୋଇଥିଲା। ଯେଉଁଥିରେ ରାଜ୍ୟରେ ୩୦ଟି ମହାବଳ ଓ ୮ଟି ଶାବକ ରହିଥିବା ନଜରକୁ ଆସିଥିଲା। ସେଥିରୁ ଶିମିଳିପାଳରେ ସର୍ବାଧିକ ୨୭ଟି ମହାବଳ ବାଘ ସହ ୮ଟି ଶାବକ ଥିବା ବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଥିଲା।