ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ଆଜି ମଧ୍ୟରାତ୍ରରୁ ୩୦ଟି ଜିଲ୍ଲାରେ ଲକଡାଉନ୍

ଅପରାହ୍ଣରେ ବିଧିବଦ୍ଧ ଘୋଷଣା

ଭୁବନେଶ୍ବର: କରୋନା ଯେପରି ମହାମାରୀର ରୂପ ନେବ ନାହିଁ, ସେ ନେଇ ସରକାର ଗୋଟିଏ ପରେ ଗୋଟିଏ କଠୋର ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ଅଧାରୁ ଅଧିକ ଅଞ୍ଚ​ଳ ଲକ୍ ଡାଉନ ବା ତାଲା ବନ୍ଦ ହୋଇଯାଇଥିବା ବେଳେ ଆଜି ମଧ୍ୟରାତ୍ରରୁ ସମଗ୍ର ରାଜ୍ୟକୁ ଲକଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଅର୍ଥାତ୍ ସମସ୍ତ ୩୦ଟି ଜିଲ୍ଲାରେ ଲକଡାଉନ୍ ହେବା ନିଶ୍ଚିତ ହୋଇଯାଇଛି। ଏହି ଲକଡାଉନ୍ ୨୯ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏ ନେଇ ବିଧିବଦ୍ଧ ଘୋଷଣା ଆଜି ଅପରାହ୍ଶ ୪.୩୦ରେ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ନେଇ କରାଯାଉଥିବା ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯିବ।

ପ୍ରଥମେ ୫ ଜିଲ୍ଲା ଓ ୮ ସହରକୁ ତାଲା ବନ୍ଦ କରାଯାଇଥିଲା। ଗତକାଲି ଏହି ତାଲିକାରେ ଆଉ ୯ଟି ଜିଲ୍ଲାକୁ ସାମିଲ କରିଥିଲେ ରାଜ୍ୟ ସରକାର। ଫଳରେ ମଙ୍ଗଳବାର ସକାଳୁ ୧୪ଟି ଜିଲ୍ଲାରେ ତାଲାବନ୍ଦ କାର୍ଯ୍ୟକାରୀ ହୋଇଥିଲା। ଏବେ ସଂପୂର୍ଣ୍ଣ ଓଡ଼ିଶାକୁ ତାଲାବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଅର୍ଥାତ୍ ୩୦ଟି ଯାକ ଜିଲ୍ଲାରେ କେବଳ ଜରୁରୀ ସାମଗ୍ରୀ ଓ ସେବାକୁ ଛାଡିଦେଲେ ସବୁକିଛି ବନ୍ଦ କରି ଦିଆଯିବ। ଅତି ଆବଶ୍ୟକ ନପଡ଼ିଲେ ଘରୁ ନ ବାହାରିବାକୁ କଡ଼ା ନିୟମ କରାଯାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ୫ଟି ଜିଲ୍ଲାର ୮ଟି ସହର ଲକ୍‌-ଡାଉନ୍‌ ଘୋଷଣା ହୋଇଥିଲା। ସେଗୁଡ଼ିକ ହେଲା, ଖୋର୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା, ଅନୁଗଳ ସହ ୮ଟି ସହର ଯାଥା ପୁରୀ, ରାଉରାକେଲା(ଇସ୍ପାତ ନଗରୀ ସମେତ), ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ବର, ଭଦ୍ରକ, ଯାଜପୁର ଟାଉନ ଓ ଯାଜପୁର ରୋଡ୍‌। ଏହାପରେ ନୂତନ ଭାବେ ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ବର, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା ଆଦି ଜିଲ୍ଲା  ଲକ୍ ଡାଉନ୍ ଘୋଷିତ ହୋଇଥିଲା।

ତାଲାବନ୍ଦ କଟକଣା ସତ୍ୱେ ଅତ୍ୟାବଶୀୟ ସାମଗ୍ରୀ ଦୋକାନ ଓ ଜରୁରୀ ସେବା ଖୋଲା ରହିବ । ସେହିପରି ଡାକ୍ତରଖାନା , ଡାକ୍ତରୀ ପରୀକ୍ଷା କେନ୍ଦ୍ର, ଔଷଧ ଦୋକାନ, ପୁଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ , ବିଦ୍ୟୁତ, ଜଳଯୋଗାଣ ଏବଂ କୋରନା ପାଇଁ କାମ କରିଥିବା ସଂସ୍ଥାମାନଙ୍କ ସେବା ଚାଲୁ ରହିବ । ସେହିଭଳି ବ୍ୟାଙ୍କ, ଏଟିଏମ, ପେଟ୍ରୋଲ ପମ୍ପ ଖୋଲା ରହିବା ନେଇ ଘୋଷଣା କରାଯାଇଛି । ତେବେ ରାଜ୍ୟ ସରକାର ସାମଜିକ ଦୂରତା ରକ୍ଷା କରିବା ପାଇଁ ଏଭଳି ଏକ ନିଷ୍ପତ୍ତି କରିଛନ୍ତି । ରାଜ୍ୟବାସୀ ଏହାକୁ ମାନି ନିଜକୁ ସୁରକ୍ଷିତ ରଖିବା ସହ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସରକାରଙ୍କ ମୁଖ୍ୟମୁଖପାତ୍ର ସୁବ୍ରତ ବାଗଚୀ ।

ସମ୍ବନ୍ଧିତ ଖବର