ଭୁବନେଶ୍ବର/କଟକ : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୨୧ରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଲାଗି ପ୍ରସ୍ତୁତ ହେଉଛି ପ୍ରଶ୍ନ ବ୍ୟାଙ୍କ ତଥା ‘ଶିକ୍ଷା ଦର୍ପଣ’। ପ୍ରତି ବହିର ପ୍ରତି ବିଷୟ ଅନୁଯାୟୀ ପ୍ରଶ୍ନଗୁଡ଼ିକ ଏହି ବ୍ୟାଙ୍କରେ ରହିଛି। ଗୋଟିଏ ବିଷୟରେ ପାଖାପାଖି ଶହେ ପ୍ରଶ୍ନ ଅଛି। ଯେଉଁଥିରେ ୫୦ରୁ ୬୦ଟି ଏମ୍ସିକ୍ୟୁ (ମଲଟିପ୍ୟୁଲ୍ ଚଏସ୍ କୋଶ୍ଚେନ) ଓ ୨୦ରୁ ଅଧିକ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଅନ୍ତର୍ଭୁକ୍ତ ରହିଛି। କରୋନା ମହାମାରୀ ସମୟରେ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ପଦକ୍ଷେପ ହାତକୁ ନେଇଛନ୍ତି। ଇତିମଧ୍ୟରେ ‘ଶିକ୍ଷା ଦର୍ପଣ’ ପ୍ରସ୍ତୁତ ସରି ଛପା ପାଇଁ ପ୍ରସ୍ତୁତ ରହିଛି। ‘ଶିକ୍ଷା ଦର୍ପଣ’ରେ ପ୍ରଶ୍ନପତ୍ର ସହ ଉତ୍ତର ବି ରହିଛି। ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀ ତାହାକୁ ଅଭ୍ୟାସ କରିପାରିବେ। ପିଲାଙ୍କ ତଥ୍ୟ ମିଳିବା ପରେ ଛପା କାର୍ଯ୍ୟ ଆରମ୍ଭ ହୋଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବଣ୍ଟିବାକୁ ଲକ୍ଷ୍ୟ ରଖାଯାଇଛି।
୨୦୨୧ରେ ପାଖାପାଖି ୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ‘ଶିକ୍ଷା ଦର୍ପଣ’ ପ୍ରସ୍ତୁତ କରିବାକୁ ସ୍ଥିର ହୋଇଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟାରେ ‘ଶିକ୍ଷା ଦର୍ପଣ’ ଛପାଯିବ ତାହା ଜଣାପଡ଼ୁ ନ ଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ରିପୋର୍ଟ ମଗାଯାଇଛି। କେଉଁ ଜିଲ୍ଲାରେ କେତେ ସଂଖ୍ୟକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବେ ତାହାର ତଥ୍ୟ ୨୨ ତାରିଖ ସୁଦ୍ଧା ଦେବାକୁ କୁହାଯାଇଛି। ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପଢ଼ୁଥିବା ତଥା ୧୦ମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ତଥ୍ୟ ଦାଖଲ କରିବାକୁ କୁହାଯାଇଛି। ତଥ୍ୟ ମିଳିବା ପରେ ‘ଶିକ୍ଷା ଦର୍ପଣ’ ଛପାଯାଇ ମାଗଣାରେ ବାଣ୍ଟନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇ ଥିବାରୁ ସ୍କୁଲ ଖୋଲିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀଙ୍କୁ ‘ଶିକ୍ଷା ଦର୍ପଣ’ ଯୋଗାଇ ଦେବାକୁ ବିଭାଗ ଲକ୍ଷ୍ୟ ରଖିଥିଲା। ତେବେ ବର୍ତମାନର ସ୍ଥିତିକୁ ଦେଖି ବିଭାଗ ଏଥିରୁ ନିବୃତ୍ତ ରହିଛି। ଯଦି ଏବେ ପିଲାଙ୍କୁ ପ୍ରଶ୍ନବ୍ୟାଙ୍ଗ ଦିଆଯିବ ତେବେ ସେମାନେ କ୍ଲାସରୁମ ତଥା ବହି ପଢ଼ା ଉପରେ ଧ୍ୟାନ ଦେବେ ନାହିଁ। ‘ଶିକ୍ଷା ଦର୍ପଣ’ ପ୍ରକ୍ଟିସ୍ କରିବେ। ତେଣୁ ‘ଶିକ୍ଷା ଦର୍ପଣ’ ବଣ୍ଟନ ପ୍ରକ୍ରିୟା ଟିକିଏ ବିଳମ୍ବ କରିବାକୁ ସ୍ଥିର ହୋଇଛି। ଫଳରେ ପିଲାମାନେ ପାଠପଢ଼ା ଉପରେ ଅଧିକ ଫୋକସ୍ କରିପାରିବେ।
ଅନ୍ୟପକ୍ଷରେ ଗୋଟିଏ ବର୍ଷ ପରେ ମାଟ୍ରିକ୍ ପ୍ରଶ୍ନପତ୍ର ଢାଞ୍ଚାରେ ପରିବର୍ତନ କରାଯାଇଛି। ପୂର୍ବ ପ୍ରଚଳିତ ଏମ୍ସିକ୍ୟୁ(ମଲଟିପ୍ୟୁଲ୍ ଚଏସ୍ କୋଶ୍ଚେନ) ଢାଞ୍ଚାରେ ଏ ବର୍ଷ ପରୀକ୍ଷା ହେବ। ଏଥିରେ ୫୦ ମାର୍କର ଏମ୍ସିକ୍ୟୁ ରହିବ ଓ ୩୦ ମାର୍କର ଦୀର୍ଘଉତ୍ତରମୂଳକ ପ୍ରଶ୍ନ ଆସିବ। ୨୦୨୦ରେ ମାଟ୍ରିକ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଏମ୍ସିକ୍ୟୁ ଢାଞ୍ଚାରେ ପରୀକ୍ଷା ଦେଇ ନ ଥିଲେ। ଏମ୍ସିକ୍ୟୁ ବଦଳରେ ଏକ ମାର୍କ ବିଶିଷ୍ଟ ୫୦ଟି ପ୍ରଶ୍ନର ଉତ୍ତର ଲେଖିଥିଲେ। ଯେଉଁଥିରେ ଗୋଟିଏ ବାକ୍ୟରେ ଉତ୍ତର, ଗୋଟିଏ ଶବ୍ଦରେ ଉତ୍ତର, ଶୂନ୍ୟ ସ୍ଥାନ ପୂରଣ, ରେଖାଙ୍କିତ ପଦ ବଦଳାଇ ଭ୍ରମ ସଂଶୋଧନ କର, ଅସମ୍ପୃକ୍ତ ଯୋଡ଼ିଟି ବାଛ ଆଦି ବର୍ଗରେ ୧୦ଟି ଲେଖାଏଁ ପ୍ରଶ୍ନ ଆସିଥିଲା ଓ ଉତ୍ତର ଦେବାକୁ କୁହାଯାଇଥିଲା। ବାକି ୫୦ ମାର୍କ ଦୀର୍ଘ ଉତ୍ତରମୂଳକ ଥିଲା। ତେବେ ଏଥର ଏମ୍ସିକ୍ୟୁ ଢାଞ୍ଚାରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି, ଯାହା ଆଧାରରେ ‘ଶିକ୍ଷା ଦର୍ପଣ’ ପ୍ରସ୍ତୁତ ହେଉଛି।