ଜେଇଇ ମେନ୍, ଏନ୍‌ଇଇଟି ପରୀକ୍ଷାର୍ଥୀଙ୍କ ପାଇଁ ବଡ଼‌ ଘୋଷଣା : ଦାୟିତ୍ୱ ନେଲେ ସରକାର

ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ଯାତାୟତ ଓ ରହିବା ଖର୍ଚ୍ଚ ବହନ କରିବେ
ନିଜ ସୁବିଧାରେ ଆସିଲେ ବି ସବୁ ସହଯୋଗ ଯୋଗାଇଦେବେ
ଅଗଷ୍ଟ ୩୧ ସୁଦ୍ଧା ପଞ୍ଜୀକରଣ କରିବାକୁ ଜଣାଇଲେ ମୁଖ୍ୟସଚିବ

ଭୁବନେଶ୍ୱର : ଜେଇଇ ମେନ୍ ଓ ଏନ୍‌ଇଇଟି ପରୀକ୍ଷା ନେଇ ରାଜ୍ୟ ସରକାର ଆଜି ଏକ ବଡ ଘୋଷଣା କରିଛନ୍ତି। ପରୀକ୍ଷା କରିବା ଲାଗି କେନ୍ଦ୍ର ସରକାର ଜିଦ୍‌ରେ ଅଟଳ ରହିବା ପରେ ରାଜ୍ୟ ସରକାର ଆଜି ଆଉ ପାଦେ ଆଗକୁ ଯାଇ ପରୀକ୍ଷାର୍ଥୀ କିଭଳି ସୁବିଧାରେ ରହିବେ ଓ ଯାତାୟତ କରିପାରିବେ, ସେ ଦାୟିତ୍ବ ନିଜ ମୁଣ୍ଡକୁ ନେଇଛନ୍ତି। ସେମାନଙ୍କ ରହିବା ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ ବୋଲି ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଦକ୍ଷତା ବିକାଶ ବିଭାଗର ପ୍ରମୁଖ ସଚିବ ସଂଜୟ ସିଂହ ଗଣମାଧ୍ୟମକୁ କହିଛନ୍ତି।

ପୂର୍ବରୁ ଜେଇଇ ମେନ୍ ଓ ଏନ୍‌ଇଇଟି ପରୀକ୍ଷା ସ୍ଥଗିତ ରଖିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଓ ପରେ ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ। ହେଲେ ପରୀକ୍ଷାକୁ ମାତ୍ର ୭୨ ଘଣ୍ଟା ଥିଲେ ହେଁ, କୌଣସି ବ୍ୟବସ୍ଥା ନ ହେବାରୁ ରାଜ୍ୟ ସରକାର ଆଜି ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି।

ସଂପ୍ରତି ରାଜ୍ୟରେ କୋଭିଡ୍ କଟକଣା ଜାରି ରହିଥିବା ବେଳେ ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି େହାଇଛି। ଯାନବାହନ ଚଳାଚଳ ସ୍ବାଭାବିକ ନାହିଁ। ଏଣୁ ମୁଖ୍ୟମନ୍ତ୍ରୀ ଏହି ଛାତ୍ରଛାତ୍ରୀଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବା ଲାଗି ନିର୍ଦେଶ ଦେଇଥିଲେ। ସବୁ ଜିଲ୍ଲାପାଳଙ୍କୁ କୁହାଯାଇଛି ଯେ ସେମାନେ ଛାତ୍ରଛାତ୍ରୀମାନେ କିଭଳି ଭଲରେ ଆସି ପରୀକ୍ଷା ଦେଇ ଫେରିବେ, ସେ ଦାୟିତ୍ବ ନେବେ। ଏପରିକି ପ୍ରବେଶ ପତ୍ର ଦେଖାଇଲେ ସେମାନଙ୍କ ଯାନବାହନକୁ ଛାଡିବା ଲାଗି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି। ମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଆସନ୍ତା ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ। ପରିକ୍ଷାର୍ଥୀ କେବଳ ସେମାନଙ୍କ ପ୍ରବେଶ ପତ୍ର ଦେଖାଇଲେ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ଯେଉଁ ପରୀକ୍ଷାର୍ଥୀ ନିଜ ସୁବିଧାରେ ଆସିବାକୁ ଚାହିଁବେ, ସେମାନଙ୍କୁ ସରକାର ସହଯୋଗ କରିବେ। ସେମାନଙ୍କ ଯାନବାହନକୁ କୋଭିଡ୍ କଟକଣାମୁକ୍ତ କରାଯିବ। ଏ କ୍ଷେତ୍ରରେ ସେମାନଙ୍କୁ ପ୍ରବେଶ ପତ୍ର ଦେଖାଇବାକୁ ପଡିବ। ଯେଉଁମାନେ ସରକାରୀ ବ୍ୟବସ୍ଥାରେ ଆସିବାକୁ ଚାହିଁବେ, ସେମାନେ ଜଣାଇଲେ ତାଙ୍କର ମାଗଣା ନେବା ଆଣିବା ବ୍ୟବସ୍ଥା ମଧ୍ୟ ସରକାର କରିବେ। ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ପ୍ରତି ଜିଲ୍ଲାରେ ନୋଡାଲ୍ ସେଣ୍ଟର କରାଯାଇଛି। ଜିଲ୍ଲାର ମୁଖ୍ୟ ଆଇଆଇଟି ନୋଡାଲ ସେଣ୍ଟର ଭାବେ କାର୍ଯ୍ୟ କରିବ। ସେଠାରେ ଏକ ସେଲ୍ ଖୋଲିବ ଏବଂ ସରକାର ଟେଲିେଫାନ୍ ନମ୍ବର ଜାରି କରିଛନ୍ତି। ସେହି ସେଲ୍‌କୁ ବ୍ୟକ୍ତିଗତ ଭାବେ ଯାଇ କିମ୍ବା ଫୋନ୍ କରି ପରୀକ୍ଷାର୍ଥୀ ସେମାନଙ୍କର ଆବଶ୍ୟକତା ଜଣାଇଲେ ସେ ଅନୁଯାୟୀ ବ୍ୟବସ୍ଥା କରାଯିବ। ତେବେ ଅଗଷ୍ଟ ୩୧ ତାରିଖ ମଧ୍ୟାହ୍ନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ଜଣାଇବାକୁ ମୁଖ୍ୟ ସଚିବ ସ୍ପଷ୍ଟ କରିଛନ୍ତି। ତା ପରେ ସରକାର ଓଏସ୍ଆର୍‌ଟିସି, ଘରୋଇ ବସ୍‌ ଆଦି ବ୍ୟବସ୍ଥା କରି ପରୀକ୍ଷାର୍ଥୀଙ୍କୁ ୭ଟି ପରୀକ୍ଷା କେନ୍ଦ୍ରକୁ ଆଣିବେ ଓ ନେବେ। ସେହିଭଳି ଯେଉଁମାନେ ରହିବାକୁ ଚାହିଁବେ, ସେମାନେ ଓ ତାଙ୍କ ଅଭିଭାବକଙ୍କୁ ଖାଲିଥିବା ସରକାରୀ ଇଞ୍ଜିନିୟରିଂ କଲେଜ, ପଲିଟେକ୍‌ନିକ୍, ଘରୋଇ ଇଞ୍ଜିନିୟରିଂ ହଷ୍ଟେଲରେ ନିଃଶୁକ୍ଳରେ ରହିପାରିବେ। ୧୩ ତାରିଖରେ ହେବାକୁ ଥିବା ନିଟ୍ କ୍ଷେତ୍ରରେ ମଧ୍ୟ ଅନୁରୂପ ବ୍ୟବସ୍ଥା ହେବ।

ଉଲ୍ଲେଖଯୋଗ୍ୟ, ଓଡିଶାରୁ ୭୬ ହଜାର ପରୀକ୍ଷାର୍ଥୀ ଉଭୟ ପରୀକ୍ଷାରେ ଭାଗ ନେବେ। ଏମାନଙ୍କ ମଧ୍ୟରୁ ୩୮ ହଜାର ୨୩୬ ଜଣ ଛାତ୍ରଛାତ୍ରୀ ଜେଇଇ ମେନ ପରୀକ୍ଷା ଦେବା  ପାଇଁ ପଞ୍ଜୀକରଣ କରିଛନ୍ତି। ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସେହିପରି ନିଟ ପରୀକ୍ଷା ଦେବା ଲାଗି ୩୭ ହଜାର ୪୫୯ ଜଣ ନାମ ପଞ୍ଜୀକରଣ କରିଛନ୍ତି।

ସମ୍ବନ୍ଧିତ ଖବର