କଟକ : ଆର୍ଟିପିସିଆର ଓ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ପାଇଁ ଏବେ ସବୁ ଜିଲ୍ଲାରେ ଲାବୋରେଟୋରି ରହିଛି। ୨୦୨୧, ଜାନୁଆରି ୧୪ ସୁଦ୍ଧା କରୋନା ସଂକ୍ରମିତଙ୍କ ସ୍ବାବ୍ ପରୀକ୍ଷା ପାଇଁ ରାଜ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ୧୯ଟି ଲାବୋରେଟୋରି ପ୍ରତିଷ୍ଠା କରାଯାଇଥିବା ବେଳେ ୪ଟି ଘରୋଇ ଲାବୋରେଟୋରିକୁ ଅନୁମତି ଦିଆଯାଇଥିଲା। ଏବେ ରାଜ୍ୟରେ ଆରଟିପିସିଆର ଟେଷ୍ଟ ପାଇଁ ୪୭ଟି ସରକାରୀ ଓ ୨୦ଟି ଘରୋଇ ଲାବୋରେଟୋରି ରହିଛି। ଅଧିକାଂଶ ଘରୋଇ ଲାବୋରେଟୋରି କଟକ, ଭୁବନେଶ୍ବର, ବରଗଡ଼ ଓ ରାଉରକେଲାରେ ରହିଛି। ଆଇସିଏମ୍ଆର୍ ନିୟମାବଳୀ ଅନୁସାରେ ଏହି ସବୁ ଲାବୋରେଟୋରିରେ ଟେଷ୍ଟ କରାଯାଉଛି। ସରକାରଙ୍କ ପକ୍ଷରୁ ଲୋକଙ୍କ ମାଗଣାରେ କରୋନା ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। ହାଇକୋର୍ଟରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଏପରି ତଥ୍ୟ ଉଲ୍ଲେଖ କରାଯାଇଛି।
ପ୍ରାଥମିକ ଭାବେ ଦୁଇଟି ଜିଲ୍ଲା କଳାହାଣ୍ଡି ଓ ନବରଙ୍ଗପୁରରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଟେଷ୍ଟିଂ ବ୍ୟବସ୍ଥା ପ୍ରସଂଗକୁ ବିଚାରକୁ ନେବା ପାଇଁ ହାଇକୋର୍ଟ ସେପ୍ଟେମ୍ବର ୭ରେ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ଦୁଇ ଜିଲ୍ଲା ସଂପର୍କିତ ସବିଶେଷ ତଥ୍ୟ ସତ୍ୟପାଠ ସହିତ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦାଖଲ କରାଯାଇଥିଲା। ଏହି ସତ୍ୟପାଠର କପି ତୁରନ୍ତ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବଙ୍କୁ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଜିଲ୍ଲାର ଆଇନସେବା ପ୍ରାଧିକରଣ ସଚିବ ସଂପୃକ୍ତ ଜିଲ୍ଲା ପାଇଁ କମିଟି ଗଠନ କରିବେ। ଏହି ପାଞ୍ଚ ଜଣିଆ କମିଟିରେ ପାରାଲିଗାଲ ୱାର୍କର ଓ ପ୍ରାଧିକରଣ ପ୍ୟାନେଲରେ ଥିବା ଯୁବ ଆଇନଜୀବୀଙ୍କୁ ଗ୍ରହଣ କରାଯିବ। କମିଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ସ୍ବାସ୍ଥ୍ୟସେବା ଓ ଟେଷ୍ଟିଂ ବ୍ୟବସ୍ଥା ଅନୁଧ୍ୟାନ କରି ଅକ୍ଟୋବର ଏକ ସୁଦ୍ଧା ରିପୋର୍ଟ ଦାଖଲ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସଂଜୀବ ଯୋଶୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁକୁମାର ପାଟଯୋଶୀ ଓ ଆଇନଜୀବୀ ଏସ.କେ. ନନ୍ଦ ମାମଲା ପରିଚାଳନା କରୁଛନ୍ତି।