ପ୍ରସ୍ତାବିତ ଫି’ ଲାଗୁ ହେଲେ କୋର୍ଟ ଯିବେ ବିରୋଧୀ
ଘରୋଇ ସ୍କୁଲ ସରକାରଙ୍କ ନିୟନ୍ତ୍ରଣରେ: ଅଭିଭାବକ ମହାସଂଘ
କୋର୍ଟଙ୍କ ନିର୍ଦେଶ ପହଞ୍ଚିବା ପରେ ପଦକ୍ଷେପ: ଗଣଶିକ୍ଷା ମନ୍ତ୍ରୀ

Advertisment

ଭୁବ‌ନେଶ୍ବର : ସ୍କୁଲ ଫି’ ଛାଡ଼ ହେବ କି ନାହିଁ? ଯଦି ହେବ, ‌ତେବେ କେତେ? ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ବାରା ସ୍ବାକ୍ଷରିତ ଏମ୍‌ଓୟୁ ଆଧାରରେ ଫି’ ଛାଡ଼ କରାଯିବ? ନା ଆଉ କିଛି ପନ୍ଥା ଆପଣାଇବେ? ସ୍କୁଲ ଫି’ ଛାଡ଼ ପ୍ରସଙ୍ଗକୁ ନେଇ ଗତକାଲି ହାଇକୋର୍ଟଙ୍କ ରାୟ ଆସିବା ପରେ ଏବେ ଅକଳରେ ରାଜ୍ୟ ସରକାର। କେଉଁ ଆଧାରରେ ପଦକ୍ଷେପ ନେବେ ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ପ୍ରସ୍ତାବ ଓ ଏମ୍‌ଓୟୁକୁ ନେଇ ଯଦି କୌଣସି ଶିକ୍ଷାନୁଷ୍ଠାନ କିମ୍ବା ପକ୍ଷଙ୍କ ଭିନ୍ନ ମତ ରହୁଥାଏ ତେବେ ସେମାନେ ପ୍ରତିକାର ପାଇଁ ଆଇନ ଅନୁସାରେ ପୃଥକ୍‌ ଭାବେ ମାମଲା ଦାୟର କରିପାରିବେ। କୌଣସି ପକ୍ଷଙ୍କୁ ବାରଣ କରାଯାଇ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଏଭଳି ରାୟ ପରେ ଏମଓୟୁକୁ ବିରୋଧ କରୁଥିବା ପକ୍ଷ/ଅନୁଷ୍ଠାନ ପୃଥକ୍‌ ଭାବେ ଆଇନ ଅନୁସାରେ ପ୍ରକ୍ରିୟା ଅନୁସରଣ କରିବାକୁ ଅଣ୍ଟା ଭିଡ଼ିଲେଣି। ଯଦି ରାଜ୍ୟ ସରକାର ପ୍ରସ୍ତାବିତ ଫି’ ଛାଡ଼ ବ୍ୟବସ୍ଥା ଲାଗୁ କରନ୍ତି ତେବେ ସେମା‌ନେ ଉପର କୋର୍ଟକୁ ଯିବେ ବୋଲି ସ୍ପଷ୍ଟ କରିଛନ୍ତି।

ସ୍କୁଲ ଫି’ ଛାଡ଼ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ଆଲୋଚନାକୁ ନେଇ ସ୍କୁଲ ଫି’ ସଂପର୍କିତ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଯେଉଁଥିରେ ଉଲ୍ଲେଖ ହୋଇଥିଲା ଯେ ସ୍କୁଲ ଫି’ କିଛି ଅଂଶ ଛାଡ଼ କରାଯିବ। କେଉଁ ସ୍କୁଲ ଲାଗି କେତେ ପ୍ରତିଶତ ଫି’ ଛାଡ଼ ହେବ ସେନେଇ ୭ଟି ସ୍ଲାବ୍‌ ପ୍ରସ୍ତୁତ ହୋଇଥିଲା। ଏଥିସହ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରା ନ ଯାଇ ପ୍ରକୃତ ସ୍ଥିତିକୁ ଦେଖି ପଦକ୍ଷେପ ନିଆଯିବ। ହଷ୍ଟେଲ ଫି’ ୩୦ ପ୍ରତିଶତ ଛାଡ଼ କରାଯିବ। ଆକ୍ଟିଭିଟି ଫି, ଲଣ୍ଡ୍ରି ଫି, ଏକ୍ସଟର୍ନାଲ ଏକ୍‌ଜାମ ଫି, ୟୁନିଫର୍ମ ଫି, କନଭେୟାନ୍ସ ଫି, ରିଆଡମିସନ୍ ଫି’, ଡେଭଲପମେଣ୍ଟ ଫି, ଆନୁଆଲ ଫି ଏହି ମହାମାରୀ ସମୟରେ ସ୍କୁଲ ଖୋଲିବା ପର୍ଯ୍ୟନ୍ତ ନିଆଯିବ ନାହିଁ ବୋଲି ପ୍ରସ୍ତାବରେ ରହିଥିଲା।

publive-image

ତେବେ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଘରୋଇ ସ୍କୁଲଗୁଡିକର ଫି’ ନିୟନ୍ତ୍ରଣ ପାଇଁ କିଛି ବ୍ୟବସ୍ଥା ନାହିଁ। ଯାହାକୁ ବିରୋଧ କରି ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ ଘରୋଇ ସ୍କୁଲ ଉପରେ ନିୟନ୍ତ୍ରଣ ପାଇଁ ସରକାରଙ୍କ ପୂର୍ଣ୍ଣ କ୍ଷମତା ରହିଛି ବୋଲି ଦର୍ଶାଯାଇଥିଲା। ୧୯୯୬, ସେପ୍ଟେମ୍ବର ୨୩ରେ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା ଯେ ଯଦି ନିୟମାବଳୀ ଉଲ୍ଲଂଘନ ହୁଏ ତେବେ ସଂପୃକ୍ତ ଅନୁଷ୍ଠାନର ଏନ୍‌ଓସି ପ୍ରତ୍ୟାହାର କରାଯିବ। ନିୟମାବଳୀ ପାଳନ ଉପରେ ସ୍କୁଲକୁ ପ୍ରଦାନ କରାଯାଇଥିବା ଏନ୍‌ଓସି ନିର୍ଭର କରିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଥିଲା ବୋଲି ଆବେଦନକାରୀ ଦର୍ଶାଇଥିଲେ।

ହାଇକୋର୍ଟଙ୍କ ରାୟ ପରେ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଓ ଆଡଭୋକେଟ୍‌ ବିଭୂତି ଭୂଷଣ ଚୌଧୁରୀ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବେସରକାରୀ ସ୍କୁଲ ସରକାରଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ଶିକ୍ଷା ଆଇନ ୧୯୬୯ ଅନୁସାରେ ସ୍କୁଲର ଫି’କୁ ସରକାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବେ। ରିଜୋଲ୍ୟୁସନ ଅନୁସାରେ, ସ୍କୁଲ ଦେଉଥିବା ସମସ୍ତ ସୁବିଧା ସୁଯୋଗ ଅନୁଯାଇ ଅଭିଭାବକଙ୍କ ସମ୍ମତି ସହିତ ଗଣଶିକ୍ଷା ବିଭାଗ ସ୍କୁଲ ଅନୁଯାୟୀ ଫି’ ନିର୍ଧାରଣ କରିବେ। ସ୍କୁଲଗୁଡ଼ିକ ନ ମାନିଲେ ସେମାନଙ୍କ ଏନ୍‌ଓସି କିମ୍ବା ସ୍ୱୀକୃତିକୁ ରାଜ୍ୟ ସରକାର ପ୍ରତ୍ୟାହାର କରିପାରିବେ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ସ୍କୁଲ ଫି’ ଛାଡ଼ ସମ୍ପର୍କିତ ମାମଲାର ରାୟ ଆସିଥିବା ଗଣମାଧ୍ୟମ ମାଧ୍ୟମରେ ଆମ ନଜରକୁ ଆସିଛି। କୋର୍ଟଙ୍କ ନିର୍ଦେଶ ଆମ ପାଖରେ ପହଞ୍ଚି ନାହିଁ। ନିର୍ଦେଶ ପାଇବା ପରେ ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବ।