ବିଦେଶୀ ସାଇବର ଠକଙ୍କ ନିଶାଣରେ ସରକାରୀ ୱେବସାଇଟ୍

ଡାର୍କ-‌‌ୱେବ୍‌ରେ ଅପଲୋଡ୍‌ ହେଉଛି ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ

ଭୁବନେଶ୍ବର : ସାଇବର ଠକେଇ ସମଗ୍ର ରାଜ୍ୟରେ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଠକମାନେ ଟଙ୍କା ଓ ତଥ୍ୟ ପାଇଁ ସାଧାରଣ ଲୋକଙ୍କୁ ମାଧ୍ୟମ କରୁଥିବା ବେଳେ ଅନେକ ସମୟରେ ସରକାରୀ ୱେବସାଇଟ୍‌ଠୁ ଆରମ୍ଭ କରି ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ, ବ୍ୟାବସାୟିକ ସଂସ୍ଥାର ୱେବସାଇଟ୍‌କୁ ଟାର୍ଗେଟ୍ କରାଯାଉଛି। ବଡ଼ କଥା ହେଉଛି, କିଛି ବର୍ଷ ହେଲା ରାଜ୍ୟରେ ଲଗାତାର ଭାବେ ସରକାରୀ ଶିକ୍ଷାନୁଷ୍ଠାନ, ମେଡିକାଲ୍, କୃଷି, ପରିବହନ ଓ ସ୍ବାସ୍ଥ୍ୟ ବିଭାଗର ୱେବସାଇଟକୁ ବାହାର ଦେଶର ହ୍ୟାକର୍ ଟାର୍ଗେଟ୍ କରୁଛନ୍ତି। ବାରମ୍ବାର ହ୍ୟାକ୍ କରି ସାଇବର ଠକ ନିଜ ଦେଶର ନାଁ ନଚେତ୍ ଦେଶ ବିରୋଧୀ ସ୍ଲୋଗାନ୍ ଲେଖୁଥିବା ଦେଖିବାକୁ ମିଳୁଛି। ମିଳିଥିବା ସୂଚନା ମୁତାବକ, ୨୦୧୮ରୁ ୨୦୨୦ ମଧ୍ୟରେ ଦେଶର ପ୍ରାୟ ୭୦ ହଜାରରୁ ଅଧିକ ୱେବସାଇଟ୍ ହ୍ୟାକ୍ ହୋଇଥିଲା। ସେଥିମଧ୍ୟରୁ ରାଜ୍ୟର ପ୍ରାୟ ୨ ହଜାର ୱେବସାଇଟ୍ ହ୍ୟାକ୍ ହୋଇଥିବା ବେଳେ ବିଶେଷକରି ଦକ୍ଷିଣ ଓଡ଼ିଶାରେ ଏକାଧିକ କଲେଜ୍ ଓ ୟୁନିଭର୍ସିଟି ହ୍ୟାକ୍ ହେଉଥିବା ଜଣାପଡ଼ିଛି। ଅପରପକ୍ଷରେ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ମନ୍ତ୍ରଣାଳୟ ଓ ଏହା ବିଭାଗର ଵେବସାଇଟ୍ ନାଁରେ ନକଲି ୱେବସାଇଟ୍ ଖୋଲାଯାଇ ଟଙ୍କା ମଧ୍ୟ ଆଦାୟ ହେଉଥିବା ଦୃଷ୍ଟାନ୍ତ ରହିଛି।

Image Courtesy of News WWC

ସରକାରୀ ବିଭାଗ ଓ ଶିକ୍ଷାନୁଷ୍ଠାନର ୱେବସାଇଟ୍ ହ୍ୟାକ୍ ହେବା ଘଟଣା
ଫେବ୍ରୁଆରି ୨୦୧୯: ସାଲେପୁର, ବାଲୁଗାଁ, ହିନ୍ଦୋଳ ସମେତ ୫୦ରୁ ଅଧିକ ସରକାରୀ କଲେଜ ଓ ଓଏଏସ୍ ଆସୋସିଏସନ୍‌ର ୱେବସାଇଟ୍ ହ୍ୟାକ୍ ହୋଇଥିଲା। ୱେବସାଇଟ୍‌କୁ ମ୍ୟାଡ୍ ଟାଇଗର୍ ହ୍ୟାକ୍ କରିଥିବା ଉଲ୍ଲେଖ ହୋଇଥିଲା।
ଏପ୍ରିଲ ୨୦୧୬: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସଏସସି)ର ୱେବସାଇଟ୍ ହ୍ୟାକ୍ ହୋଇଥିଲା। ଏହାକୁ ଫିଲିପାଇନ୍ସର ସାଇବର ଠକ ହ୍ୟାକ୍ କରିଥିଲେ।
୨୨ଜୁଲାଇ ୨୦୧୮: କମଳା ନେହରୁ କଲେଜ ୱେବସାଇଟ ହ୍ୟାକ୍ କରିବା ପରେ ସାଇବର ଠକ ଏଥିରେ ଅଶ୍ଳୀଳ ଲିଙ୍କ୍ ଛାଡ଼ିଥିଲେ।
୭ଏପ୍ରିଲ ୨୦୨୧: ବାରିପଦା ମ୍ୟୁନିସିପାଲିଟିର ୱେବସାଇଟ୍ ହ୍ୟାକ୍ କରିଥିଲେ ସାଇବର ଠକ। ଏହା କିଛି ସମୟ ପାଇଁ ଅଚଳ ହେବା ପରେ ପୁଣି ସକ୍ରିୟ ହୋଇଥିଲା।
ଜାନୁଆରି ୨୦୧୯: ଉତ୍କଳ ବିଶ୍ବବିଦ୍ୟାଳୟର ୱେବସାଇଟ୍ ହ୍ୟାକ୍ ହୋଇଥିଲା। ଏହା ପୂର୍ବରୁ ୨୦୧୬ ମେ’ରେ ମଧ୍ୟ ୱେବ୍‌ସାଇଟକୁ ପାକିସ୍ତାନ ସାଇବର ଠକ ହ୍ୟାକ୍ କରିଥିଲେ।
୨୨ଅକ୍ଟୋବର ୨୦୨୧: ପାକିସ୍ତାନର ସାଇବର ଠକମାନେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଗ୍ରିଭାନ୍ସ ଵେବ୍‌ସାଇଟ୍ ହ୍ୟାକ୍ କରିଥିଲେ। ଏଥିରେ କିଲର୍ ହ୍ୟାକ୍ ବାଏ ଡେଭିଲ ବୋଲି ଉଲ୍ଲେଖ ରହିଥିଲା। ଏଥିରେ ହ୍ୟାକର୍‌ ସମାଜରେ ହେଉଥିବା ହିଂସା ବିଷୟରେ ଲୋକଙ୍କୁ ଚିନ୍ତା କରିବାକୁ ଲେଖିଥିଲା।

Image Courtesy of Ottawa Citizen

କଲେଜ୍ ୱେବସାଇଟ୍‌କୁ ଅଧିକ ଟାର୍ଗେଟ୍
ସାଇବର ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ବାହାର ଦେଶର ସାଇବର୍‌ ଠକମାନେ ସବୁବେଳେ ଶିକ୍ଷାନୁଷ୍ଠାନକୁ ଟାର୍ଗେଟ୍‌ କରନ୍ତି। କାରଣ ଶିକ୍ଷାନୁଷ୍ଠାନର ଏହି ସାଇଟ୍‌ରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପିଲାଙ୍କ ତଥ୍ୟ ଅପଲୋଡ୍ ହୋଇଥାଏ। ତେଣୁ ଏହାକୁ ହ୍ୟାକ୍ କରି ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରି ଡାର୍କୱେବ୍‌ରେ ବିକ୍ରି କରାଯାଏ। ଏହାକୁ ସାଇବର ଠକ କିଣି ଜାଲ୍‌ ବ୍ୟାଙ୍କ୍ ଆକାଉଣ୍ଟ୍ ଓ ସିମ୍ କାର୍ଡ ସକ୍ରିୟ କରିଥା’ନ୍ତି। ପରେ ସେହି ସିମ୍‌ରୁ ଅଜଣା ନମ୍ବରକୁ ଫୋନ୍ କରି ଠକେଇ କରନ୍ତି ଓ ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ ଟଙ୍କା ସ୍ଥାନାନ୍ତର କରିଥା’ନ୍ତି। ସେହିଭଳି ଅନ୍ୟ ବିଦେଶୀ ସାଇବର ଠକମାନେ ନିଜ ଦେଶ ବିଷୟରେ ତଥ୍ୟ ଦେବା ତଥା ଉପସ୍ଥିତି ଜାହିର୍ କରିବା ପାଇଁ କଲେଜ୍ ୱେବସାଇଟ୍‌କୁ ଟାର୍ଗେଟ୍ କରନ୍ତି। ପରେ ଏହା ସଂପୃକ୍ତ ଦେଶର ସାଇବର ଠକ ଦ୍ବାରା ହ୍ୟାକ୍ ହୋଇଥିବା ଉଲ୍ଲେଖ ଥାଏ। ବିଶେଷକରି ପାକିସ୍ତାନୀ ସାଇବର୍‌ ଠକ ଏଭଳି କରୁଥିବା ନଜିର ରହିଛି।

ନକଲି ସରକାରୀ ୱେବସାଇଟ୍ କରି ବେକାର ଯୁବକ/ଯୁବତୀଙ୍କୁ ଠକେଇ
ମହାମାରୀ କରୋନା ପାଇଁ ବହୁ ଯୁବକ/ଯୁବତୀ ଚାକିରି ହରାଇଥିଲେ। ନୂଆ ନିଯୁକ୍ତି ପାଇଁ ସେମାନେ ଅନ୍‌ଲାଇନ୍‌ରେ ବିଭିନ୍ନ ସଂସ୍ଥାରେ ଆବେଦନ କରୁଥିବା ବେଳେ ସାଇବର ଠକ ଏହାକୁ ଏକ ସୁଯୋଗ ଭାବିଥିଲେ। ଗତ ୨୦୨୧ ଜୁଲାଇ ୧୬ରେ ସାଇବର ଠକ କେନ୍ଦ୍ରୀୟ ନିଯୁକ୍ତି ସଂସ୍ଥା ନାଁରେ ଏକ ନକଲି ୱେବସାଇଟ୍ ଖୋଲିଥିଲେ। ଏହି ଵେବସାଇଟ୍‌ରେ ନାଁ ପଂଜୀକରଣ କଲେ, ମାସକୁ ୩ହଜାର ଟଙ୍କା ହିସାବରେ ବର୍ଷକୁ ୩୬ହଜାର ଟଙ୍କା ଦିଆଯିବ ବୋଲି ଉଲ୍ଲେଖ କରାଯାଇଥିଲା। ପଂଜୀକରଣ ପାଇଁ ଆବେଦନକାରୀଙ୍କୁ ଆଧାରକାର୍ଡ, ପ୍ୟାନ୍ କାର୍ଡ, କୋଭିଡ୍‌ର ଦ୍ବିତୀୟ ଡୋଜ୍ ସାର୍ଟିଫିକେଟ୍, ମେଲ୍‌ ଆଇଡି ଓ ଫୋନ୍‌ ନମ୍ବର ଆଦି ଦେବାକୁ କୁହାଯାଇଥିଲା। ଏହାସହ ପଂଜୀକୃତ ଦେୟ ବାବଦକୁ ପ୍ରାୟ ୨୧୨ଟଙ୍କା ଅନଲାଇନ୍ ପେମେଣ୍ଟ ପାଇଁ ଉଲ୍ଲେଖ ଥିଲା। ଏବେ ବି ଏହି ନକଲି ୱେବସାଇଟ୍ ଅନ୍‌ଲାଇନ୍‌ରେ ସକ୍ରିୟ ଥିବା ବେଳେ ପ୍ରାୟ ୨କୋଟି ଯୁବକ/ଯୁବତୀ ଏହି ନକଲି ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରି ୨୧୨ ଟଙ୍କା ଲେଖାଏଁ ଦେଇଥିବା ଜଣାପଡ଼ିଛି।

ୱେବସାଇଟ୍ ହ୍ୟାକ୍‌ ପାଇଁ ମେଲ୍‌ରେ ଆସୁଛି ଭାଇରସ୍
୨୦୧୬ରେ ରାଜ୍ୟରେ ପ୍ରଥମଥର ପାଇଁ ଏକାବେଳେ ୫୦ରୁ ଅଧିକ କଲେଜ ସମେତ ବିଭିନ୍ନ ବିଭାଗକୁ ସାଇବର ଠକ ହ୍ୟାକ୍‌ କରିଥିଲେ। ଏଥିପାଇଁ ସାଇବର୍‌ ଠକମାନେ ଏକ ଭାଇରସ୍‌ର ସହାୟତା ନେଇଥିଲେ। ତତ୍କାଳୀନ ମନ୍ତ୍ରୀ ପାର୍ଥସାରଥୀ ବେହେରା ଉଦ୍‌ବେଗ ପ୍ରକାଶ କରି ସବୁ ବିଭାଗରେ ଅପଡେଟ୍ ଆଣ୍ଟିଭାଇରସ୍‌, କମ୍ପୁଟର ଓ ଅନ୍ୟାନ୍ୟ ଉଚ୍ଚକ୍ଷମତା ସଂପନ୍ନ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଦୀର୍ଘ ୬ ବର୍ଷ ପରେ ସାଇବର ଠକ ଏବେ ପୁଣି ଭାଇରସ୍‌ ଦ୍ବାରା ୱେବସାଇଟ୍ ହ୍ୟାକ୍ କରୁଥିବା ଜଣାପଡ଼ିଛି। ନିକଟରେ ପଶ୍ଚିମବଙ୍ଗର ୩ଟି ସରକାରୀ ବିଭାଗର ମେଲ୍ ଆଇଡିକୁ ସାଇବର୍‌ ଠକ ଲିଙ୍କ୍‌ ପଠାଇଥିଲେ। ଉକ୍ତ ଲିଙ୍କ୍ ଖୋଲିବା ପରେ ସେମାନଙ୍କ କମ୍ପ୍ୟୁଟର୍‌ ଓ ୱେବ୍‌ସାଇଟ୍‌ ସଂପୂର୍ଣ୍ଣ ଅଚଳ ହୋଇଯାଇଥିଲା। ସବୁ ଫାଇଲ୍ ବନ୍ଦ ହୋଇଯିବା ସହିତ ୱେବସାଇଟ୍ ଉପରୁ ବିଭାଗୀୟ କର୍ତ୍ତୃପକ୍ଷ ନିୟନ୍ତ୍ରଣ ହରାଇଥିଲେ। ସାଇବର ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହା ଠକଙ୍କ ନୂଆ କାରସାଦି। ବିଶେଷକରି ୱେବ୍‌ସାଇଟ୍ ଅଚଳ କରି ଠକମାନେ କ୍ରିପ୍ଟୋକରେନ୍ସି ଜରିଆରେ ଟଙ୍କା ମାଗନ୍ତି। ଟଙ୍କା ନ ମିଳିଲେ ୱେବସାଇଟ୍‌ରୁ ପୂରା ତଥ୍ୟ ଉଡ଼ାଇ ଦିଅନ୍ତି।

ଏ ସଂପର୍କରେ ସାଇବର ବିଶେଷଜ୍ଞ କହିଛନ୍ତି, ସରକାରୀ ୱେବସାଇଟ୍‌କୁ ତୃତୀୟ ପକ୍ଷ ନିୟନ୍ତ୍ରଣ କରୁଥିବା ବେଳେ ପ୍ରତିବର୍ଷ ଏହାର ସିକ୍ୟୁରିଟି ସିଷ୍ଟମ୍‌ ଅଡିଟ୍‌ କରାଯାଏ ନାହିଁ। ତେଣୁ ସାଇବର୍‌ ଠକ ଏହାକୁ ସହଜରେ ହ୍ୟାକ୍ କରିଥାଏ। ଏହାବ୍ୟତୀତ ନୂଆ ସଂସ୍କରଣର ସଫ୍ଟୱେର୍ ବ୍ୟବହାର ନ କରିବା, ଦୁର୍ବଳ ଭିତ୍ତିଭୂମି ଓ ନେଟ୍‌ଵର୍କ ସିଷ୍ଟମ୍‌, ୱେବସାଇଟ୍‌ରେ ଥିବା ତ୍ରୁଟି ନସୁଧାରିବା, ଅପଡେଟ୍ ଟେକ୍ନୋଲୋଜି ବ୍ୟବହାର ନ କରିବା ଯୋଗୁଁ ସାଇବର୍‌ ୱେବସାଇଟ୍ ହ୍ୟାକ୍‌ କରୁଛନ୍ତି।

 

ସମ୍ବନ୍ଧିତ ଖବର