ଭୁବନେଶ୍ବର : ଆସନ୍ତା ୩ବର୍ଷରେ ପ୍ରାୟ ହଜାରଟି ପୋଲ ତଥା ଜଳଧାରକ(ବ୍ରିଜ୍ କମ୍ ୱାଟର ୱେୟାର) ନିର୍ମାଣ କରିବେ ରାଜ୍ୟ ସରକାର। ଏହି ପଦ୍ଧତିରେ ପୋଲ ତଳେ ଅଳ୍ପ ଉଚ୍ଚତା ବିଶିଷ୍ଟ ଜଳଧାରଣ ନିର୍ମାଣ କରାଯାଏ। ଯାହାକି ବୋହି ଯାଉଥିବା ବର୍ଷାଜଳକୁ ପ୍ରାୟ ୧-୧.୫ ମିଟର ଉଚ୍ଚତା ପର୍ଯ୍ୟନ୍ତ ଧାରଣ କରିବାରେ ସକ୍ଷମ ହୋଇଥିଲା। ଉଦ୍ବୃତ୍ତ ଜଳ ପୋଲର ଅନ୍ୟପଟକୁ ସ୍ବାଭାବିକ ଭାବେ ପ୍ରବାହିତ ହୋଇଥାଏ। ପରୀକ୍ଷାମୂଳକ ଭାବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪୯ଟି ଜଳଧାରକ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା। ତହିଁରୁ ୧୨ଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ବର୍ଷା ଋତୁର ଜଳପ୍ରବାହରେ ମଧ୍ୟ ଏହି ଚେକ୍ ଡ୍ୟାମ୍ କ୍ଷତିଗ୍ରସ୍ତ ହୋଇ ନ ଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ସୂଚନା ମିଳିଛି।
ଲୋକସେବା ଭବନରୁ ଡିଜିଟାଲ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ମହାପାତ୍ର କହିଥିଲେ ଯେ ଅଳ୍ପ ଖର୍ଚରେ ଏସବୁ ନିର୍ମାଣର ବହୁମୁଖୀ ସଫଳତା ରହିଛି। ୧ରୁ ୨ କି.ମି ଦୀର୍ଘ ପର୍ଯ୍ୟନ୍ତ ନଦୀ ଶଯ୍ୟାରେ ଜଳ ପତନ ଅଧିକ ରହିଥାଏ। ଏହା ଭୂତଳ ଜଳ ପ୍ରତିପୂରଣରେ ସହାୟକ ହୋଇଥାଏ। ଯାହାକି ଭୂତଳ ଜଳ ପ୍ରତିପୂରଣରେ ସହାୟକ ହୋଇଥାଏ। ସଞ୍ଚିତ ଜଳକୁ କୃଷି, ପାନୀୟ ଜଳ ପ୍ରକଳ୍ପ ଆଦି ପାଇଁ ବ୍ୟବହାର କରିହୁଏ। ଜମିର ଆର୍ଦ୍ରତା ମଧ୍ୟ ବଢ଼ିଥାଏ। ଏ ପ୍ରକାର ନିର୍ମାଣ ଯୋଗ୍ୟ ସମସ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଓ ପୂର୍ତ ବିଭାଗ ରାସ୍ତାରେ ଥିବା ପୋଲଗୁଡ଼ିକୁ ଚିହ୍ନଟ କରିବା ଜରୁରୀ। ନିର୍ଧାରିତ ସମୟସୀମା ଭିତରେ ଏହି କାର୍ଯ୍ୟ ସାରିବା ପାଇଁ ଏକ ୩ ବର୍ଷିୟା କାର୍ଯ୍ୟ ଯୋଜନା ପ୍ରସ୍ତୁତି ପାଇଁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ।
ଉନ୍ନୟନ କମିସନର ପ୍ରଦୀପ ଜେନା କହିଥିଲେ, ବ୍ରିଜ୍ କମ ୱାଟର ଓୟାର ନିର୍ମାଣ ନଦୀର ସାଧାରଣ ଜଳପ୍ରବାହ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଏ ନାହିଁ। ଏହି ମୁଖ୍ୟତଃ ଦୁଇଟି ପଦ୍ଧତିରେ କରାଯାଇଥାଏ। ସ୍ବୟଂଚାଳିତ ଗେଟ୍ ପଦ୍ଧତି ଓ ବିନା ଗେଟରେ କେବଳ ଜଳଧାରକ ନିର୍ମାଣ ପଦ୍ଧତି। ଏହି ଉଭୟ ପଦ୍ଧତି ରାଜ୍ୟ ପାଇଁ ଉପଯୋଗୀ ସେ କହିଥିଲେ। ଜଳଧାରକ ନିକଟବର୍ତୀ ସ୍ଥାନର ଉଭୟ ପାର୍ଶ୍ବ ଜମିକୁ ଉଠାପାଇପ ଜରିଆରେ ଜଳସେଚନ ବ୍ୟବସ୍ଥା କରି କୃଷକମାନଙ୍କୁ ଅଣଧାନ ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ପ୍ରୋତ୍ସାହିତ କରିବା ଲାଗି ଜରୁରୀ ବୋଲି ଶ୍ରୀ ଜେନା କହିଥିଲେ। ପୂର୍ତ ବିଭାଗର ସ୍ବତନ୍ତ୍ର ସଚିବ ମନୋରଂଜନ ମିଶ୍ର କହିଥିଲେ, ଢେଙ୍କାନାଳ, କଳାହାଣ୍ଡି, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ନଦୀ ଓ ନାଳ ଉପରେ ଥିବା ହାଇ ଲେଭଲ ପୋଲ ତଳେ ୧୨ଟି ୱାଟର-ଓୟାର ନିର୍ମାଣ କରାଯାଇଛି। ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, କେନ୍ଦୁଝର, କଳାହାଣ୍ଡି, ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାରେ ଅବଶିଷ୍ଟ ୩୪ଟି ଜଳଧାରଣ ନିର୍ମାଣ କରାଯାଉଛି। ୧-୧.୫ ମିଟର ଜଳଧାରଣ ନିର୍ମାଣ ପାଇଁ ୧ଲକ୍ଷରୁ ଦେଢ଼ ଲକ୍ଷ ଟଙ୍କା ଖର୍ଚ ହେଉଥିବା ବେଳେ ଏହା ୧ହଜାର ଘନ ମି. ଜଳଧାରଣ କରିପାରୁଛି। ଗୋଟିଏ ୩୦ ମି. ପୋଲ ତଳେ କରାଯାଉଥିବା ଜଳଧାରଣ ୩୦ହଜାର ଘନ ଫୁଟ ଜଳ ଧାରଣ କରିପାରିବ ଓ ନଦୀ ଶଯ୍ୟାରେ ଏହି ଜଳ ପତନ ପ୍ରାୟ ୧ରୁ ୨ କି.ମି ପର୍ଯ୍ୟନ୍ତ ବ୍ୟାପ୍ତ ରହିଥିବା ସେ ସୂଚନା ଦେଇଛନ୍ତି। ବୈଠକରେ ଜଳ ସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ, ପୂର୍ତ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/wa.jpg)