ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣିବେ ସରକାର

ବିରୋଧୀଙ୍କ ଦାବି; ସରକାରଙ୍କ ଘୋଷଣା

ଆତ୍ମହତ୍ୟା ଧମକ ଦେଲେ ସୁବାସ, ନରସିଂହ
ଜାଲିଆତି କରି ବିକିବାକୁ ଚାହିଲେ କାର୍ଯ୍ୟାନୁଷ୍ଠାନ
ଧାନ ତାତିକୁ ନେଇ ୮ଥର ମୁଲତବୀ ହେଲା ଗୃହ

ଭୁବନେଶ୍ବର : ରାଜ୍ୟରେ ଧାନ ବିକ୍ରି କରିବାକୁ ପଞ୍ଜୀକୃତ ହୋଇଥିବା ପ୍ରକୃତ ଚାଷୀଙ୍କଠାରୁ ସମସ୍ତ ଧାନ ସରକାର କିଣିବେ। ଯଦି କୌଣସି ଚାଷୀ ଜାଲିଆତି କରି ପଞ୍ଜୀକରଣ କରିବା ସହିତ ଉଚ୍ଚଜମିରେ ୩ କ୍ବିଣ୍ଟାଲରୁ ଅଧିକ ଧାନ ଅମଳ କରିଥିବା ନେଇ ଦାବି କରନ୍ତି, ତା’ହେଲେ ସେହି ଚାଷୀ ଜାଲିଆତି କରିଥିବା ନେଇ ଧରାଯିବ। ଏପରି ଜାଲିଆତି କରିଥିବା ଚାଷୀଙ୍କଠାରୁ ସରକାର ଧାନ କିଣିବେ ନାହିଁ। ବରଂ ତାଙ୍କ ବିରୋଧରେ ଅପରାଧିକ ମାମଲା ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହିତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବାରେ ଅବହେଳା କରିଥିବା ବିଭାଗୀୟ ଅଧିକାରୀ ଓ ସମୟବାୟ ସମିତି କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲା ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦଲାଲ ଓ ଜାଲିଆତି କରିଥିବା ଚାଷୀଙ୍କୁ ବି ଛଡ଼ାଯିବନି। ଶୁକ୍ରବାର ଦିନ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏଭଳି ବିବୃତି ରଖିବା ପରେ ଧାନ କିଣାକୁ ନେଇ ଦିନତମାମ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା, ସେଥିରେ ପରିସମାପ୍ତି ଘଟିଛି।

‘ଚାଷୀଙ୍କ ଧାନ କିଣୁନାହାନ୍ତି ସରକାର। ହଜାର ହଜାର କ୍ବିଣ୍ଟାଲ ଧାନ ପଡ଼ିରହିଛି। ଚାଷୀମାନେ ବିଧାୟକମାନଙ୍କୁ ଘେରିଲେଣି। ଟେଲିଫୋନ ଯୋଗେ ଧମକ ଦେଲେଣି ଧାନ ନ ଉଠିଲେ ସେମାନେ ଆତ୍ମାହୁତି ଦେବେ। ଏଥିପାଇଁ ସେମାନଙ୍କ ବିଧାୟକମାନେ ଦାୟୀ ରହିବେ ବୋଲି ଚେତାବନୀ ଦେଲେଣି। ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆସନ୍ତାକାଲି ସରିବ। ଏବେ କୋଉ ମୁହଁରେ ନିର୍ବାଚନମଣ୍ଡଳୀକୁ ଯିବୁ। ଯୋଗାଣ ମନ୍ତ୍ରୀ ଗୃହରେ ଯେପରି ଉତ୍ତର ରଖିଲେ, ସେଥିରେ ଚାଷୀର ମୂଳ ସସମ୍ୟା ସମାଧାନ ହେବା ନେଇ କିଛି ବି କହିଲେ ନାହିଁ। ବାଚସ୍ପତି ଆପଣ ରୁଲିଂ ଦିଅନ୍ତୁ, ନ ହେଲେ ଗୃହ କାର୍ଯ୍ୟରେ ସହଯୋଗ କରିବୁ ନାହିଁ।’ ଶୁକ୍ରବାର ଦିନ ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଅକଳରେ ପକାଇବା ସହ ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଜେପିର ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ। ବିଜେପି ଦଳ ପ୍ରଥମରୁ ଏହି ପ୍ରସଙ୍ଗରେ ସହଯୋଗ କରିନଥିଲେ ମଧ୍ୟ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ରଙ୍କ ସହ ଧାରଣା ଦେଇଥିଲେ। ଫଳରେ ଗୃହକୁ ୮ଥର ମୁଲତବୀ ରଖିବାକୁ ପଡ଼ିଥିଲା। ଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଚାଷୀଙ୍କର ସମସ୍ତ ଧାନ କିଣିବା ନେଇ ପ୍ରତିଶ୍ରୁତି ଦେବାପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା।

ଶୁକ୍ରବାର ଦିନ ପ୍ରଶ୍ନକାଳ ଆରମ୍ଭ ହେବା ପୂର୍ବରୁ ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀ ବାଚସ୍ପତିଙ୍କ ପୋଡିୟମ୍‌ ତଳେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ପ୍ରଶ୍ନକାଳ ପରେ ତାଙ୍କ କଥା ଶୁଣିବାକୁ ବାଚସ୍ପତି ପ୍ରତିଶ୍ରୁତି ଦେବାରୁ ସେ ଧାରଣାରୁ ଉଠି ଗୃହ କାର୍ଯ୍ୟରେ ଭାଗ ନେଇଥିଲେ। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଦେବଗଡ଼ ବିଧାୟକ ଶ୍ରୀ ପାଣିଗ୍ରାହୀ କହିଥିଲେ, ତାଙ୍କ ଜିଲ୍ଲାର ହଜାର ହଜାର ଚାଷୀ ଧାନ ବିକ୍ରି କରିବା ପାଇଁ ଟୋକନ୍‌ ପାଇଛନ୍ତି କିନ୍ତୁ ସେମାନଙ୍କଠାରୁ ଧାନ କିଣାଯାଉନାହିଁ। ପରିସ୍ଥିତି ଏପରି ହେଲାଣି ଚାଷୀମାନେ ଆତ୍ମହତ୍ୟା କରିବାକୁ ବାହାରିଲେଣି। ଟେଲିଫୋନ ଯୋଗେ ଚାଷୀମାନେ ତାଙ୍କୁ ଚେତାବନୀ ଦେଇ କହିଲେଣି ସେମାନଙ୍କ ଆତ୍ମହତ୍ୟା ପାଇଁ ବିଧାୟକ ଦାୟୀ ରହିବେ। ଦେବଗଡ଼ ଜିଲ୍ଲାରେ ଚାଷୀମାନଙ୍କର ସମସ୍ତ ଧାନ ଯେପରି ଉଠିବ ବାଚସ୍ପତି ରୁଲିଂ ଦିଅନ୍ତୁ ନଚେତ୍‌ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ। ବିଧାୟକମାନେ ଏତେ ଶସ୍ତା ନୁହଁନ୍ତି ଯେ, ଆତ୍ମହତ୍ୟା କରିବେ ବୋଲି ବାଚସ୍ପତି କହିବାରୁ ବିରୋଧୀ ଦଳ ନେତା ଶ୍ରୀ ନାଏକ ନିଜ ଆସନରେ ଠିଆ ହୋଇ କହିଲେ, ଜଣେ ବିଧାୟକ ତାଙ୍କ ଅଞ୍ଚଳର ଚାଷୀମାନଙ୍କ ଦୁଃଖରେ ଏତେ ଅଭିଭୂତ ହେଲେଣି ଯେ, ସେ ଆତ୍ମହତ୍ୟା କରିବାକୁ ବାହାରିଲେଣି। ଏହା ଅତ୍ୟନ୍ତ ନିନ୍ଦନୀୟ। ସରକାର ଏପରି ଅନ୍ୟାୟ କିପରି କରିପାରିବେ। ଚାଷୀଙ୍କର ସମସ୍ତ ଧାନ କିଣିବାକୁ ସରକାର ବାଧ୍ୟ। କିନ୍ତୁ କାହିଁକି ମନ୍ତ୍ରୀ ଏ ଗୃହରେ ପ୍ରତିଶ୍ରୁତି ରଖୁନାହାନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ଚାଷୀଙ୍କ ସମସ୍ତ ଧାନ କିଣିବା ନେଇ ସରକାରଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ। ନ ହେଲେ ଚାଷୀମାନେ ଆତ୍ମହତ୍ୟା କରିବାକୁ ବାହାରିଲେଣି। ଯେ ପର୍ଯ୍ୟନ୍ତ ଚାଷୀ ପ୍ରସଙ୍ଗ ସମାଧାନ ନ ହୋଇଛି, ଗୃହ କାର୍ଯ୍ୟରେ କଂଗ୍ରେସ ସହଯୋଗ କରିବ ନାହିଁ। ତେବେ ଯୋଗାଣ ମନ୍ତ୍ରୀ ଅସୁସ୍ଥ ଅଛନ୍ତି ଆସନ୍ତାକାଲି ଏ ସମ୍ପର୍କରେ ସେ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି ରୁଲିଂ ଦେବାରୁ କଂଗ୍ରେସ ବିଧାୟକମାନେ ତାତିଯାଇଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମେତ କଂଗ୍ରେସର ଅନ୍ୟ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ଶ୍ରୀ ମିଶ୍ର କହିଥିଲେ, ଯେବେଠାରୁ ଧାନ କିଣା ସମସ୍ୟା ନେଇ ଏ ଗୃହରେ ପ୍ରସଙ୍ଗ ଉଠୁଛି ମନ୍ତ୍ରୀ ଅସୁସ୍ଥ ଥିବା କଥା କୁହାଯାଉଛି। ତୃତୀୟ ଥର ପାଇଁ ମନ୍ତ୍ରୀ ଅସୁସ୍ଥ ଥିବା ଜାଣିବାକୁ ପଡ଼ୁଛି। ବିଭାଗୀୟ ମନ୍ତ୍ରୀ ନ ଥିଲେ କଣ କୌଣସି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ। ଅନ୍ୟ କୌଣସି ମନ୍ତ୍ରୀଙ୍କୁ ସରକାର ଦାୟିତ୍ବ ଦେଇପାରିବେ ନଚେତ୍‌ ସଂସଦୀୟ ବ୍ୟାପାର ମନ୍ତ୍ରୀ ସମସ୍ତ ବିଭାଗ ପକ୍ଷରୁ ସରକାରଙ୍କ ପକ୍ଷ ରଖିପାରିବେ। ଆସନ୍ତାକାଲି ନୁହଁ ଆଜି ହିଁ ନିଷ୍ପତ୍ତି ହେବ।

କିନ୍ତୁ ବାଚସ୍ପତି ମନ୍ତ୍ରୀଙ୍କୁ ଅପେକ୍ଷା କରିବାକୁ ବାରମ୍ବାର କହିବାରୁ ଶ୍ରୀ ମିଶ୍ରଙ୍କ ସହ କଥା କଟାକଟି ହୋଇଥିଲା। ଏହାପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଠିଆ ହୋଇ କହିଥିଲେ, ଯେହେତୁ ବିଭାଗୀୟ ମନ୍ତ୍ରୀ ଅସୁସ୍ଥ ଅଛନ୍ତି ସେଥିପାଇଁ ଆସନ୍ତାକାଲି ସେ ଆସିବେ। ବିରୋଧୀ ବନ୍ଧୁମାନେ ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ। କିନ୍ତୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଏହି କଥାକୁ ଶ୍ରୀ ମିଶ୍ର ଶୁଣିନଥିଲେ। ସଙ୍ଗେ ସଙ୍ଗେ ଶ୍ରୀ ମିଶ୍ର ଗୃହ ମଧ୍ୟଭାଗକୁ ଆସି ଧାରଣା ଦେଇଥିଲେ। ଚାଷୀ ସମସ୍ୟା ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନ ନାରାବାଜି ଦେଉଥିବାବେଳେ ବିଜେପି ସଦସ୍ୟମାନେ ନିଜ ନିଜ ଆସନରେ ଚୁପଚାପ ବସିରହିଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଗୃହ ମଧ୍ୟଭାଗକୁ ଆସିବାକୁ ଆଗଭର ହେବାରୁ ପଛରୁ କେହି ଜଣେ ବିଧାୟକ ତାଙ୍କୁ ଡାକିଥିଲେ। ପରେ କିନ୍ତୁ ଶ୍ରୀ ନାଏକ କହିଥିଲେ ଆଗ ଚାଷୀଙ୍କ ସମସ୍ୟା କଥା ନତୁଟିଲେ ଗୃହ କାର୍ଯ୍ୟରେ ବିରୋଧୀ ସହଯୋଗ କରିବେ ନାହିଁ। କିନ୍ତୁ ବାଚସ୍ପତି ନଶୁଣିବାରୁ ବିରୋଧୀ ଦଳ ନେତାଙ୍କ ସମେତ ସମସ୍ତ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗରେ ଧାରଣା ଦେଇଥିଲେ। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ୧୨ଟା ୧୩ରୁ ୧୨ଟା ୨୩ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ପରେ ଉପବାଚସ୍ପତି ରଜନୀକାନ୍ତ ସିଂ ୧୨ଟା ୨୩ରୁ ୧୨ଟା ୧୨ଟା ୩୩, ୧୨ଟା ୩୩ରୁ ୧୨ଟା ୪୩, ୧୨ଟା ୪୩ରୁ ୧୨ଟା ୫୩ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ୧୨ଟା ୫୩ରେ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ।

ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ, ଆସନ୍ତାକାଲି ଅଧିବେଶନର ପ୍ରଥମ ପର୍ଯ୍ୟାୟ ସରୁଛି। ବିଧାୟକମାନେ ନିଜ ନିର୍ବାଚନମଣ୍ଡଳୀକୁ ଫେରିବେ। ସେଠାରେ ଚାଷୀମାନେ ବିଧାୟକମାନଙ୍କୁ ଘେରିବେ। ବିଧାୟକମାନେ କୋଉ ମୁହଁରେ ଚାଷୀଙ୍କୁ କଣ ଉତ୍ତର ଦେବେ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରନ୍ତୁ। ସମାନ କଥା କହି ସର୍ବଦଳୀୟ ବୈଠକ ଡାକିବାକୁ ବାଚସ୍ପତିଙ୍କୁ ହାତଯୋଡ଼ି ନିବେଦନ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। କିନ୍ତୁ ବାଚସ୍ପତି ନ ଶୁଣିବାରୁ ପୁଣି ଥରେ ବିରୋଧୀ ସଦସ୍ୟମାନଙ୍କ ସମେତ ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତା ଗୃହ ମଧ୍ୟଭାଗକୁ ଆସି ଧାରଣା ଦେଇଥିଲେ। ଏହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ ଓ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା। ଗୃହରେ ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତି ଅପରାହ୍ନ ୪ଟା ୧୨ରେ ଗୃହ କାର୍ଯ୍ୟକୁ ୧୦ ମିନିଟ୍‌ ପାଇଁ ମୁଲତବୀ ରଖିଥିଲେ। ୪ଟା ୨୨ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଶ୍ରୀ ପାତ୍ର ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ମୁଲତବୀ ରଖିଥିଲେ। ବୈଠକରେ ବିରୋଧୀ ଦଳ ନେତା ଶ୍ରୀ ନାଏକ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଜେଡି ବିଧାୟକ ଶ୍ରୀ ଦାସ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରମୁଖ ଯୋଗଦେଇଥିଲେ। ସର୍ବଦଳୀୟ ବୈଠକ ଜାରି ରହିବାରୁ ଗୃହ ଦୁଇ ଥର ମୁଲତବୀ ହୋଇଥିଲା। ସନ୍ଧ୍ୟା ୫ଟା ୩ ମିନିଟ୍‌ରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବାଚସ୍ପତି ଶ୍ରୀ ପାତ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖଙ୍କୁ ସର୍ବଦଳୀୟ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗୃହକୁ ଅବଗତ କରିବା ପାଇଁ ଡାକିଥିଲେ। ମନ୍ତ୍ରୀଙ୍କ ଉତ୍ତର ପରିପ୍ରେକ୍ଷୀରେ ଗୃହ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର