ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ମନ୍ଦିର ଖୋଲିବା ନେଇ ସରକାର ନେବେ ନିଷ୍ପତ୍ତି

କଟକ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ସମସ୍ତ ଦେବାଦେବୀଙ୍କ ମନ୍ଦିର ଓ ଅନ୍ୟ ଧର୍ମର ଉପାସନା ପୀଠ/ଅନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲିବା ପ୍ରସଂଗରେ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିବେ। ଧର୍ମାନୁଷ୍ଠାନ ଖୋଲିବାକୁ ନେଇ କେନ୍ଦ୍ର ସରକାର ଜାରି କରିଥିବା ନିୟମାବଳୀ ସହିତ ସୁପ୍ରିମକୋର୍ଟ ନିଶିକାନ୍ତ ଦୁବେ ବନାମ କେନ୍ଦ୍ର ସରକାର ମାମଲାରେ ପ୍ରଦାନ କରିଥିବା ରାୟକୁ ଆଧାର କରି ‌ରାଜ୍ୟ ସରକାର ଏହି ପ୍ରସଂଗରେ ନିଷ୍ପତ୍ତି ଗ୍ରହଣ କରିବେ। ଆଜି ମୁଖ୍ୟ ବିଚାରପତି ଜ‌ଷ୍ଟିସ୍ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇଟି ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏ ସଂପର୍କିତ ମାମଲାର ଶୁଣାଣିରେ ଖଣ୍ଡପୀଠ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଫଳରେ କଣ୍ଟେନମେଣ୍ଟ୍‌ ଜୋନ୍ ନଥିବା ସ୍ଥାନରେ ଥିବା ଧର୍ମାନୁଷ୍ଠାନ ଖୋଲିବା ଆଶା ଉଜ୍ଜ୍ବଳ ହୋଇଛି।

ମାମଲାର ବିବରଣୀରୁ ପ୍ରକାଶ, କରୋନା ଭୂତାଣୁ ସଂକ୍ରମଣ ସ୍ଥିତିରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ସମସ୍ତ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି। ଏପରି ନିୟମକୁ ଚାଲେଞ୍ଜ କରି ପୁରୀର ତ୍ରିଲୋଚନ ରଥ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଦର୍ଶାଇଥିଲେ ଯେ କେନ୍ଦ୍ର ସରକାର ଜାରି କରିଥିବା ନିୟମାବଳୀ ଅନୁସାରେ ଧର୍ମାନୁଷ୍ଠାନ ଖୋଲା ରହିପାରିବ। କିନ୍ତୁ ରାଜ୍ୟ ସରକାର କେନ୍ଦ୍ରର ନିୟମାବଳୀ ଉଲ୍ଲଂଘନ କରି ଜୁଲାଇ ୩୧ରେ ଜାରି କରିଥିବା ନିୟମାବଳୀରେ ପୂର୍ବ ଭଳି ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରିଥିଲେ। ଏହା କେନ୍ଦ୍ର ସରକାରଙ୍କ ମେ ୩୦ ନିୟମାବଳୀର ଉଲ୍ଲଂଘନ। ବିଭିନ୍ନ ପ୍ରକାର କାର୍ଯ୍ୟକଳାପକୁ କଟକଣା ନିୟମ ମାନି ଜାରି ରଖିବାକୁ ରାଜ୍ୟ ସରକାରଙ୍କ ଅନୁମତି ମିଳିଛି। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ କୋଭିଡ-୧୯ ନିୟମାବଳୀ ଓ କେନ୍ଦ୍ର ସରକାରଙ୍କ ନିୟମ ପାଳନ କରି ମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ପାଇଁ ଅନୁମତି ଦେବାରେ କିଛି ବାଧା ନାହିଁ ବୋଲି ଆବେଦନକାରୀ ଦର୍ଶାଇଥିଲେ। ମନ୍ଦିରରେ କଟକଣା ମଧ୍ୟରେ ଦର୍ଶନ ପାଇଁ ଅନୁମତି ନ ଦେବା ଭକ୍ତଙ୍କ ସାମ୍ବିଧାନିକ ଅଧିକାର କ୍ଷୂଣ୍ଣ କରୁଥିବା ମଧ୍ୟ ସେ ଦର୍ଶାଇଥିଲେ।

Odisha Bytes

ସେହିଭଳି, ସପିଂ ମଲ, ଜିମ୍‌, ଯୋଗ କେନ୍ଦ୍ର, ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ବିଭିନ୍ନ ଧର୍ମାନୁଷ୍ଠାନରେ କଟକଣା କାହିଁକି ବୋଲି ପ୍ରଶ୍ନ ଉଠାଇ ଆବେଦନକାରୀ ଆଇନଜୀବୀ ଜୟନ୍ତ କୁମାର ବଳ ଏକ ମାମଲା ଦାଏର୍‌ କରିଥିଲେ। ଏଥିରେ ସେ କେନ୍ଦ୍ର ସରକାରଙ୍କ ନିୟମାବଳୀ ଅନୁସାରେ ରାଜ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ସହିତ ଅନ୍ୟ ସମସ୍ତ ମନ୍ଦିର, ମସଜିଦ୍, ଗୁରୁଦ୍ବାର, ଚର୍ଚ୍ଚ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଅନୁମତି ଦିଆଯାଉ ବୋଲି ନିବେଦନ କରିଥିଲେ।

ଉଭୟ ମାମଲାରେ ସୁପ୍ରିମକୋର୍ଟ ନିଶିକାନ୍ତ ଦୁବେ ମାମଲାରେ ପ୍ରଦାନ କରିଥିବା ରାୟର ନଜିର ଦିଆଯାଇ ଧର୍ମାନୁଷ୍ଠାନରେ ସାଧାରଣ ଦର୍ଶନ ବ୍ୟବସ୍ଥାରେ କିଛି ଆଇନଗତ ବାଧା ନାହିଁ ବୋଲି ଦର୍ଶାଯାଇଥିଲା। ଅନ୍‌ଲକ୍-୩ ଗାଇଡଲାଇନ୍‌ ଅନୁସାରେ କଣ୍ଟେନମେଣ୍ଟ ଜୋନ୍‌ରେ ବିଭିନ୍ନ କଟକଣା ଜାରି କରାଯିବା ବ୍ୟବସ୍ଥା ଥିବାବେଳେ ଅନ୍ୟ ସ୍ଥାନରେ ବହୁ କାର୍ଯ୍ୟକଳାପ ପାଇଁ ଅନୁମତି ରହିଛି। ଏଭଳି ସ୍ଥିତିରେ କଣ୍ଟେନମେଣ୍ଟ ଜୋନ୍ ନଥିବା ସ୍ଥାନରେ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲିବାରେ କିଛି ବାଧା ନାହିଁ। ପୁରୀ ସହର କଣ୍ଟେନମେଣ୍ଟ୍‌ ଜେନ୍ ହୋଇ ନଥିବାବେଳେ ଶ୍ରୀଜଗନ୍ନାଥ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ଏଥିସହିତ ରାଜ୍ୟର ସବୁ ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ମନ୍ଦିର, ମସଜିଦ୍, ଗୁରୁଦ୍ବାର, ଚର୍ଚ୍ଚ ଖୋଲିବାକୁ ଅନୁମତି ଦିଆଯିବା ଆବଶ୍ୟକ ବୋଲି ମାମଲାରେ ଦର୍ଶାଯାଇଥିଲା।

ଆବେଦନକାରୀ ଶ୍ରୀ ରଥଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ, ଶ୍ରୀ ବଳଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ଓ ଜିତ୍ ସ୍ବରୂପ ସାମଲ ମାମଲା ପରିଚାଳନା କରୁଥିଲେ।

ସରକାର ଅନୁଧ୍ୟାନ କରୁଛନ୍ତି: ଆଇନ ମନ୍ତ୍ରୀ
ଭୁବନେଶ୍ବର : ହାଇକୋର୍ଟଙ୍କ ପରାମର୍ଶ ପରେ ସରକାର ମନ୍ଦିର ଖୋଲିବା ନେଇ ଅନୁଧ୍ୟାନ କରୁଛନ୍ତି। ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଆଜି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ମନ୍ଦିର ଖୋଲାଗଲେ ଯେପରି ଜଣେ କେହି କୋଭିଡ୍‌ ସଂକ୍ରମିତ ନ ହେବେ ଓ ସାମାଜିକ ଦୂରତା ବଜାୟ ରଖି ଶୃଙ୍ଖଳିତ ଭାବେ ଠାକୁରଙ୍କ ଦର୍ଶନ ଭକ୍ତମାନେ କରିପାରିବେ ସେଥିପାଇଁ ଏକ ସ୍ବତନ୍ତ୍ର ଗାଇଡଲାଇନ୍‌ ପ୍ରସ୍ତୁତ ହେବ।

ସମ୍ବନ୍ଧିତ ଖବର