ମଦ ପାଇଁ ସାନି ସତ୍ୟପାଠ ଦେବେ ସରକାର

କଟକ : ମଦ ନିଷେଧ ପ୍ରସଙ୍ଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାରେ ସାନି ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମଦ ନିଷେଧ ପ୍ରସଙ୍ଗରେ ରହିଥିବା ଓଡ଼ିଶା ପ୍ରୋହିବିସନ୍ ଆକ୍ଟ-୧୯୫୬ ଆଇନ ଲାଗୁ ହୋଇଛି କି ନାହିଁ, ଏବେ ଏହି ଆଇନ ବଳବତ୍ତର ଅଛି ନା ନାହିଁ; ‌ସେ ନେଇ ସତ୍ୟପାଠରେ ରାଜ୍ୟ ସରକାର ସ୍ପଷ୍ଟ କରିବେ ବୋଲି ହାଇକୋର୍ଟ କହିଛନ୍ତି।

ଏହି ମାମଲାରେ ପୂର୍ବରୁ ୨୦୨୧, ଅକ୍ଟୋବର ୨୫ରେ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠରେ ଓଡ଼ିଶା ପ୍ରୋହିବିସନ୍ ଆକ୍ଟ କାର୍ଯ୍ୟକାରୀ ପ୍ରସଙ୍ଗରେ କିଛି ସ୍ପଷ୍ଟ ତଥ୍ୟ ନାହିଁ ବୋଲି ଆଜି ମାମଲା ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏହି ଆଇନକୁ ସରକାର ଗୁରୁତ୍ବର ସହିତ ଗ୍ରହଣ କରୁଛନ୍ତି କି ନାହିଁ ସେ ନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ। ସରକାର ଏହି ପ୍ରସଙ୍ଗରେ ପକ୍ଷ ରଖିବାକୁ ଅଧିକ ମହଲତ ଲୋଡ଼ିଥିଲେ। ଏଭଳି ସ୍ଥିତିରେ ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସାନି ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୨୯କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ସାରା ରାଜ୍ୟରେ ସମସ୍ତ ପ୍ରକାର ମଦ ନିଷେଧ କରାଯାଉ ବୋଲି ଦର୍ଶାଇ ଆଇନଜୀବୀ ବୁଦ୍ଧିଆ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ଜବାବରେ ଉଲ୍ଲେଖ କରାଯାଇଥିଲା ଯେ ନିଷିଦ୍ଧ ମଦ ତିଆରି ଓ ବିକ୍ରିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ଓଡ଼ିଶା ପ୍ରୋହିବିସନ୍ ଅାକ୍ଟ, ୧୯୫୬ ଅନୁସାରେ ସାରା ରାଜ୍ୟରେ ମଦ ସଂପୂର୍ଣ୍ଣ ଭାବେ ନିଷେଧ କରାଯିବା କଥା। ଏହି ଆଇନ ଏବେ ମଧ୍ୟ ବଳବତ୍ତର ଥିବାବେଳେ ନିୟମ ଅନୁସାରେ ରାଜ୍ୟରେ ସବୁ ପ୍ରକାର ମଦ ଉତ୍ପାଦନ ଓ ବିକ୍ରି ଉପରେ କଟକଣା ଜାରି କରାଯିବା କଥା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର